କନକ ବ୍ୟୁରୋ: ଶୁଭଲକ୍ଷ୍ମୀ ମୃତ୍ୟୁ ସସପେନ୍ସ ଉପରୁ ହଟିପରୁନି ପରଦା । ଏବେବି ରହସ୍ୟ ଘେରରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ । ବୟଫ୍ରେଣ୍ଡଠୁ ଆରମ୍ଭ କରି ଅଙ୍କଲ-ଆଣ୍ଟି ପର୍ଯ୍ୟନ୍ତ ଏବଂ ପରିବାରଠୁ ଆରମ୍ଭ କରି ବାର୍ ମାଲିକ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁଡ଼ାଇତୁଡ଼ାଇ ଜେରା କରିଛି ପୋଲିସ୍ । ଏହା ଏକ ଆତ୍ମହତ୍ୟାଜନିତ ମୃତ୍ୟୁ, ଏକଥା ସ୍ପଷ୍ଟ, କିନ୍ତୁ ଚର୍ଚ୍ଚା ହେଉଛି, ଏହି ଆତ୍ମହତ୍ୟା ପାଇଁ ପ୍ରବର୍ତାଯାଇଛି । ଯାହାକୁ ନେଇ ପୋଲିସ ଖୋଳତାଡ଼ ତ ଆରମ୍ଭ କରିଛି, କିନ୍ତୁ ପ୍ରକୃତ ଚେହେରା ଖୋଜିପାଇବାରେ ଫେଲ ମାରିଛି । ଗୋଟିଏ ଗରିବ ପରିବାରର ଅଭାବୀ ଝିଅ ବୋଲି ତାଙ୍କୁ ନ୍ୟାୟ ମିଳିପାରୁ ନଥିବା କହିଛନ୍ତି ସାମାଜିକକର୍ମୀ ।

Advertisment

ପେଟ ପାଇଁ ଦୁଇପଇସା ରୋଜଗାର କରି ପରିବାର ଚଳାଇବାକୁ ବାର୍ ଗାର୍ଲ ବନିଯାଉଥିବା ଯୁବତୀଙ୍କ ପାଖକୁ ଯାଇ ଗ୍ରାଉଣ୍ଡଜିରୋରୁ ଖବର ସଂଗ୍ରହ କରିଥିଲା କନକ ନ୍ୟୁଜ୍ । ପରିବାରର ଏକମାତ୍ର ରୋଜଗାରିଆ ବାପା ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ପରିବାରରେ ଝଡ଼ ଆସିଥିଲା । ଏହାପରେ ପେଟ ପୋଷିବାକୁ ପଦାକୁ ପାଦ କାଢ଼ଥିଲେ ଏହି ଯୁବତୀ, ଆଉ ବନିଯାଇଥିଲେ ବାର୍ ଗାର୍ଲ । କେବଳ ଏହି ଜଣେ ନୁହଁନ୍ତି କାହାର ପରିବାରରେ ଆର୍ଥିକ ଅନଟନ ପୁଣି କିଏ ଖୁସିରେ ଜୀବନଯାପନ କରିବାକୁ ଏହି ରାସ୍ତା ଅପଣାଇଛନ୍ତି ।

ଦୁଇ ପଇସା ରୋଜଗାର ଆଶା ନେଇ ଅଜଣା ସହରକୁ ଆସିଥିବା ଗରିବ ଝିଅଟି ରାଜଧାନୀର ଚାକଚକ୍ୟ ଭିତରେ ହଜିଯାଉଛି । ଟଙ୍କାର ଲୋଭ ଦେଖାଇ ଭଦ୍ରମୁଖା ପିନ୍ଧା ବ୍ୟକ୍ତିମାନେ ସୈତାନ ସାଜି ଶୁଭଲକ୍ଷ୍ମୀ ଭଳି ଅନେକ ଝିଅଙ୍କୁ ଶୋଷଣ କରୁଛନ୍ତି, ଆଉ ଶେଷରେ ଲୋକଲଜ୍ଜା ଭୟରେ ସେମାନେ ଆତ୍ମହତ୍ୟା କରୁଛନ୍ତି ।