କନକ ବ୍ୟୁରୋ: ଟିମ୍ ଇଣ୍ଡିଆକୁ ଝଟକା । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍ ପରେ ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ବିଶ୍ୱକପ୍ ମ୍ୟାଚରୁ ମଧ୍ୟ ବାଦ୍ ପଡିଛନ୍ତି ଦଳର ଷ୍ଟାର ଓପନର ଶୁଭମନ୍ ଗିଲ୍ । ଡେଙ୍ଗୁରେ ଆକ୍ରାନ୍ତ ହେଇଥିବା ଏହି ବ୍ୟାଟ୍ସମ୍ୟାନ୍ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ପାଇଁ ଉପଲବ୍ଧ ହେବେ ନାହିଁ ବୋଲି ବିସିସିଆଇ ସୂଚନା ଦେଇଛି ।

Advertisment

ବିସିସିଆଇ ତରଫରୁ କୁହାଯାଇଛି ଯେ, ଶୁଭମନ୍ ଗିଲ୍ ଦଳ ସହିତ ଦିଲ୍ଲୀ ଯାତ୍ରା କରିବେ ନାହିଁ । ଦଳର ଏହି ଓପନିଂ ବ୍ୟାଟ୍ସମ୍ୟାନ୍ ଆଫଗାନିସ୍ତାନ ବିପକ୍ଷ ମ୍ୟାଚକୁ ମିସ୍ କରିବେ । ତେବେ ବର୍ତ୍ତମାନ ପାଇଁ ସେ ଚେନ୍ନାଇରେ ରହିବା ସହିତ ମେଡିକାଲ ଟିମର ନଜରରେ ରହିବେ ବୋଲି ସୂଚନା ଦିଆଯାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଫିଟ୍ ହେବେ ତ ଶୁଭମନ୍ ଗିଲ୍? ଆସନ୍ତା ଅକ୍ଟୋବର ୧୪ ତାରିଖରେ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯିବାକୁ ଅଛି । ଏହି ମ୍ୟାଚ୍ ଗୁଜରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ତେଣୁ ଏହି ମ୍ୟାଚ୍ ବେଳକୁ ଗିଲ୍ ଫିଟ୍ ହେଉଛନ୍ତି କି ନାହି, ଏବେ ତା ଉପରେ ନଜର ।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୬ ତାରିଖରେ ଶୁଭମନ୍ ଗିଲ୍ ଡେଙ୍ଗୁ ପଜିଟିଭ୍ ଥିବା ଜଣାପଡିଥିଲା । ଏହାପରେ ସେ ଅକ୍ଟୋବର ୯ ତାରିଖରେ ମ୍ୟାଚ୍ ଖେଳିପାରିନଥିଲେ । ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କ ସ୍ଥାନରେ ଇଶାନ କିଷାନ ଓପନିଂ କରିଥିଲେ । ହେଲେ ବର୍ତ୍ତମାନ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରୁ ମଧ୍ୟ ସେ ବାଦ୍ ପଡିଛନ୍ତି । ତେଣୁ ଇଶାନ କିଷାନ ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ଦଳ ପାଇଁ ଓପନିଂ କରିପାରନ୍ତି ।