କନକ ବ୍ୟୁରୋ: ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ବିସିସିଆଇ ନିଜ ଦଳ ଘୋଷଣା କରିସାରିଥିବାବେଳେ, ଖେଳାଳିଙ୍କ ୟୋ ୟୋ ଟେଷ୍ଟ ମଧ୍ୟ ଶେଷ ହେଲାଣି । ହେଲେ ଟିମ୍ ଇଣ୍ଡିଆର ୟୋ ୟୋ ଟେଷ୍ଟ ଏବେ ଅନେକଙ୍କୁ ଆଶ୍ଚଯ୍ୟ କରିଛି । କାହିଁକି ନା, ଦଳର ଯୁବ ଖେଳାଳି ଶୁଭମନ୍ ଗିଲ୍ ଫିଟନେସ୍ ମାମଲାରେ ବିରାଟ କୋହଲିଙ୍କୁ ବି ପଛରେ ପକାଇ ଦେଇଛନ୍ତି ।

Advertisment

ଏସିଆ କପ୍ ପୂର୍ବରୁ ଟିମ୍ ଇଣ୍ଡିଆ ଖେଳାଳିଙ୍କର ୟୋ ୟୋ ଟେଷ୍ଟ ଶେଷ ହେଇସାରିଛି । ଏହି ଟେଷ୍ଟରେ ବିରାଟ କୋହଲି ୧୭.୨ ପଏଣ୍ଟ ସ୍କୋର କରିଥିବାବେଳେ, ତାଙ୍କୁ ଟପି ୧୮.୭ ପଏଣ୍ଟ ସ୍କୋର କରିଛନ୍ତି ଦଳର ଷ୍ଟାର ଓପନର ଶୁଭମନ୍ ଗିଲ । ତେବେ ଏନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା ହେଇନଥିଲେ ବି, ସୂତ୍ରରୁ ମିଳିଥିବା ଖବର ମୁତାବକ, ଫିଟନେସରେ କୋହଲି ପଛରେ ପଡିଛନ୍ତି ଆଉ ଶୁଭମନ୍ ଗିଲ ସମସ୍ତଙ୍କୁ ଟପି ପ୍ରଥମ ହେଇଛନ୍ତି ।

ଏସିଆ କପ୍ ପୂର୍ବରୁ ଏବେ ଟିମ୍ ଇଣ୍ଡିଆର କ୍ୟାମ୍ପ ଜାରି ରହିଛି । ଏହି କ୍ୟାମ୍ପରେ ଦଳର ଖେଳାଳିମାନେ ୟୋ ୟୋ ଟେଷ୍ଟ ଦେଉଥିବାବେଳେ ବିରାଟ କୋହଲି ନିଜ ଇନଷ୍ଟାଗ୍ରାମରେ ତାଙ୍କ ୟୋ ୟୋ ଟେଷ୍ଟର ରେଜଲ୍ଟ ନେଇ ଖୁଲାସା କରିଥିଲେ । ଏଥର ୟୋ ୟୋ ଟେଷ୍ଟରେ କୋହଲି ୧୭.୨ ପଏଣ୍ଟ ସ୍କୋର କରିଥିବା ନେଇ ନିଜେ ହିଁ ସୂଚନା ଦେଇଥିଲେ । ତେବେ ଦଳର ଅନ୍ୟ ଖେଳାଳିଙ୍କ ଭିତରୁ ବୁମରା, ପ୍ରସିଦ୍ଧି କ୍ରିଷ୍ଣା, ତିଲକ ବର୍ମା, ସଞ୍ଜୁ ସାମସନ୍ ଆଉ କେ ଏଲ ରାହୁଲ ଏପର୍ଯ୍ୟନ୍ତ ୟୋ ୟୋ ଟେଷ୍ଟ ଦେଇନାହାଁନ୍ତି । ଏହି ୫ ଜଣ ଖେଳାଳିଙ୍କୁ ଛାଡିଦେଲେ, ଦଳର ଅନ୍ୟ ସମସ୍ତ ଖେଳାଳି ଏସିଆ କପ୍ ପୂର୍ବରୁ ୟୋ ୟୋ ଟେଷ୍ଟ ଦେଇସାରିଛନ୍ତି ।

ୟୋ ୟୋ ଟେଷ୍ଟର ଏହି ଖବର ଭିତରେ କୋହଲି ଏବ ଅନ୍ୟ ଖେଳାଳିଙ୍କୁ ତାଗିଦ୍ ବି କରିଛି ବିସିସିଆଇ । କୋହଲିଙ୍କ ସହିତ କିଛି ଖେଳାଳି ୟୋ ୟୋ ଟେଷ୍ଟର ରେଜଲ୍ଟ ସୋସିଆଲ୍ ମିଡିଆରେ ସେୟାର କରିଥିବାରୁ, ଏହାକୁ ନେଇ ଖପ୍ପା ହେଇଛି ବିସିସିଆଇ । ଦଳର ଗୋପନୀୟତା ବଜାୟ ରଖିବାକୁ ପରାମର୍ଶ ଦେବା ସହିତ, ଖେଳାଳିମାନଙ୍କୁ ତାଗିଦ କରିଛି ବୋର୍ଡ । ଖେଳାଳିଙ୍କ ଏଭଳି ଆଚରଣ ପରୋକ୍ଷରେ ନିୟମର ଉଲ୍ଲଂଘନ ବୋଲି ଖେଳାଳିମାନଙ୍କୁ ଚେତାଇ ଦିଆଯାଇଛି ।

ଆସନ୍ତା ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ । ଯେଉଁଥିରେ ଟିମ୍ ଇଣ୍ଡିଆ ସହିତ ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଆଉ ନେପାଳ ଭାଗନେବେ । ଏସିଆ କପ୍ ପାଇଁ ବିସିସିଆଇ ଦଳ ଘୋଷଣା କରିସାରିଥିଲେ ବି, ସମସ୍ତଙ୍କର ନଜର ଏବେ ଶ୍ରେୟାସ ଆୟର ଆଉ କେ ଏଲ ରାହୁଲଙ୍କ ଉପରେ ରହିଛି । ଏହି ଦୁଇ ଖେଳାଳିଙ୍କ ଫିଟନେସକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଥିବାବେଳେ, ସେମାନେ କେମିତି ମ୍ୟାଚ୍ ଖେଳୁଛନ୍ତି । ତାହା ଦେଖିବାକୁ ବାକି ରହିଲା ।