ନିର୍ବାଚନ ପୂର୍ବରୁ ମମତାଙ୍କ ସହ ମମତା ତୁଟାଇଲେ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ମନ୍ତ୍ରୀ ପଦ ପରେ ଆଜି ବିଧାୟକ ପଦରୁ ଦେଲେ ଇସ୍ତଫା । ୧୯ ରେ ହୋଇପାରନ୍ତି ବିଜେପିରେ ସାମିଲ

353

କନକ ବ୍ୟୁରୋ : ମମତାଙ୍କ ଠାରୁ ମମତା ତୁଟାଇ ଦେଇଛନ୍ତି ତୃଣମୂଳ କଂଗ୍ରେସର ହେଭିୱେଟ୍ ନେତା ତଥା ମମତାଙ୍କ ସରକାରରେ ଥିବା ପରବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । କିଛିଦିନ ପୂର୍ବରୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବେଳେ ଆଜି (ବୁଧବାର) ସେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫାପତ୍ର ବିଧାନସଭାରେ ପହଂଚିଥିଲେ । ସେଠାରେ ବାଚଷ୍ପତିଙ୍କୁ ଇସ୍ତଫା ପତ୍ର ଦେବାର ପ୍ରାବଧାନ ଥିବା ବେଳେ ବାଚଷ୍ପତ୍ତି ଅନୁପସ୍ଥିତ ଥିବାରୁ ସେ ତାଙ୍କର ଇସ୍ତଫା ପତ୍ର ସଚିବାଳୟରେ ଦେଇଛନ୍ତି ।

ସେ ଯେତେବେଳେ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସେତେବେଳେ ସେ ବିଜେପିରେ ଯୋଗ ଦେବେ ବୋଲି ଆଲୋଚନା ଜୋର ଧରିଥିଲା । ଏହା ସହ ଆସନ୍ତା ୧୯ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ସେ ମେଦିନାପୁରରେ ରାଲି କରିବେ ବୋଲି ଜଣାପଡିଛି । ରାଲି ପରେ ଏକ ସାଧାରଣ ସଭାରେ ସେ ଉଦବୋଧନ ଦେବେ । ଏହି ସମୟରେ ଶୁଭେନ୍ଦୁ ଶାହାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେବେ ବୋଲି ଅନୁମାନ କରାଯାଉଛି । ହେଲେ ଏଭଳି ଆଲୋଚନାକୁ ଶୁଭେନ୍ଦୁ ଖଣ୍ଡନ କରିଛନ୍ତି ।

ଶୁଭେନ୍ଦୁଙ୍କର ଇସ୍ତଫା ପରେ ପଶ୍ଚିମବଙ୍ଗ ବିଜେପି ଉପାଧ୍ୟକ୍ଷ ମୁକୁଲ ରାୟ କହିଛନ୍ତି କି ‘ମୁଁ ଆଗରୁ କହିଛି ଶୁଭେନ୍ଦୁଙ୍କ ପାଇଁ ସବୁବେଳେ ବିଜେପିର ଦ୍ୱାର ଖୋଲା ରହିଛି । ସେ ଯେତେବେଳେ ଚାହିଁବେ ଦଳରେ ଯୋଗ ଦେଇ ପାରିବେ’ । ଏହା ସହ ଶୁଭେନ୍ଦୁଙ୍କ ଇସ୍ତଫାକୁ ମୁକୁଲ ସ୍ୱାଗତ କରିଛନ୍ତି । ଏହାସହ ଅଧିକାରୀଙ୍କ ଇସ୍ତଫା ପରେ ପଶ୍ଚିମବଙ୍ଗ ବିଜେପି ପ୍ରମୁଖ ଦିଲ୍ଲୀପ ଘୋଷ କହିଛନ୍ତି କି ଦୈନିକ ଶହ ଶହ ଟିଏମସି କର୍ମୀ ବିଜେପିରେ ଯୋଗ ଦେଉଛନ୍ତି । ଟିଏମସିରେ ମମତା ଓ ତାଙ୍କ ପୂୁତୁରା ଅଭିଷେକଙ୍କୁ ଛାଡି କେହି ଶାନ୍ତିରେ ନାହାନ୍ତି । ଦଳରେ ଗଣତନ୍ତ୍ର ନାହିଁ ।  ସେପଟେ ଶୁଭେନ୍ଦୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏକ ସଭାରେ ମମତା ପରୋକ୍ଷରେ କହିଥିଲେ କି ଯେଉଁମାନେ ଦଳରେ ରହି ସୁରକ୍ଷିତ ମନେକରୁ ନାହାନ୍ତି ସେମାନେ ଦଳରୁ ଶୀଘ୍ର ବାହାରିଯିବା ଦଳ ପାଇଁ ଶୁଭଙ୍କର ।