ସାଆନ୍ତେଙ୍କ ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର । ଆଉ ଦିନକ ପରେ ରଥାରୁଢ ହେବେ ମହାପ୍ରଭୁ । ରଥ-ପଥ ପ୍ରସ୍ତୁତିରେ ଲାଗିଛନ୍ତି ପ୍ରଶାସନ ଓ ସେବାୟତ

79

କନକ ବ୍ୟୁରୋ: ସାଆନ୍ତେଙ୍କ ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର । କରୋନା କଟକଣା ଭିତରେ ରଥାରୁଢ ହେବେ ମହାବାହୁ । ଭାଇ-ଭଉଣୀଙ୍କୁ ସାଥିରେ ଧରି ଗୁଣ୍ଡିଚା ମନ୍ଦିରକୁ ଯିବେ କାଳିଆ ଠାକୁର । ଏଥିପାଇଁ ପ୍ରସ୍ତୁତି କରୁଛି ପୁରୀ ପ୍ରଶାସନ । ଆଉ ଦିନକ ପରେ ରଥାରୁଢ ହେବେ ଚତୁର୍ଦ୍ଧା ବିଗ୍ରହ । ଏଥିପାଇଁ ରଥ-ପଥ ପ୍ରସ୍ତୁତିରେ ଲାଗିଛନ୍ତି ପ୍ରଶାସନ ଓ ସେବାୟତ । ଆସନ୍ତାକାଲି ରାତି ୮ଟାରୁ ଦୁଇ ଦିନିଆ କର୍ଫ୍ୟୁ ଲାଗୁ ହେବ । ରବିବାର ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ଯାଏଁ ୪୮ ଘଂଟା ପାଇଁ କର୍ଫ୍ୟୁ କଟକଣା ବଳବତର ରହିବ ।

ଆଜି ସଂଧ୍ୟା ସୁଦ୍ଧା ହୋଟେଲ, ଲଜ ଓ ଧର୍ମଶାଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି ପୁରୀ ଜିଲ୍ଲା ପ୍ରଶାସନ । ରଥଯାତ୍ରା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ଯାଂଚ କରିଛନ୍ତି ଏଡିଜି । ଅତିରିକ୍ତ ଡ଼ିଜି ରାଧାକୃଷ୍ଣ ଶର୍ମା ଓ କେନ୍ଦ୍ରାଂଚଳ ଆଇଜି ନରସିଂହ ଭୋଳ ପୁରୀରେ ପହଂଚି ସମୀକ୍ଷା ବୈଠକ କରିଛନ୍ତି । ପୁରୀ ସହରରେ ୬୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।

ସହରକୁ ୧୨ଟି ଜୋନ କରାଯିବା ସହ ସହରର ମୁଖ୍ୟ ପ୍ରବେଶ ପଥ ଓ ବଡ଼ଦାଣ୍ଡ ଛାତ ଉପରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ମୁତୟନ ହେବେ ବୋଲି ଏଡିଜି ସୂଚନା ଦେଇଛନ୍ତି । ସେପଟେ ରଥ ଟାଣିବା ପାଇଁ ଆଖଡା ଶାଳରେ ନିଜକୁ ପ୍ରସ୍ତୁତ କରୁଛନ୍ତି ସେବାୟତ । ଚଳିତ ବର୍ଷ କରୋନା ଯୋଗୁଁ ଭକ୍ତଙ୍କୁ ପୁରୀ ମନା ହୋଇଛି । କେବଳ ସେବାୟତମାନେ ରଥ ଟାଣିବେ । ସେଥିପାଇଁ ଏବେ ସେବାୟତମାନେ ନିଜକୁ ପ୍ରସ୍ତୁତ କରୁଛନ୍ତି ।