କନକ ବ୍ୟୁରୋ : ଭାରତୀୟ ସଂସ୍କୃତିକୁ ନେଇ ସାରା ବିଶ୍ୱରେ ବଢୁଛି ଆଦର । ସେ ପରିପାଟି ହେଉ କି ପୂର୍ଜପର୍ବ, ସବୁ କ୍ଷେତ୍ରରେ ଧିରେ ଧିରେ ଭାରତୀୟ ସଂସ୍କୃତିର ଆଦର ବଢିବାରେ ଲାଗିଛି । ଏହି କ୍ରମରେ ଏବେ ଜାପାନର ଗ୍ରେଟର ଟୋକିଓ ସହରରେ ରଥଯାତ୍ରା ସହ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରର ପ୍ରତିଷ୍ଠା ପୂର୍ତ୍ତି ପାଳନ କରାଯାଇଛି ।
ସକାଳୁ ଘନ ଘନ ବର୍ଷା ଚାଲିଥିଲା ହେଲେ ଠିକ୍ ରଥ ଯାତ୍ରା ସମୟରେ ମହାପ୍ରଭୁଙ୍କ କୃପାରୁ ଆକାଶ ପରିଷ୍କାର ହୋଇଯାଇଥିଲା ତା ପରଠାରୁ ମେଘାଛନ୍ନ ଆକାଶ ଉତ୍ସବ ପାଇଁ ସଂମ୍ପୁର୍ଣ୍ଣ ଅନୁକୂଳ କରି ରଖିଥିଲା । ସୁନ୍ଦର ପାଗ ସାଙ୍ଗକୁ ଭକ୍ତିରେ ବିଭୋର ଭକ୍ତ ମାନଙ୍କର ଉଲ୍ଲସିତ ମୁଖ ମଣ୍ଡଳ ଫୁଟି ଉଠିଥିଲା । ଉତ୍ସବରେ ପ୍ରାୟ ୧୫୦୦ରୁ ଅଧିକ ଭକ୍ତ ଯୋଗ ଦେଇଥିଲେ ।
ସମସ୍ତେ ଜଗତର ନାଥ ଜଗନ୍ନାଥ ଓ ଶ୍ରୀରାମଙ୍କ ଆଶିର୍ବାଦ ପାଇବା ପାଇଁ ଭାବରେ ବିହ୍ୱଳ ହୋଇ ଉତ୍ସବ ମୁଖର । ପୂଜାଟିଏ ଆସିଲେ ମନ ଆଧ୍ୟାତ୍ମିକତାରେ ପୂର୍ଣ୍ଣ ହୋଇଯାଏ । ଏହି ପୂଜାକୁ ସଫଳତାର ସହ ଆୟୋଜନ କର୍ିବା ପାଇଁ ପଣ୍ଡିତ ମୁନିନଦ୍ର ପଣ୍ଡା ଓ ପଣ୍ଡିତ ଅନୁପଙ୍କୁ ଆୟୋଜକଙ୍କ ତରଫରୁ ଧନ୍ୟବାଦ ଜ୍ଞାପନ କରା ଯାଇଛି ।
ସ୍ଥାନୀୟ ଅୟୋଜକଙ୍କ ଆୟୋଜନ ଓ ସୁପରିଚାଳନା ପାଇଁ ମଧ୍ୟ ଧନ୍ୟବାଦ ଦିଆ ଯାଇଛି । ମନ୍ଦିର ତରଫରୁ ପୂଜା ସହ ସବୁ ଭକ୍ତଙ୍କ ପାଇଁ ଦିନ ସାରା ମାଗଣା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସକାଳ ମଧ୍ୟାନ୍ନ ଓ ରାତ୍ରି କାଳୀନ ଖାଦ୍ୟର ଆୟୋଜନ କରା ଯାଇଥିଲା । ୩ ଦିନର ସମ୍ପୁର୍ଣ୍ଣ ବ୍ୟବସ୍ଥା ପାଇଁ କିଛି ମାସ ପୁର୍ବରୁ ହିଁ ଆୟୋଜନ ଆରମ୍ଭ କରା ଯାଇଥିଲା । ପ୍ରଥମ ଦିନ ପ୍ରାକ୍ ପ୍ରସ୍ତୁତି ଥିବା ବେଳେ ଦ୍ୱିତୀୟ ଦିନ ମୁଖ୍ୟ ଉତ୍ସବ ଓ ଶେଷ ଦିନ ଅଂଚଳ ପରିମଳ ବ୍ୟବସ୍ଥା କରା ଯାଇଥିଲା ।
ଷ୍ଟେଜ ତଥା ସଙ୍ଗୀତ ପରିଚାଳନା ପାଇଁ ରାଜେଶ କୁଶୱାହା ଓ ଧିରେନ ଓ ସହ କଳାକାର ମାନଙ୍କ ଉପସ୍ଥିତି ସମସ୍ତଙ୍କୁ ବାନ୍ଧି ରଖିଥିଲା । କେବଳ ସ୍ଥାନୀୟ ଭକ୍ତ ନୁହେଁ ଦୁର ଦୁରାନ୍ତରୁ ମଧ୍ୟ ଭକ୍ତଙ୍କ ସମାଗମ ହୋଇଥିଲା । ପହଣ୍ଡି ଠାରୁ ଆରମ୍ଭ କରି ପୂଜାର୍ଚ୍ଚନା ଯାଏଁ ରଥଯାତ୍ରାର ସମସ୍ତ ରୀତି ନିତି ଧାର୍ଯ୍ୟ ସମୟରେ ସମାପ୍ତ ହୋଇଥିଲା । ଚଳିତ ବର୍ଷ ରାମମନ୍ଦିର ପ୍ରତିଷ୍ଠା ତଥା ରଥ ଯାତ୍ରା ଉପଲକ୍ଷେ ବହୁ ପରିମାଣରେ ଭକ୍ତ ମାନଙ୍କ ଉପସ୍ଥିତି ଉତ୍ସବର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେଇଥିଲା । ଆଗକୁ ମଧ୍ୟ ଏହିପରି ଉତ୍ସବ ପାଳନ ଆଡମ୍ବର ତଥା ଜାକଜମକରେ ଚାଲିବ ବୋଲି ଆଶା ରହିଛି ।