ଭୋକିଲାଙ୍କୁ ନିତି ମାଗଣାରେ ଖାଦ୍ୟ ପରଶୁଛନ୍ତି ଏହି ଦମ୍ପତି : କାରଣ ଜାଣିଲେ ଆପଣଙ୍କର ହୃଦୟ ତରଳିଯିବ !

63

ଲୋକମାନଙ୍କର ଜୀବନ ଚଳନୀ ଏବେ ଖୁବ୍ ବଦଳିଯାଇଛି । ସ୍ମାର୍ଟଯୁଗର ମଣିଷ ପାଲଟିଯାଇଛନ୍ତି ସମସ୍ତେ । ବିଜ୍ଞାନ ବଳରେ ଆଜି ମଣିଷ ଅନ୍ୟ ଗ୍ରହକୁ ଗଲାଣି । ହେଲେ ଏସବୁର ଉନ୍ନତି ପରେ ବି ଆମର ସମାଜରେ କିଛି ଲୋକ ଅବହେଳିତ ହୋଇ ରହିଯାଇଛନ୍ତି । ପେଟ ଚାଖଣ୍ଡକ ପାଇଁ ସେମାନେ ଅହରହ କରୁଛନ୍ତି ସଂଗ୍ରାମ । ଆଉ ବେଳେବେଳେ କିଛି ନପାଇ ଉପାସରେ ମଧ୍ୟ ଶୋଇଯା’ନ୍ତି । ସେମାନେ ନା ଖାଇବାକୁ ପାଆନ୍ତି ନା ରହିବାକୁ ଟିକେ ଆଶ୍ରୟ । ବିଶେଷକରି ବୃଦ୍ଧବୃଦ୍ଧାମାନଙ୍କ ସଂଖ୍ୟା ଅଧିକ । କାହାର ପୁଅଝିଅ ଥାଇ ବି ବେସାହାରା ତ ଆଉ କାହାର କେହିନଥାଇ ବି ଜୀବନ ଜିଇଁବାର ସଂଗ୍ରାମ କରୁଛନ୍ତି । ଆଉ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏହି ଲୋକମାନଙ୍କର ସମସ୍ୟାକୁ ଦେଖି ତାଙ୍କୁ ବଢାନ୍ତି ସାହାଯ୍ୟର ହାତ । ଏମିତି ଦୁଇଜଣ ହେଲେ ମୁମ୍ବାଇର ପ୍ରଦୀପ ତନ୍ନା ଓ ଦମୟନ୍ତୀ ତନ୍ନା । ଏହି ଦମ୍ପତି ଆଜି ପାଲଟିଛନ୍ତି ଭୋକିଲା ମଣିଷର ବନ୍ଧୁ । ଦୁହେଁ ଦୁଃଖକୁ ଅତି ପାଖରୁ ଦେଖିଛନ୍ତି । ଅନୁଭବ କରିଛନ୍ତି ବୃଦ୍ଧାବୟସରେ ଜୀବନ କେମିତି ବେସାହାର ମନେହୁଏ ଯେତେବେଳେ ପାଖରେ କେହି ନଥାନ୍ତି । ଏହି ସ୍ୱାମୀ-ସ୍ତ୍ରୀ ଦୁହେଁ ଅଙ୍ଗେ ନିଭେଇଛନ୍ତି ଏହା । ଆଉ ଯେଉଁଥି ପାଇଁ ଅନ୍ୟ କିଏ ଏମିତି ଦୁଃଖ ପାଉ ଚାହିଁନାହାନ୍ତି ।

ଗୋଟିଏ ପୁଅକୁ ନେଇ ଠିକଠାକ୍ ଚାଲିଥିଲା ତାଙ୍କର ସୁଖର ସଂସାର । ହଠାତ୍ ଅସମୟରେ ନିଜର ଏକମାତ୍ର ପୁଅକୁ ହରାଇ ଭାଂଗିପଡିଥିଲେ ଏହି ଦମ୍ପତି । କଣ କରିବେ କିଛି ଭାଂବିପାରିନଥିଲେ । ବୃଦ୍ଧକାଳେ ଯିଏ ହୋଇଥାନ୍ତା ସାହାର ସେ ଦୁନିଆରୁ ଚାଲିଗଲା । ପୁଅକୁ ଭୁଲିପାରୁନଥିଲେ । ଆଉ ପୁଅକୁ ଶ୍ରଦ୍ଧାଂଜଳି ଦେବା ଉଦ୍ଦେଶ୍ୟରେ ଆରମ୍ଭ କରିଥିଲେ ଏପରି ଏକ ମହତ କାମ ।

ସୂଚନା ଅନୁସାରେ , ୨୦୧୧ ମସିହାରେ ପ୍ରଦୀପ ଓ ଦମୟନ୍ତୀଙ୍କ ସହ ଘଟିଥିଲା ଏକ ଦୁଃଖଦ ଘଟଣା । ତାଙ୍କର ଏକମାତ୍ର ପୁଅ ନିମେଶ ମୁମ୍ବାଇ ଯାଉଥିବା ସମୟରେ ଅସାବଧାନତା ବଶତଃ ଟ୍ରେନରୁ ଖସିପଡିଥିଲେ । ଏବଂ ଟ୍ରେନର ଚକା ତଳେ ତାଙ୍କ ଜୀବନ ଚାଲିଯାଇଥିିଲା । ଏକମାତ୍ର ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିଲେ ଏହି ସ୍ୱାମୀ-ସ୍ତ୍ରୀ ଦୁଇଜଣ । ସବୁକିଛି ଯେମିତି ଅନ୍ଧକାରଚ୍ଛନ୍ନ ମନେହୋଇଥିଲା । ବାକି ଜୀବନ କିପରି କାଟିବେ ତାହା ଚିନ୍ତା କରିପାରିନଥିଲେ । ଦୁଃଖର ପାହାଡ ଯେମିତି ପଥ ଓଗାଳି ଥିଲା । ଏମିତି ଭାବେ ଏକବର୍ଷ ବିତିଗଲା ପ୍ରଦୀପ- ଦମୟନ୍ତୀଙ୍କର । ସେମାନେ ନିଜର ପୁଅର ସ୍ମୃତିରେ କିଛି କରିବାକୁ ସ୍ଥିର କଲେ । ଯାହାକି ଲୋକେ ତାଙ୍କ ପୁଅକୁ ସର୍ବଦା ମନେ ରଖିବେ । ଏହାପରେ ଆରମ୍ଭ କଲେ ଶ୍ରୀ ନିମେଶ ତନ୍ନା ଚାରିଟେବୁଲ ଟ୍ରଷ୍ଟ । ଏହି ଟ୍ରଷ୍ଟ ଅଧିନରେ ମୁମ୍ବାଇରେ ଏକାକୀ ରହୁଥିବା ବୃଦ୍ଧବୃଦ୍ଧାମାନଙ୍କୁ ସେମାନେ ଯୋଗାଇଲେ ମାଗଣାରେ ଖାଦ୍ୟ । ତା’ ସହ ସହରର ଅଭାବୀ ପିଲାମାନଙ୍କୁ ମଧ୍ୟ ଖାଦ୍ୟ ଯୋଗାଇ ଦିଆଯାଉଛି ଏହି ଟ୍ରଷ୍ଟ ମାଧ୍ୟମରେ ।

୨୦୧୩ ମସିହାରେ ପ୍ରଥମକରି ଏହି ଟ୍ରଷ୍ଟ ଅଧିନରେ ୩୦ ଜଣ ଲୋକଙ୍କୁ ଖାଇବାକୁ ଦିଆଯାଇଥିଲା । ନିଜେ ରୋଷେଇ କରି ଏହି ଖାଇବା ଯୋଗାଉଥିଲେ ତନ୍ନା ଦମ୍ପତି । ଏଭଳି ଏକ ପ୍ରୟାସ ସଂପର୍କରେ ସହରରେ ବ୍ୟାପିବା ପରେ ପରେ ହିତାଧିକାରୀଙ୍କ ସଂଖ୍ୟା ବଢିଚାଲିଥିଲା । ଏବେ ଏହି ସଂଖ୍ୟା ପହଁଚିଛି ୧୧୦ରେ । ତଥାପି ମଧ୍ୟ କୌଣସି ଗୋଟିଏ ଦିନ ଏପରି ନାହିଁ ଯେଉଁଦିନ ସେମାନେ ଲୋକମାନଙ୍କୁ ଖାଇବା ବାଂଟିବା ବନ୍ଦ କରିଛନ୍ତି । ନିଜ ଘରେ ସେମାନେ ନିର୍ମାଣ କରିଚନ୍ତି ଏକ ନୂଆ ରୋଷେଇ ଘର । ଯେଉଁଠାରେ ୭ଜଣ କର୍ମଚାରୀ ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟକର ଖାଇବା ରୋଷେଇ କରୁଛନ୍ତି ।

ପ୍ରତିଦିନ ପ୍ରାୟ ୧୧୦ ଜଣଙ୍କ ରୋଷେଇ ଖାଦ୍ୟ ବଂଟାଯିବା ସହ ପ୍ରାୟ ୧୦୦ ଜଣଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି । ଯାହାଦ୍ୱାରା ସେମାନେ ନିଜେ ରୋଷେଇ କରି ଖାଇପାରିବେ । କେବଳ ସହରର ବୃଦ୍ଧବୃଦ୍ଧାମାନଙ୍କୁ ନୁହେଁ , ଅଭାବୀ ପିଲାମାନଙ୍କୁ ମଧ୍ୟ ଖାଇବା ପୋଷାକ ମଧ୍ୟ ଯୋଗାଇ ଦିଆଯାଉଛି । କେବଳ ଆଜି ନୁହେଁ କି କାଲି ନୁହେଁ , ଶେଷ ଜୀବନ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଜାରି ରଖିଥିବେ ବୋଲି କୁହନ୍ତି ତନ୍ନା ଦମ୍ପତି । ଏହି ଦମ୍ପତିଙ୍କର ଏଭଳି ମହତ କାର୍ଯ୍ୟକୁ ନେଇ ଅନେକ ପ୍ରଶଂସା ପାଇଛନ୍ତି । ଆଉ ଅନେକଙ୍କୁ ମଧ୍ୟ ଏଥିରେ ଅନୁପ୍ରାଣୀତ କରିପାରିଛନ୍ତି । ଏହି କାର୍ଯ୍ୟ ମାଧ୍ୟମରେ ଏହି ଦମ୍ପତି ମଧ୍ୟ ନିଜର ପୁଅର ସ୍ମୃତିକୁ ସ୍ମରଣୀୟ କରିପାରିଛନ୍ତି ।

( ସୌଜନ୍ୟ- ଦ ବେଟର ଇଣ୍ଡିଆ)