ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ମିଳିଲା ଆଉ ଏକ ପଦକ ! ସୁନା ଆଣିଲେ ସୁନା ଝିଅ ଶ୍ରେୟସୀ ସିଂ, ୨୩ରେ ପହଂଚିଲା ମେଡାଲ ସଂଖ୍ୟା

32

କନକ ବ୍ୟୁରୋ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ ବର୍ଷା । ଆଜି କ୍ରୀଡାର ସପ୍ତମ ଦିନରେ ଭାତରର ଆରମ୍ଭ ବ୍ରୋଞ୍ଜ ପଦକ ସହ ହୋଇଥିଲା । ଆଉ ଏହାର କିଛି ସମୟ ମଧ୍ୟରେ ଭାରତକୁ ମିଳିଛି ଆଉ ଏକ ସ୍ୱର୍ଣ୍ଣ । ସୁଟର ଶ୍ରେୟସୀ ସିଂ ମହିଳା ଡବଲ ଟ୍ରାପ ଇଂଭେଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଶ୍ରେୟସୀ ଅଷ୍ଟ୍ରେଲିଆର ପ୍ରତିଦ୍ୱନ୍ଦୀ ଏମା କୋକସକୁ ହରାଇଛନ୍ତି । ଖେଳର ଶେଷ ଯାଏଁ ଉଭୟ ବରାବର ସ୍ଥିତିରେ ଥିଲେ । ପରେ ସୁଟ ଅଫ ହୋଇଥିଲା । ଭାରତର ବର୍ଷା ବର୍ମନ ପ୍ରତିଯୋଗିତାର ଚତୁର୍ଥ ସ୍ଥାନ ହାସଲ କରି ଅଳ୍ପକେ ବ୍ରୋଞ୍ଜରୁ ବଂଚିତ ହୋଇଛନ୍ତି । ପୂର୍ବରୁ ୨୦୦୦ ଓ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗନେଇ ଶ୍ରେୟସୀ ବିଫଳ ହୋଇଥିବାବେଳେ ତୃତୀୟ ପ୍ରୟାସରେ ସ୍ୱର୍ଣ୍ଣ ହାସଲ କରିଛନ୍ତି ।

ଅଷ୍ଟ୍ରେଲିଆରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ବକ୍ସିଂରେ ଆଉ ଏକ ପଦକ ପକ୍କା କରିଛନ୍ତି ବକ୍ସର ମେରୀ କମ୍ । ପାଂଚ ଥରର ବିଶ୍ୱ ଚାମ୍ପିୟନ ମେରୀ କମ୍ ୪୫ରୁ ୪୮ କିଲୋଗ୍ରାମ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି । ସେମିରେ ସେ ଶ୍ରୀଲଙ୍କାର ଅନୁଷା ଦିଲରଖୀଙ୍କୁ ୫-୦ରେ ହରାଇଛନ୍ତି । ଏହି ମୁକାବିଲାରେ ମେରୀ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ମୁକାବିଲା ଏକ ତରଫା ହୋଇଥିଲା । ଲଣ୍ଡନ ଅଲମ୍ପିକ୍ସରେ ବ୍ରୋଞ୍ଜ ଜିତିଥିବା ମେରୀ ରାଜ୍ୟଗୋଷ୍ଠୀ କ୍ରୀଡାରେ କୌଣସି ବି ପଦକ ଜିତିନାହାନ୍ତି । ଫାଇନାଲକୁ ଯିବା ସହିତ ମେରୀ ଭାରତ ପାଇଁ ଆଉ ପଦକ ପକ୍କା କରିଛନ୍ତି । ୩୫ ବର୍ଷିୟା ମେରୀ କମଙ୍କୁ ଏହା ହେଉଛି ଶେଷ ରାଜ୍ୟଗୋଷ୍ଠୀ କ୍ରୀଡା । ୧୪ ତାରିଖରେ ମେରୀ କମ୍ ଫାଇନାଲ ଖେଳିବେ । ନର୍ଥ ଆୟରଲ୍ୟାଣ୍ଡର ୨୨ ବର୍ଷିୟ କ୍ରିଷ୍ଣନା ଓହାରାଙ୍କ ସହ ମେରୀ କମଙ୍କ ମୁକାବିଲା ହେବ ।

ସେପଟେ ରାଜ୍ୟଗୋଷ୍ଠୀ କ୍ରୀଡାର ୫୦ ମିଟର ଏୟାର ପିସ୍ତଲ ବର୍ଗରେ ଓମ ମିଥରୱାଲ ଭାରତକୁ ବ୍ରୋଞ୍ଜ ପଦକ ଦେଇଛନ୍ତି । ଏହାପୂର୍ବରୁ ୧୦ ମିଟର ଏୟାର ପିସ୍ତଲ ବର୍ଗରେ ମଧ୍ୟ ସେ ବ୍ରୋଞ୍ଜ ପଦକ ଜିତିଥିଲେ । ପଦକ ତାଲିକାରେ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ଥିବାବେଳେ ୧୩ ସ୍ୱର୍ଣ୍ଣ ସହ ୨୩ ପଦକ ଜିତି ଭାରତ ତୃତୀୟ ସ୍ଥାନରେ ଅଛି ।