ଡେବ୍ୟୁ ମ୍ୟାଚରେ ଶ୍ରେୟସ ଆୟରଙ୍କ ଦମଦାର ବ୍ୟାଟିଂ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୫୮/୪ ।

263

କନକ ବ୍ୟୁରୋ : ଡେବ୍ୟୁ ମ୍ୟାଚରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି ଶ୍ରେୟସ ଆୟର । ଆଜି ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ନିଜର ପ୍ରଥମ ମ୍ୟାଚ୍ ଖେଳିଛନ୍ତି ଶ୍ରେୟସ ଆୟର । ନ୍ୟୁଜିଲାଣ୍ଡ ବିପକ୍ଷରେ ଆଜିଠାରୁ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ସେ ଭଲ ବ୍ୟାଟିଂର ପ୍ରଦର୍ଶନ କରି ୧୩୬ଟି ବଲରୁ ୨ଟି ଛକା ଏବଂ ୭ଟି ଚୌକା ବଳରେ ୭୫ ରନ୍ କରି ଅପରାଜିତ ରହିଛନ୍ତି ।

କାନପୁରର ଗ୍ରୀନପାର୍କ ଷ୍ଟାଡିୟମଠାରେ ଆଜି ଆରମ୍ଭ ହୋଇଥିବା ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୪ ୱିକେଟ ହରାଇ ୨୫୮ ରନ କରିଛି । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଦଳର ଓପନର ମୟଙ୍କ ଅଗ୍ରୱାଲ ମାତ୍ର ୧୩ ରନ କରି ଆଉଟ ହେବାପରେ ଦଳକୁ ଝଟକା ଲାଗିଥିଲା । କିନ୍ତୁ ଶୁଭମନ ଗିଲ୍ ଓ ଚେତେଶ୍ୱର ପୂଜାରା ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଶୁଭମନ ୫୨ ରନ କରିଥିବାବେଳେ ପୂଜାରା ୨୬ ରନ କରି ଆଉଟ ହୋଇଥିଲେ । ଏହା ପରେ ଆସିଥିବା ଅଜିଙ୍କ୍ୟ ରାହାଣେ ମଧ୍ୟ ମାତ୍ର ୩୫ ରନ କରି ଆଉଟ ହେବା ପରେ ଦଳ ଉପରେ ସଂକଟ ଆସିଯାଇଥିଲା । ଭାରତୀୟ ଦଳ ୧୪୫ ରନରେ ୪ଟି ୱିକେଟ ହରାଇ ସଂଘର୍ଷ କରୁଥିବାବେଳେ ଶ୍ରେୟସ ଆୟର ଓ ରବୀନ୍ଦ୍ର ଜାଡେଜା ଲଢୁଆ ବ୍ୟାଟିଂ କରି ଦଳକୁ ବିପଦମୁକ୍ତ କରିଥିଲେ । ଆଜି ଷ୍ଟମ୍ପ୍ସ ଅପସାରଣ ବେଳକୁ ଆୟର ୭୫ ଓ ଜାଡେଜା ୫୦ ରନ କରି ଅପରାଜିତ ଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜେମିସନ ୩ଟି ୱିକେଟ ନେଇଥିଲେ ।