ଶ୍ରେୟସଙ୍କ ନୂଆ ରେକର୍ଡ, ପଦାର୍ପଣ ଟେଷ୍ଟ ମ୍ୟାଚରେ ଶତକ ପରେ ଅର୍ଦ୍ଧଶତକ  । ପ୍ରଥମ ଭାରତୀୟ ଭାବେ ରଚିଲେ ନୂଆ ରେକର୍ଡ ।

181

କନକ ବ୍ୟୁରୋ : ନାଗପୁରରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ ପାଇଁ ସଙ୍କଟମୋଚକ ସାଜି ଉଭା ହୋଇଥିଲେ ଶ୍ରେୟସ ଆୟର । ପ୍ରଥମ ପାଳିରେ ଶତକୀୟ ଇନିଂସ ଖେଳିଥିବା ଶ୍ରେୟସ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ହାସଲ କରି ଦଳକୁ ସଙ୍କଟରୁ ଉଦ୍ଧାର କରିଛନ୍ତି । ଆଉ ଏହାସହ ନୂଆ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି ଶ୍ରେୟସ । ଡେବ୍ୟୁ ଟେଷ୍ଟରେ ପ୍ରଥମ ଭାରତୀୟ ଖେଳାଳୀ ଭାବେ ପ୍ରଥମ ଇନିଂସରେ ଶତକ ଓ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି ଶ୍ରେୟସ । ଏହାପୂର୍ବରୁ ୧୯୭୧ରେ ସୁନୀଲ ଗାଭାସ୍କର ଡେବ୍ୟୁ ଟେଷ୍ଟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଉଭୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ । ସେହିଭଳି ସୁନୀଲଙ୍କ ପୂର୍ବରୁ ଦିଲବାର ହୁସେନ ଡେବ୍ୟୁ ଟେଷ୍ଟରେ ଉଭୟ ପାଳିରେ ଅର୍ଦ୍ଧଶତକ ହାସଲ କରିବାରେ ପ୍ରଥମ ଭାରତୀୟ ଖେଳାଳୀ ଭାବେ ରେକର୍ଡ କରିଥିଲେ  । କିନ୍ତୁ ଶ୍ରେୟସ ଆୟର ପ୍ରଥମ ଇନିଂସରେ ଶତକ ଓ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ହାସଲ କରି ନୂଆ ରେକର୍ଡ କରିଛନ୍ତି ।

ଶ୍ରେୟସ ଆୟର ଦ୍ୱିତୀୟ ଇନିଂସରେ ୬୫ ରନ୍ କରି ଆଉଟ ହୋଇଛନ୍ତି । ଏହି ଅର୍ଦ୍ଧଶତକୀୟ ଇନିଂସରେ ୮ଟି ଚୌକା ଓ ଗୋଟିଏ ଛକା ଦେଖିବାକୁ ମିଳିଥିଲା । ତେବେ ଶ୍ରେୟସ ପ୍ୟାଭିଲିୟନ ଫେରିବା ପୂର୍ବରୁ ଅଶ୍ୱିନୀ ଓ ଶାହାଙ୍କ ସହ ଅର୍ଦ୍ଧଶତକୀୟ ପାର୍ଟନରସିପ କରିଥିଲେ । ଶ୍ରେୟସଙ୍କ ଏହି ଧୈର୍ଯ୍ୟପୂର୍ଣ୍ଣ ଇନିଂସ ବଳରେ ଭାରତ ୨୦୦ ରନରୁ ଅଧିକ ଅଗ୍ରଣୀ ହାସଲ କରିଛି । ଏହାଛଡା ଡେବ୍ୟୁ ଟେଷ୍ଟରେ ପ୍ରଥମ ଇନିଂସରେ ଶତକ ହାସଲ କରିବାରେ ଶ୍ରେୟସ ୧୬ ତମ ଭାରତୀୟ ଭାବେ ଉଭା ହୋଇଛନ୍ତି । ଡେବ୍ୟୁ ଟେଷ୍ଟରେ ଶତକ ହାସଲ କରିବା ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି ଲାଲା ଅମରନାଥ । ୧୯୯୩ରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ ଟେଷ୍ଟରେ ଶତକ ହାସଲ କରିଥିଲେ ଅମରନାଥ ।

ଶ୍ରେୟସଙ୍କ ପୂର୍ବରୁ ଡେବ୍ୟୁ ଟେଷ୍ଟରେ ଶତକ ହାସଲ କରିବା କ୍ଲବରେ ପୃଥ୍ୱୀ ଶ୍ୱ ମଧ୍ୟ ନିଜ ନାଁ ଯୋଡିଛନ୍ତି । ୨୦୧୮ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଡେବ୍ୟୁ ଟେଷ୍ଟରେ ୧୩୪ ରନର ଇନିଂସ ଖେଳିଥିଲେ ପୃଥ୍ୱୀ । ସେହିଭଳି ରୋହିତ ଶର୍ମା ମଧ୍ୟ ଡେବ୍ୟୁ ଟେଷ୍ଟରେ ଶତକ ହାସଲ କରିବାର ରେକର୍ଡ ନିଜ ନାଁରେ ପୂର୍ବରୁ କରି ସାରିଛନ୍ତି । ଆଉ ସବୁଠୁ ବଡ କଥା ହେଲା ଏହି ୩ ଖେଳାଳୀ ମୁମ୍ବାଇ ପକ୍ଷରୁ ଖେଳିଛନ୍ତି ।