ଶ୍ରେୟସ ଆୟର ଓ ଈଶାନ କିସାନଙ୍କୁ ନେଇ କ୍ରିକେଟ ଦୁଇ ଫାଳ । ବିସିସିଆଇର କାର୍ଯ୍ୟାନୁଷ୍ଠାନକୁ ନେଇ କ୍ରୀଡ଼ା ବିଶେଷଜ୍ଞଙ୍କ ଭିନ୍ନ ମତ

3,647

କନକ ବ୍ୟୁରୋ : ବିସିସିଆଇ କେନ୍ଦ୍ରୀୟ ଚୁକ୍ତି ତାଲିକା ଜାରି କରିବା ପରେ ଏବେ ଦୁଇଟି ନାଁକୁ ନେଇ ଚର୍ଚ୍ଚା । ଈଶାନ କିଷାନ ଓ ଶ୍ରେୟସ ଆୟାର । ଫିଟ୍ ଥାଇ ମଧ୍ୟ ଘରୋଇ କ୍ରିକେଟ ନ ଖେଳିବା ଏହି ଦୁଇ ଭାରତୀୟ କ୍ରିକେଟରଙ୍କୁ ମହଙ୍ଗା ପଡ଼ିଛି । ଉଭୟଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାଦ ଦେଇଛି ବିସିସିଆଇ । ଘରୋଇ କ୍ରିକେଟ ଖେଳିବା ନିର୍ଦ୍ଦେଶକୁ ଅବମାନନା କରିଥିବାରୁ କାର୍ଯ୍ୟାନୁଷ୍ଠାନ ନେଇଛି ବିସିସିଆଇ । ତେବେ ବିିସିସିଆଇର ଏଭଳି କଠୋର ପଦକ୍ଷେପକୁ କିଛି ଜଣ ସମର୍ଥନ କରିଥିବା ବେଳେ ଅନେକ ପୂର୍ବତନ କ୍ରିକେଟର ଏହାକୁ ନାପସନ୍ଦ କରିଛନ୍ତି । ଆୟର ଓ ଈଶାନଙ୍କ ବିରୋଧରେ ଯଦି ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହାଲେ ଅନ୍ୟମାନଙ୍କ କ୍ଷେତ୍ରରେ ବିସିସିଆଇ କାହିଁକି ଚୁପ ରହୁଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ରୋହିତ ଶର୍ମା, ବିରାଟ କୋହଲିଙ୍କୁ ମଧ୍ୟ ଘରୋଇ କ୍ରିକେଟ ଖେଳିବାକୁ ନିର୍ଦ୍ଦେଶ ଦେବାକୁ ବିସିସିଆଇକୁ ଆହ୍ୱାନ କରିଛନ୍ତି । ଏବେ ଆଇପିଏଲକୁ ଅଗ୍ରାଧିକାର ଦିଆଯାଉଛି । ହେଲେ ୫ ଦିନିଆ କ୍ରିକେଟ ହିଁ ଅସଲ କ୍ରିକେଟ । ଘରୋଇ କ୍ରିକେଟ ଖେଳିବା ଦ୍ୱାରା ଖେଳାଳିଙ୍କ ପ୍ରତିଭା ଶାଣିତ ହୋଇଥାଏ ବୋଲି ମତ ରଖିଛନ୍ତି ପୂର୍ବତନ କ୍ରିକେଟର । ସେପଟେ ପ୍ରତିଶ୍ରୁତି ଦେଇ ରକ୍ଷା ପାଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରୁ ହାର୍ଦ୍ଦିକ ବାଦ୍ ପଡ଼ିବା ଏକ ପ୍ରକାର ନିଶ୍ଚିତ ଥିଲା । ତେବେ ସେ ଶେଷ ମୂହୁର୍ତରେ ସୟଦ ମୁସ୍ତାକ ଅଲ୍ଲୀ ଓ ବିଜୟ ହଜାରେ ଟ୍ରଫି ଖେଳିବେ ବୋଲି ବିସିସିଆଇକୁ ପ୍ରତିଶ୍ରୁତି ଦେଇଛନ୍ତି ।