ନିଜ ନିଜ ସ୍ତରରେ ପ୍ରଚାର ଆରମ୍ଭ କଲେଣି ନେତା । ଲୋକ ସମ୍ପର୍କ ବଜାୟ ରଖିବାକୁ ଆଦିବାସୀଙ୍କ ସହ ନାଚିଲେ ଶ୍ରୀମୟୀ ମିଶ, ଦୁଇ ଦିନ ଧରି ବର୍ଷାରେ ଭିଜି ଭିଜି ଲୋକଙ୍କୁ ଭେଟିଲେ ଅପରାଜିତା

133

କନକ ବ୍ୟୁରୋ : ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ହେବା ନେଇ ଚର୍ଚ୍ଚା ଏବେ ବି ଥମିନାହିଁ । ତଥାପି ଜନସଂପର୍କ ରକ୍ଷା କରିବାକୁ ଜୋରଦାର ପ୍ରୟାସ ଚଳାଇଛନ୍ତି ଆଶାୟୀ ପ୍ରାର୍ଥୀ । ବର୍ତମାନର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପୁଣିଥରେ ବିଜେପି ଟିକେଟରେ ଲୋକସଭା ଲଢେଇକୁ ଓହ୍ଲାଇବା ପାଇଁ ଆଗ୍ରହୀ । ସେପଟେ ଭୁବନେଶ୍ୱର ଲୋକସଭା କ୍ଷେତ୍ର ପର୍ଯ୍ୟବେକ୍ଷକ ଦାୟିତ୍ୱ ପାଇଥିବା ଶ୍ରୀମୟୀ ମିଶ୍ର ମଧ୍ୟ ଭୁବନେଶ୍ୱରରୁ ବିଜେଡି ଟିକେଟ୍ ପାଇବା ନେଇ ଆଶାବାଦୀ ଥିବା କୁହାଯାଉଛି ।

ଦୁଇଦିନ ତଳେ ଭୁବନେଶ୍ୱର ନୀଳାଦ୍ରିବିହାର ଅଂଚଳରେ ଥିବା ଆଦିବାସୀମାନଙ୍କ ବାହାବଙ୍ଗା ପର୍ବରେ ସାମିଲ ହୋଇଛନ୍ତି ବିଜେଡିର ଭୁବନେଶ୍ୱର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର । ଆଦିବାସୀ ମହିଳାଙ୍କ ପାଦରେ ପାଦ ମିଶାଇ ନାଚିଛନ୍ତି । କେବଳ ଏତିକି ନୁହେଁ ଜନସଂପର୍କ ବଜାୟ ରଖିବାକୁ କ୍ରିକେଟ୍ ପ୍ରତିଯୋଗିତା, ଶ୍ରଦ୍ଧାଞ୍ଜଳି ଉତ୍ସବ ପରି ସାମାଜିକ କାର୍ଯ୍ୟକ୍ରମ ଓ ଉତ୍ସବରେ ସାମିଲ ହେଉଛନ୍ତି ଶ୍ରୀମୟୀ । କୁହାଯାଉଛି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ସେ ଟିକେଟ ଆଶାୟୀ ଅଛନ୍ତି । ତାଙ୍କ ସହ ସ୍ଥାନୀୟ ବିଧାୟକମାନେ ମଧ୍ୟ ବୁଲୁଥିବାରୁ ଶ୍ରୀମୟୀଙ୍କ ଟିକେଟ ଆଶା ଉଜ୍ୱଳ ଥିବା କୁହାଯାଉଛି ।

ଏପଟେ ଚିରାଚରିତ ଢଙ୍ଗରେ ରାଜଧାନୀର ବିଭିନ୍ନ ଅଂଚଳ ବୁଲୁଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଗତ ଦୁଇଦିନ ହେଲା ଭୁବନେଶ୍ୱରରେ ବର୍ଷା ସତ୍ୱେ ଭିଜିଭିଜି ବିଭିନ୍ନ ଅଂଚଳ ବୁଲୁଛନ୍ତି ଅପରାଜିତା । ବୁଧବାର ଏକାମ୍ର ଭୁବନେଶ୍ୱର ଏବଂ ଜଟଣୀ ବିଧାନସଭା ଅଂଚଳରେ ଜନସଂପର୍କ ପଦଯାତ୍ରା କରିଛନ୍ତି ଭୁବନେଶ୍ୱର ସାଂସଦ । ନିକଟରେ ବିଜେଡି ଛାଡି ବିଜେପି ଶିବିରରେ ସାମିଲ ହୋଇଥିବା ପ୍ରଶାନ୍ତ ଜଗଦେବଙ୍କୁ ମଧ୍ୟ ସାଂସଦଙ୍କ ସହ ବୁଲୁଥିବା ଦେଖିବାକୁ ମିଳିଛି । ବିଜେପି-ବିଜେଡି ମେଂଟ ଚର୍ଚ୍ଚା ଓ ଭୁବନେଶ୍ୱର ଆସନ କାହା ଭାଗରେ ପଡିବ ଆଶଙ୍କା ଭିତରେ ସାଂସଦ ଅପରାଜିତାଙ୍କ ଜନସଂପର୍କ ଯାତ୍ରା ଭିନ୍ନ ବାର୍ତା ଦେଇଛି ।