ଶ୍ରୀମନ୍ଦିର ଉପବନରେ ପୋତାଗଲା ଅମୁଣିଆ ପ୍ରସାଦ । ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ କାରଣରୁ ଠାକୁରଙ୍କୁ ଲାଗି ହୋଇପାରିନଥିଲା ଭୋଗ

47

କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଅମୁଣିଆ ବା ମହାପ୍ରଭୁଙ୍କୁ ଲାଗି ହୋଇନଥିବା ମହାପ୍ରସାଦକୁ ପୋତାଯିବା ପ୍ରକ୍ରିୟା । ଶ୍ରୀମନ୍ଦିର ନୀତି ଅନୁସାରେ ଠାକୁରଙ୍କ ପାଖରେ ଲାଗି ହୋଇନଥିବା ଅବଢାକୁ ପୋତିଦିଆଯାଏ । ଧୋ-ପଖାଳ ସେବାୟତମାନେ ଏହି ଅମୁଣିଆକୁ କୋଇଲିବୈକୁଣ୍ଠ ପଛପଟେ ଥିବା ଉପବନରେ ପୋତିବା ଆରମ୍ଭ କରିଛନ୍ତି ।

ଗତକାଲି ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ ନେଇ କୋର୍ଟଙ୍କ କଟକଣା ଫଳରେ ବାହାରି ପାରିନଥିଲା ମହାପ୍ରଭୁଙ୍କ ମହାପ୍ରସାଦ । କୋର୍ଟଙ୍କ ନିର୍ଦ୍ଦେଶରେ ଶ୍ରୀମନ୍ଦିର ପ୍ରଶାସନ କେବଳ ଅଧିକୃତ ସେବାୟତଙ୍କ ଛଡା ଅନ୍ୟ କାହାରିକୁ ଗର୍ଭଗୃହକୁ ନଛାଡିବାରୁ ସୃଷ୍ଟି ହୋଇଥିଲା ବିଭ୍ରାଟ । କେବଳ ପାଳିଆ ସେବକଙ୍କ ଛଡା ଅନ୍ୟକେହି ଶ୍ରୀମନ୍ଦିର ଗର୍ଭଗୃହକୁ ଯାଇପାରିବେନି । ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶ ଫଳରେ ବର୍ଷବର୍ଷ ଧରି ସେବାୟତଙ୍କ ସହ ଯାଉଥିବା ସେମାନଙ୍କ ପରିବାର ସଦସ୍ୟ ଗର୍ଭଗୃହକୁ ପ୍ରବେଶ କରିପାରିନଥିଲେ । ସେଥିପାଇଁ ଶ୍ରୀଜୀଉଙ୍କ ନୀତିକାନ୍ତିରେ ବିଳମ୍ବ କରିଥିଲେ ସେବାୟତ । ନୀତି ବିଭ୍ରାଟ ଫଳରେ ରୋଷଘରୁ ଅବଢା ବାହାରି ପାରିନଥିବାବେଳେ ଲକ୍ଷଲକ୍ଷ ଭକ୍ତଙ୍କ ପାଇଁ ପ୍ରସ୍ତୁତ ବରାଦି ଅବଢା ସେମିତି ରୋଷଘରେ ରହିଥିଲା । ମଙ୍ଗଳ ଆଳତିଠାରୁ ନୀତିକୁ ନେଇ ମହାବିଭ୍ରାଟ ପରେ ଭୋଗମଣ୍ଡପକୁ ଭୋଗ ଯାଇପାରି ନଥିଲା ।

ତେବେ ନୀତିରେ ବିଭ୍ରାଟକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏପରିକି ଠାକୁରଙ୍କୁ ଦଣ୍ଡ ଦିଆନଯାଉ ବୋଲି ସେ ଅନୁରୋଧ କରିଛନ୍ତି । ଏଥିସହ ସେବାୟତଙ୍କର ଯଦି କିଛି ଆପତି ଅଭିଯୋଗ ଥାଏ ତେବେ ସେମାନେ କୋର୍ଟରେ ପକ୍ଷ ରଖିବାକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେପଟେ ସୁଆର ମହାସୁଆର ନିଯୋଗର ସେବାୟତ ମାନେ ପୁଣି ଥରେ ପ୍ରଶାସନର ନିଷ୍ପତିକୁ ବିରୋଧ କରି ଧାରଣାରେ ବସିଛନ୍ତି । ଫଳରେ ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଳମ୍ବ ଦେଖାଦେଇଛି ।

ସେପଟେ, ବିଧାନସଭାରେ ବି ପ୍ରତିଫଳିତ ହୋଇଛି ଶ୍ରୀମନ୍ଦିର ନୀତି ବିଭ୍ରାଟ ପ୍ରସଙ୍ଗ । ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ଭିତରେ ବିବାଦ ଯୋଗୁ ମହାପ୍ରଭୁ ଉପବାସ ରହିବା ଘଟଣାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଧାନସଭା ଆରମ୍ଭରୁ ଏହି ପ୍ରସଙ୍ଗରେ ଗୃହର ମଧ୍ୟ ଭାଗକୁ ଆସି ବିଜେପି ଓ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି । ଗୋଟିଏ ପଟେ କୋଟିକୋଟି ଓଡିଆଙ୍କ ଆରଧ୍ୟ ଦେବତା ଉପବାସରେ ଅଛନ୍ତି ଆଉ ଅନ୍ୟପଟେ ସରକାର ସବୁ ଜାଣି ଚୁପ ବସିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ସଦସ୍ୟ । ସେବାୟତ ଓ ପ୍ରଶାସନ ଭିତରେ ଟଣା ଓଟରା ଯୋଗୁ ପୁରୀ ଶ୍ରୀମନ୍ଦିର ବିଶ୍ୱ ଦରବାରରେ ନିନ୍ଦିତ ହେବା ଆଗରୁ ସରକାର ସମସ୍ୟାର ସମାଧାନ କରନ୍ତୁ ବୋଲି ଦାବି କରିଛନ୍ତି ବିଜେପି ଓ କଂଗ୍ରେସ ।