ମନ୍ତ୍ର ଉଚ୍ଚାରଣରେ କମ୍ପୁଛି ଶ୍ରୀକ୍ଷେତ୍ର । ପୁରୀରେ ଆରମ୍ଭ ହେଲା ମହାଯଜ୍ଞ, ୨୪ତାରିଖରେ ପୂର୍ଣ୍ଣାହୂତି ଦେବେ ମୁଖ୍ୟମନ୍ତ୍ରୀ ।

207

କନକ ବ୍ୟୁରୋ : ରାଜନାତିରେ ପୁରୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଯୁଦ୍ଧକାଳୀନ ଭିତିରେ କାମ ଚାଲିଥିବା ବେଳେ ସହରର ନାଁ ପରିବର୍ତ୍ତନ କରିବାର ଦାବି ଦାନା ବାନ୍ଧିଥିଲା । ଏହାରି ଭିତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭୂମି ପୂଜନ ମହାଯଜ୍ଞ ଆଜି ଠାରୁ ଆରମ୍ଭ ହୋଇଛି । ୩ ଦିନ ଧରି ଚାଲିବାକୁ ଥିବା ଏହି ମହାଯଜ୍ଞରେ ଆସନ୍ତା ୨୪ ତାରିଖ ସାଢେ ୧୦ଟାରେ ପୂର୍ଣ୍ଣାହୁତି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶଙ୍କରାଚାର୍ଯ୍ୟ, କେନ୍ଦ୍ରମନ୍ତ୍ରୀ, ବିଧାୟକ ଓ ପ୍ରଶାସକଙ୍କ ଉପସ୍ଥିତିରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଉପରେ ସମସ୍ତଙ୍କ ନଜର ରହିଛି ।

ପଣ୍ଡିତ ଓ ସାଧୁସନ୍ଥଙ୍କ ମନ୍ତ୍ର ଉଚ୍ଚାରଣରେ କମ୍ପୁଛି ପୁରୀର ପରିବେଶ । ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭୂମି ପୂଜନ ପାଇଁ ହେଉଛି ମହାଯଜ୍ଞ । ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟ ଐଶାନ୍ୟ କୋଣରେ ୩ଦିନ ଧରି ଚାଲିବାକୁ ଥିବା ଏହି ମହାଯଜ୍ଞ ସମ୍ପାଦନ କରିବେ ୩୩ ଜଣ ପଣ୍ଡିତ । ଯଜ୍ଞମଣ୍ଡପ ନିକଟରେ ମହାପ୍ରଭୁଙ୍କ ଅବିକଳ ପ୍ରତିମୂର୍ତି ବସାଯାଇ ବୈଦିକ ବ୍ରାହ୍ମଣଙ୍କ ଦ୍ୱାରା ବେଦ ପାଠ କରାଯାଉଛି ।

କିଛିଦିନ ହେଲା ପୁରୀର ନାମ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଛି । ବିଜେପି ପୁରୀ ନାଁକୁ ଜଗନ୍ନାଥଧାମ ପୁରୀ କରିବାକୁ ପ୍ରସ୍ତାବ ଦେଉଛି । ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ନାଁ ପରିବର୍ତ୍ତନ ହେଲେ ଭଲ ହୁଅନ୍ତା ଓ ସେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ । ଏହା ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ରେଳଷ୍ଟେସନର ନାଁ ଜଗନ୍ନାଥଧାମ ପୁରୀ ରେଳଷ୍ଟେସନ କରିବାକୁ ରାଜ୍ୟ ସରକାର ପଦକ୍ଷେପ ଆବଶ୍ୟକ ବୋଲି କହିଥିଲେ ।

୩ ଦିନ ଚାଲିବାକୁ ଥିବା ମହାଯଜ୍ଞର ପୂର୍ଣ୍ଣାହୂତି ବୁଧବାରଦିନ ହେବ । ଏହିଦିନ ଶ୍ରୀମନ୍ଦିର ପରିକ୍ରମା ପରିକଳ୍ପନାର ଭୂମିପୂଜନ ହେବ । ଆଉ ଏଥିରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୭ ଶହ ଅତିଥିଙ୍କ ପାଇଁ ବ୍ୟବସ୍ଥା ହୋଇଛି । ଏହା ସହ ପ୍ରକଳ୍ପକୁ ଜମିଦାନ କରିଥିବା ୧୩୬ ପରିବାର ଓ ୧୮ଟି ମଠକୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମୁଖ୍ୟ ଶାସନ ସଚିବ ଓ ଫାଇଭ-ଟି ସଚିବ ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଦେଶରେ ଧର୍ମକୁ ନେଇ ରାଜନୀତି କମିବା ପରିବର୍ତ୍ତେ ବଢିବାରେ ଲାଗିଛି । କିଛି ଦିନ ପୂର୍ବରୁ ମୋଦି କେଦାରନାଥର ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତି ଉନ୍ମୋଚନ କରିଥିଲେ । ସେପଟେ ଉତ୍ସାହର ସହ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ କାମ ଆଗେଇ ଚାଲିଛି । ସେପଟେ ଅରବିନ୍ଦ କେଜରିୱାଲ ମଧ୍ୟ ମନ୍ଦିର ବୁଲୁଛନ୍ତି । ଏସବୁ ଭିତରେ ପୁରୀରେ ମହାଯଜ୍ଞ ବି ଚର୍ଚ୍ଚାକୁ ଆସିଛି ।