ରଥଯାତ୍ରା ପୂର୍ବରୁ ଶେଷ ହେବ ବଡଦେଉଳର ମରାମତି କାମ । ସେପଟେ ଆସନ୍ତା ୩ ଦିନ ମଧ୍ୟରେ ଖୋଲିବ କୋଣାର୍କ ମନ୍ଦିର ।

78

କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ଶେଷ ହେବ। ଏଏସ୍‌ଆଇ ଡିଜି ଉଷା ଶର୍ମା ଶ୍ରୀମନ୍ଦିର ପରିଦର୍ଶନ ପରେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ବାତ୍ୟା ପରେ ଏସ୍‌ଆଇ ଡିଜି ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିର କେତେ ପରିମାଣରେ କ୍ଷୟକ୍ଷତି ଘଟିଛି, ସେନେଇ ଆଜି ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ଉଷା ଶର୍ମା କହିଛନ୍ତି, ଶ୍ରୀମନ୍ଦିରର ମରାମତି କାମ ଯୁଦ୍ଧକାଳିନୀ ଭିତ୍ତିରେ ଚାଲିଛି । ବରିଷ୍ଠ ପଦାଧିକାରୀ କ୍ୟାମ୍ପ ଓ କାର୍ଯ୍ୟ ତଦାରଖ କରିବେ ।

ଆଗାମୀ ୨ରୁ ୩ ଦିନ ମଧ୍ୟରେ କୋଣାର୍କସ୍ଥିତ ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଖୋଲିବ । ସୂର୍ଯ୍ୟମନ୍ଦିର ପରିଦର୍ଶନ ପରେ ଏଏସ୍‌ଆଇ ଡିଜି ଏହି ସୂଚନା ଦେଇଛନ୍ତି । ଡିଜିଙ୍କ ସହିତ ଆଜି ଏକ ଟିମ୍‌ ସୂର୍ଯ୍ୟମନ୍ଦିର ସ୍ଥିତି ସଂପର୍କରେ ଅବଗତ ହୋଇଛି । ମନ୍ଦିରର କୌଣସି ଢାଂଚାଗତ କ୍ଷତି ଘଟିନଥିବା ଟିମ୍‌ ଦେଖିଛି । ମନ୍ଦିର ପରିସର ମଧ୍ୟରେ ଛୋଟ ବଡ଼ ପାଖାପାଖି ୨୦୦ରୁ ଅଧିକ ଗଛ ଉପୁଡିଛି ବୋଲି ଟିମ୍‌ କହିଛି । ପୁନରୁଦ୍ଧାର କାମ ଶେଷ ହେବା ପରେ ପର୍ଯ୍ୟଟକଙ୍କ ପାଇଁ ସୂର୍ଯ୍ୟମନ୍ଦିର ଖୋଲିବ । ଆଗାମୀ ୧୫ ଦିନ ମଧ୍ୟରେ ସୂର୍ଯ୍ୟମନ୍ଦିରର ଅବସ୍ଥା ସ୍ୱାଭାବିକ ସ୍ତରକୁ ଆସିଯିବ।