ଶ୍ରୀହୀନ ଦିଶୁଛି ଶ୍ରୀମନ୍ଦିର: ଲାଇଟ୍ ଖୋଲିନେବା ପଛରେ କିଏ?

591

କନକ ବ୍ୟୁରୋ: ସରକାର ବଦଳିବା ପରେ ଏକପ୍ରକାର ଅନ୍ଧକାର ହୋଇଯାଇଛି ଶ୍ରୀକ୍ଷେତ୍ର । ତିନି ଦିନ ହେଲା ଶ୍ରୀମନ୍ଦିରର ଆଲୋକିକରଣ ପାଇଁ ଲଗାଯାଇଥିଲା ଲାଇଟ୍ ଖୋଲି ଦିଆଯାଇଛି । ଆଲୋକୀକରଣ ବ୍ୟବସ୍ଥାକୁ ହଠାତ ବନ୍ଦ କରିଦେବା ପରେ ଅସନ୍ତୋଷ ବଢି ଯାଇଛି । କାହା ନିର୍ଦ୍ଦେଶରେ ଲାଇଟ୍ ଖୋଲା ଯାଇଛି ତାହାକୁ ନେଇ ଉଠିଲା ପ୍ରଶ୍ନ ।

ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ତିନି ଦିନ ହେଲା ଶ୍ରୀମନ୍ଦିରର ଆଲୋକିକରଣ ପାଇଁ ଲଗାଯାଇଥିଲା ଲାଇଟ୍ ଖୋଲି ଦିଆଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ମନ୍ଦିରକୁ ସଂପୂର୍ଣ୍ଣ ଆଲୋକିକରଣ କରାଯାଇଥିଲା । ମନ୍ଦିର ଚାରିପାର୍ଶ୍ୱରେ ଏକାଧିକ ଲେଜର ଲାଇଟ୍ ଲଗାଯାଇଥିଲା । ଉତ୍ତର ଦ୍ୱାର, ଦକ୍ଷିଣଦ୍ୱାର, ପଶ୍ଚିମଦ୍ୱାରରେ ବକ୍ସ ଭଳି ଏକାଧିକ ସ୍ଥାନରେ ବଡ଼ ବଡ଼ ଫୋକସିଂ ଲାଇଟ୍ ସବୁ ଲାଗିଥିଲା । ଏହି ଉଚ୍ଚକ୍ଷମତା ସଂପନ୍ନ ଲାଇଟ୍ ସିଧାସଳଖ ଶ୍ରୀମନ୍ଦିର ଓ ନୀଳଚକ୍ରରେ ପଡ଼ୁଥିଲା । ଫଳରେ ମେଘନାଦ ପାଚେରିଠାରୁ ଶ୍ରୀମନ୍ଦିର ନୀଳଚକ୍ର ପର୍ଯ୍ୟନ୍ତ ସ୍ପଷ୍ଟ ଦୃଶ୍ୟମାନ ହେଉଥିଲା । ଘନ ଅନ୍ଧକାରରେ ବି ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ଦୂରକୁ ସ୍ପଷ୍ଟ ଦୃଶ୍ୟମାନ ହେଉଥିଲା । ହେଲେ କାହିଁକି, କିଏ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ନିର୍ବାଚନ ଫଳାଫଳ ଆସିବା ପରେ ଏହି ଆଲୋକୀକରଣ ବ୍ୟବସ୍ଥାକୁ ବନ୍ଦ କରି ଦିଆଯାଇଥିବା ଅଭିଯୋଗ କରିଛନ୍ତି ସେବାୟତ ।

୪ ତାରିଖ ନିର୍ବାଚନ ରେଜଲ୍ଟ ପ୍ରକାଶ ପାଇବା ପରେ ଆଲୋକୀକରଣ ବ୍ୟବସ୍ଥାରେ ଥିବା ଠିକାଦାର କାଢିନେଇଥିବା ଅଭିଯୋଗ ହୋଇଛି । କିନ୍ତୁ ଠିକାଦାରଙ୍କୁ ଲାଇଟ୍ କାଢିବାକୁ କିଏ ନିର୍ଦ୍ଦେଶ ଦେଇଛି ନା ସେ ନିଜ ଇଛାରେ କାଢିଛନ୍ତି ତାହା ଜଣାପଡିନାହିଁ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ସ୍ପଷ୍ଟିକରଣ ଦିଆଯାଇନାହିଁ । ଯାହାକୁ ନେଇ ନେଇ ଭକ୍ତ ଓ ସେବାୟତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ଏହି ଆଲୋକୀକରଣ ବ୍ୟବସ୍ଥା ଚାଲୁ କରିବାକୁ ଦାବି ହୋଇଛି ।

ପ୍ରଥମେ ରଥଖଳାକୁ ସ୍ୱଚ୍ଛ ରଖିବା ପାଇଁ ସଫେଇ କର୍ମଚାରୀ ନ ଆସିବା, ଏହାପରେ ଅର୍ପଣ ଚାଉଳର ଭୋଗ ଭକ୍ତଙ୍କୁ ନବାଂଟିବା, ଆଉ ଏବେ ଶ୍ରୀମନ୍ଦିରକୁ ଅନ୍ଧାର କରିବାକୁ ନେଇ ପ୍ରଶ୍ନ ଉଠିଛି ।