କନକ ବ୍ୟୁରୋ : ଗୋଟିଏ ଦିନରେ ମହାପ୍ରଭୁଙ୍କ ସେବା ପୂଜା ପାଇଁ କେତେ ସେବକ ଆବଶ୍ୟକ ତାହାର ହିସାବ ସୁପ୍ରିମକୋର୍ଟରେ ଦାଖଲ କରିଛି ଶ୍ରୀମନ୍ଦିର ପ୍ରଶାସନ। ପହୁଡ଼ ଖୋଲିବା ଠାରୁ ପହୁଡ଼ ପକାଇବା ପର୍ଯ୍ୟନ୍ତ ପ୍ରତିଦିନ ୪୦ଜଣରୁ କମ ଅର୍ଥାତ୍ ୩୬ଜଣ ସେବକଙ୍କର ନୀତି ରହିଥିବା ପ୍ରଶାସନ ଦର୍ଶାଇଛି। ଏହାଠାରୁ ଅଧିକ ସେବକଙ୍କର ଆବଶ୍ୟକତା ଦୈନନ୍ଦିନ ନୀତିରେ ନଥାଏ ବୋଲି ଦର୍ଶାଇଛି। ତେବେ ସ୍ବତନ୍ତ୍ର ନୀତି ଗୁଡ଼ିକରେ ଆଉ ଅଳ୍ପ କିଛି ସେବକ ଅଧିକ ଦରକାର ହେଉଥିବା ମଧ୍ୟ ପ୍ରଶାସନ ଜଣାଇଛି। ଶ୍ରୀମନ୍ଦିରରେ ସେବାୟତ ସଂଖ୍ୟା ହ୍ରାସ ନେଇ ଯୋଜନା ଚାଲିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନର ଏପରି ସତ୍ୟପାଠ ଅନେକଙ୍କ ବଂଶଗତ ସେବା ଉଚ୍ଛେଦ କରିବାକୁ ବାଟ ଖୋଲି ଦେବ ବୋଲି ସ୍ପଷ୍ଟ ହୋଇଛି।
ଶ୍ରୀମନ୍ଦିରରେ ଆବଶ୍ୟକତା ଠାରୁ ବହୁ ଅଧିକ ସେବକ ରହିଛନ୍ତି। ସେମାନଙ୍କ ସଂଖ୍ୟାକୁ ହ୍ରାସ କରାଯିବା ଆବଶ୍ୟକ। ଏପରିକି ଅଧିକ ସେବାୟତଙ୍କ ଉପସ୍ଥିତି ବିଶୃଙ୍ଖଳାର କାରଣ ବି ହେଉଛି। ସେଥିପାଇଁ ପ୍ରଥମେ ସେବାୟତଙ୍କ ସଂଖ୍ୟା ହ୍ରାସ କରିବାକୁ ମତ ପ୍ରକାଶ ପାଇଥିଲା। ଏହି ପ୍ରସଙ୍ଗକୁ ନେଇ ଅନେକ ସେବାୟତଙ୍କ ବଂଶଗତ ଅଧିକାର ଉଚ୍ଛେଦ ହେବ ବୋଲି ଜୋରସୋର ଚର୍ଚ୍ଚା ହେଲା ତେବେ ପ୍ରଶାସନ ଏବଂ ଗଜପତି ବଂଶାନୁକ୍ରମିକ ସେବା ଉଚ୍ଛେଦ ସପକ୍ଷରେ ମତ ଦେଇ ନଥିଲେ।
ସେବାୟତଙ୍କ ସଂଖ୍ୟା ହ୍ରାସ ନେଇ ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ ୩ଜଣିଆ ପ୍ରଶାସନିକ କମିଟି ମଧ୍ୟ ରିପୋର୍ଟ ଦେଇଥିଲା । ଏକାଧିକ ତଦନ୍ତ କମିସନ ମଧ୍ୟ ତାଙ୍କ ରିପୋର୍ଟରେ ସେବାୟତଙ୍କ ସଂଖ୍ୟା ସୀମିତ କରିବାକୁ ପରାମର୍ଶ ଦେଇଥିଲେ। ହେଲେ ତାହା କାର୍ଯ୍ୟକାରୀ ହୋଇ ନଥିଲା। ଏବେ ଶ୍ରୀମନ୍ଦିର ସଂସ୍କାର ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ବେଳେ ସେବାୟତ ସଂଖ୍ୟା ହ୍ରାସ ପାଇଁ ଯୁକ୍ତି ଉଠିଥିଲା। ଏହାକୁ ନେଇ ବାଦବିବାଦ ଥିବା ବେଳେ ଆସନ୍ତା ୩୦ ତାରିଖ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣୀ କରାଯିବ। ଏପରି ସ୍ଥିତିରେ ଶ୍ରୀମନ୍ଦିର ପ୍ରଶାସନ ଠାକୁରଙ୍କ ସେବା ପୂଜା ପାଇଁ ଦୈନନ୍ଦିନ ଆବଶ୍ୟକ ସେବକଙ୍କ ସଂଖ୍ୟା ସୁପ୍ରିମକୋର୍ଟରେ ଜଣାଇବା ବେଶ ଚର୍ଚ୍ଚାର ବିଷୟ ହୋଇଛି।/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/12/jagannath-temple-puri.jpg)