ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଦର୍ଶନ ଉପରେ ଲାଗିଲା କଟକଣା । ଛତିଶା ନିଯୋଗ ବୈଠକ ପରେ ପ୍ରଶାସନର ନିଷ୍ପତ୍ତି । ଡିସେମ୍ବର ୨ୟ କିମ୍ବା ୩ୟ ସପ୍ତାହରେ ଶ୍ରୀମନ୍ଦିର ଖୋଲିବାକୁ ଯୋଜନା ।

450

କନକ ବ୍ୟୁରୋ: ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦର୍ଶନ ମନା । ରୀତି ନୀତି ଅନୁସାରେ ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ କରାଯିବ । ସେବାୟତଙ୍କୁ ଛାଡି ଦେଲେ କେହି ମନ୍ଦିର ଭିତର ପ୍ରବେଶ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଛତିଶା ନିଯୋଗ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ସର୍ବସାଧାରଣଙ୍କୁ ନାଗାର୍ଜୁନ ବେଶ ଦର୍ଶନ ମନା
ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ ଜନସାଧାରଣ
ଅନଲାଇନ ଦର୍ଶନ ବ୍ୟବସ୍ଥା ବନ୍ଦ
ପତିତପାବନଙ୍କୁ ନାଗାର୍ଜୁନ ବେଶର ଦର୍ଶନ କରିପାରିବେ ନାହିଁ ଭକ୍ତ
ସେବାୟତମାନେ ମୋବାଇଲ ନେଇ ମନ୍ଦିର ଭିତରକୁ ଯାଇପାରିବେ ନାହିଁ

ସେପଟେ ସୁପ୍ରିମକୋର୍ଟରେ ଭକ୍ତଙ୍କୁ ନାଗାର୍ଜୁନ ବେଶ ଦର୍ଶନର ସୁଯୋଗ ଦେବା ଦାବିରେ ମାମଲା ରୁଜୁ କରିଛି ଜଗନ୍ନାଥ ସଂସ୍କୃତି ଜନ ଜାଗରଣ ମଂଚ । ଏପଟେ ବିଧାନସଭାରେ ମଧ୍ୟ ଉଠିଛି ମନ୍ଦିର ଖୋଲିବା ପ୍ରସଙ୍ଗ । ମନ୍ଦିର ଖୋଲିବାକୁ ବାଚସ୍ପତିଙ୍କୁ ହାତ ଯୋଡି ଗୁହାରି କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମନ୍ଦିର ଖୋଲିବା ପ୍ରସଙ୍ଗରେ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି । ସେହିପରି ଖଣ୍ଡପଡା ବିଧାୟକ ଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କାହିଁକି କରାଯିବ ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ।

ନୂଆବର୍ଷ ପୂର୍ବରୁ ଖୋଲିବ ଶ୍ରୀମନ୍ଦିର ! କାଳିଆ ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ । କରୋନା ମହାମାରୀ ଯୋଗୁ ଗତ ୮ ମାସ ହେବ ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ପୁରୀ ଶ୍ରୀମନ୍ଦିର ନୂଆବର୍ଷ ପୂର୍ବରୁ ଖୋଲିବ । ଡିସେମ୍ବର ଦ୍ୱିତୀୟ କି ତୃତୀୟ ସପ୍ତାହରେ ଶ୍ରୀମନ୍ଦିର ଖୋଲିବା ନେଇ ଛତିଶା ନିଯୋଗ ବୈଠକରେ ଆଲୋଚନା ହୋଇଛି । କଟକଣା ଯୋଗୁଁ ଏବେ ଭକ୍ତମାନେ କେବଳ ପତିତ ପାବନ ଦର୍ଶନ କରି ଫେରୁଛନ୍ତି । ମହାମାରୀ କାଳରେ ହେଉଥିବା ଶ୍ରୀଜୀଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦର୍ଶନ ପ୍ରଶାସନ ବାରଣ କରିବା ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିବ ଏଥିରେ ସନ୍ଦେହ ନାହିଁ ।