ପନିପରିବା ଆଗରେ ଫିକା ପଡିଲା ଶ୍ରାବଣ ଛତୁ । ଦର ଆକାଶ ଛୁଆଁ ଥିଲେ ବି ଛତୁ କିଣିବାକୁ ଲୋକଙ୍କ ଲାଗିଛି ଭିଡ

1,129

କନକ ବ୍ୟୁରୋ : ଜୟପୁର ବଜାରରେ ଏବେ ଶ୍ରାବଣ ଛତୁର ପସରା । ଦର ଆକାଶ ଛୁଆଁ ଥିଲେ ବି ଏହାକୁ ଖାତିର ନ କରି କିଣିବାକୁ ଲାଗିଛି ଗ୍ରାହକଙ୍କ ଭିଡ଼ । ବର୍ଷର ଭାଦ୍ରବ ଓ ଅଶ୍ୱୀନ ଏହି ଦୁଇ ମାସରେ ହିଁ ଏହି ଛତୁ ମିଳୁଥିବାରୁ ନିରାମିଷ ଲୋକଙ୍କ  ପାଇଁ ଏବେ ପାଲଟିଛି ପ୍ରଥମ ପସନ୍ଦ ।

ପନିପରିବାର ଚଢ଼ା ଦର ଏବେ ଫିକା ପଡ଼ିଯାଇଛି ଶ୍ରାବଣ ଛତୁ ଆଗରେ  । କାରଣ ବଜାରର  ସବୁ କୋଣରେ ଏବେ ଶ୍ରାବଣ ଛତୁର ପସରା । ଫୁଟିଲା ଠାରୁ ଆରମ୍ବ କରି କଢ଼ ପର୍ଯ୍ୟନ୍ତ, ବଜାରରେ ଏହି ଶ୍ରାବଣ ଛତୁ ନେବାକୁ ଜମୁଛି ଲୋକଙ୍କ ଭିଡ ।  କିଲୋ ପିଛା କଢ଼ ଛତୁ ୬୦୦ ଟଙ୍କାରେ ବିକ୍ରୀ ହେଉଥିବା ବେଳେ ଫୁଟିବା ଛତୁ କିଲୋ ପିଛା ରହିଛି ଦର ୪୦୦ ଟଙ୍କା । ଚଳିତ ବର୍ଷ ଲଗାଣ ବର୍ଷା ଯୋଗୁଁ ବଜାରକୁ ଛତୁ କମ୍ ପରିମାଣରେ ଆସିଥିଲା । ବର୍ଷା କମିବା ପରେ ପ୍ରଚୁର ପରିମାଣରେ ବଜାରକୁ ଆସୁଛି ଛତୁ । ପୁର୍ବରୁ କିଲୋ ପିଛା ୧୬୦୦ ଟଙ୍କାରେ ବିକ୍ରୀ ହେଉଥିଲା, ଏବେ ଦର ଖସି ଆସି କିଲୋ ପିଛା ୬୦୦ ଟଙ୍କାରେ ହେଉଛି ବିକ୍ରୀ ।

ଦର ଅଧିକା ରହିଲେ ମଧ୍ୟ ଏହା ଅଧିକ ସ୍ୱାଦିଷ୍ଟ । ବଡ କଥା  ହେଉଛି ଏହାକୁ ଚାଷ କରାଯାଏ ନାହିଁ ବରଂ ଜଙ୍ଗଲରୁ ସଂଗ୍ରହ ହୋଇଥାଏ । ବର୍ଷା ସହ ଘଡ଼ ଘଡ଼ି ମାରିଲେ  ଶ୍ରାବଣ ଛତୁ ପ୍ରଚୁର ଫୁଟିଥାଏ । ସ୍ଥାନୀୟ ଆଦିବାସୀ ଦିନ ମଜୁରିଆ ଜଙ୍ଗଲରୁ ସଂଗ୍ରହ  କରି ବଜାର କୁ ବିକ୍ରୀ କରିବାକୁ ଆଣିଥାନ୍ତି । ବିଶେଷ କରି ଛୋଟ ବ୍ୟବସାୟୀ ଓ ଦିନ ମଜୁରିଆ ଯେଉଁମାନଙ୍କୁ  କରୋନା ବିଷେଶ ପ୍ରଭାବିତ କରିଛି  ଏହି ଛତୁ ସେମାନଙ୍କୁ ଦେଉଛି ଭଲ ରୋଜଗାର । ଛୋଟ ବ୍ୟବସାୟୀ ପ୍ରତିଦିନ ୭ ରୁ ୮ ହଜାର ଟଙ୍କାର ଛତୁ ବିକ୍ରୀ କରୁଛନ୍ତି ।   ଗତ ୨ ମାସରେ ୭୦ ରୁ ୮୦ ହଜାର ଟଙ୍କାର ଛତୁ ବିକ୍ରୀ କରିଛନ୍ତି, କିଲୋ ପିଛା ବର୍ତମାନ ୪୦୦ ଟଙ୍କାରେ କିଣି ୬୦୦ ଟଙ୍କାରେ ବିକ୍ରୀ କରୁଛୁ ,ଭଲ ବ୍ୟବସାୟ ହେଉଛି ବୋଲି ମହିଳା ବ୍ୟବସାୟୀ କହିଛନ୍ତି ।

ଏହି ଛତୁରେ ପ୍ରଚୁର ପରିମାଣର  ଭିଟାମିନ ରହିଛି । ବର୍ଷକୁ ଥରେ ଏହି ସମୟରେ ମିଳିଥିବାରୁ ଏହାର ଚାହିଦା ଅଧିକା । ଏହାକୁ ବିଭିନ୍ନ ଢ଼ଙ୍ଗରେ ରୋଷେଇ କରିହୁଏ । ବର୍ତମାନ କରୋନା କଟକଣାରେ ପନିପରିବା ଦର  ଆକାଶ ଛୁଆଁ ରହିଥିବା ବେଳେ  ପରିବା ଛାଡ଼ି ଛତୁ କିଣି ନେବା ଭଲ । ମାସଂ ଖାଇଲେ ଯେତିକି ସ୍ୱାଦ ଲାଗିବ ତାଠାରୁ ଅଧିକା ଏହି ଶ୍ରାବଣ ଛତୁର ସ୍ୱାଦ ରହିଛି । ତେଣୁ ପରିବା ବଜାରରେ ଭିଡ଼ କମ ରହିଥିବା ବେଳେ ଛତୁ ବ୍ୟବସାୟଙ୍କ ପାଖରେ ଅଧିକା ଭିଡ ଦେଖିବାକୁ ମିଳୁଛି ।