ଶ୍ରଦ୍ଧା ହତ୍ୟାକାଣ୍ଡରେ ଗୃହମନ୍ତ୍ରୀଙ୍କ ପ୍ରତିକ୍ରିୟା । ସେପଟେ ଅଫତାବର ଚାଲିଛି ପଲିଗ୍ରାଫ ଟେଷ୍ଟ

113

କନକ ବ୍ୟୁରୋ : ଶ୍ରଦ୍ଧା ୱାଲକର ହତ୍ୟା ମାମଲାରେ ଗୁରୁବାର ମାଷ୍ଟରମାଇଣ୍ଡ ଅଫତାବର ହୋଇଛି ପଲିଗ୍ରାଫ ଟେଷ୍ଟ । ସୋମବାର ସକାଳୁ ଅପରାଧୀ ଅଫତାବକୁ ନେଇ ଦିଲ୍ଲୀ ପୁଲିସ ରୋହିଣୀ ଏଫଏସଏଲ ସେଂଟରରେ ପହଁଚିଥିଲା । କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଅଫତାବକୁ ପଲିଗ୍ରାଫ ଟେଷ୍ଟ ପାଇଁ ଅଣାଯାଇଥିଲା । ବୁଧବାର ଟେଷ୍ଟ ପାଇଁ ଯୋଜନା କରାଯାଇଥିଲେ ବି ଅସୁସ୍ଥତାକୁ ଯୋଗୁଁ ଅଫତାବର ପଲିଗ୍ରାଫ ଟେଷ୍ଟ ହୋଇପାରିନଥିଲା । ଜ୍ୱର ଓ ଥଣ୍ଡା ହୋଇଥିବା ଯୋଗୁଁ ଅଫତାବ ପଲିଗ୍ରାଫ ଟେଷ୍ଟ ହୋଇପାରିନଥିବା ଏଫଏସଏଲ ବିଶେଷଜ୍ଞମାନେ କହିଥିଲେ । ସେପଟେ ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ଦିଲ୍ଲୀ ପୁଲିସ ଅଫତାବକୁ ଘନ ଘନ ଜେରା କରୁଛି ।

ପୁଲିସ କହିଛି ଅପରାଧୀର ବୟାନରେ ତାଳମେଳ ଖାଉନି । ଅଫତାବ ଜେରାରେ ସହଯୋଗ କରୁନି । ତେଣୁ ଦିଲ୍ଲୀ ସାକେତ କୋର୍ଟରେ ଅଫତାବର ରିମାଣ୍ଡ ଅବଧି ବୃଦ୍ଧି, ନାର୍କୋ ଏବଂ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ମାଗିଥିଲା ଦିଲ୍ଲୀ ପୁଲିସ । ଅନୁମତି ମିିଳିବା ପରେ ଟେଷ୍ଟ ପ୍ରକିୟା ଆରମ୍ଭ ହୋଇଛି । ସେପଟେ ଅଫତାବର ବୟାନ ଆଧାରରେ ଦିଲ୍ଲୀ ଓ ମୁମ୍ବାଇ ପୁଲିସର ମିଳିତ ଟିମ ଦିଲ୍ଲୀ, ମୁମ୍ବାଇ, ହରିଆଣା, ହିମାଚଳ, ଉତରାଖଣ୍ଡରେ ଜୋରଦାର ଯାଂଚ କରୁଛି । ଏଥିପାଇଁ ମୋଟ ୧୪ଟିମ ଗଠନ କରାଯାଇଛି । ଜେରା ସମୟରେ ଅଫତାବ ହତ୍ୟା ମାମଲାକୁ ନେଇ ଗୋଟେ ପଟେ ଗୋଟେ ଚାଂଚଲ୍ୟକର ଖୁଲାସା କରୁଛି । ଶ୍ରଦ୍ଧାଙ୍କ ସହ କେମିତି ତାର ସମ୍ପର୍କ ଯୋଡି ହୋଇଥିଲା? ମେ ୧୮ରେ କାହିଁକି ଓ କେମତି ହତ୍ୟା କରିଥିଲା? ହତ୍ୟା ପରେ କିଭଳି ଶ୍ରଦ୍ଧାଙ୍କୁ ଶବକୁ ଖଣ୍ଡଖଣ୍ଡ କାଟି ଏତେତେଣେ ଫିଙ୍ଗିଥିଲା? ଏହି ସବୁ କଥାର ଖୁଲାସା କରୁଛି ଅଫତାବ । ତେବେ ଅପରାଧୀର ବୟାନରେ କେତେଦୂର ସତ୍ୟତା ରହିଛି ଏନେଇ ଖୋଲତାଡ କରିବା ସହ ନାର୍କୋ ଓ ପଲିଗ୍ରାଫ ଟେଷ୍ଟର ସାହାର ନେଇଛି ପୁଲିସ ।

ଅନ୍ୟପଟେ ଏହି ମାମଲାରେ ଆଜି ପ୍ରଥମଥର ମୁହଁ ଖୋଲିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଗୃହମନ୍ତ୍ରୀ କହିଛନ୍ତି କି, ଏହା ଏକ ଜଘନ୍ୟ କାଣ୍ଡ । ଏଥିରେ ସଂପୃକ୍ତ ଥିବା ଅଫତାବକୁ କଠୋର ଦଣ୍ଡ ମିଳିବା ଆବଶ୍ୟକ ।