କନକ ବ୍ୟୁରୋ : ବହୁଚର୍ଚ୍ଚିତ କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ଘଟଣାରେ ସାଲେପୁର ଜେଏମଏଫସି ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ, ସେନେଇ କାରଣ ଦର୍ଶାଇବା ପାଇଁ ଥାନା ଅଧିକାରୀ ନିହାର ମହାନ୍ତିଙ୍କୁ ଜଣାଇବାକୁ ନୋଟିସ୍ ହୋଇଛି। ଆଇଆଇସିଙ୍କୁ ଆସନ୍ତା ୧୦ ତାରିଖ ମଧ୍ୟରେ ଜବାବ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ବି ଆଇଆଇସି ନିହାର ମହାନ୍ତି ଡିସେମ୍ବର ୩ ତାରିଖରେ ବ୍ୟକ୍ତିଗତ ହାଜର ସତ୍ତ୍ବେ ସମୟ ନେଇଥିଲେ। ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ନଦେଇ ଆଇଆଇସି ବାରମ୍ବାର ସମୟ ଗଡ଼ାଇ ଚାଲିଥିଲେ।
ଶୁକ୍ରବାର ଦିନ ଥାନା ଆଇଆଇସି ତଥା ତଦନ୍ତକାରୀ ଅଧିକାରୀ ନିହାର ରଞ୍ଜନ ମହାନ୍ତି କୋର୍ଟରେ ହାଜର ନହୋଇ ନିଜେ ଏକ ଆବେଦନ ମାଧ୍ୟମରେ ଅଦାଲତଙ୍କୁ ଅବଗତ କରାଇଛନ୍ତି ଯେ, ଏହି ଘଟଣା ରାଜ୍ୟସ୍ତରକୁ ଯାଇଛି, ରାଜ୍ୟସ୍ତରରେ ଆଲୋଚନା ହେବା ପରେ କେସ୍ ଡାଏରି ଦାଖଲ କରାଯିବ। ଆବେଦନରେ ଉଲ୍ଲେଖ ରହିଥିଲା, ଏଥିପାଇଁ ତାଙ୍କୁ ଅଧିକ ମହଲତ ପ୍ରଦାନ କରାଯାଉ। ତଥା ତା’ ପୂର୍ବରୁ ବ୍ୟକ୍ତିଗତ ହାଜିରାରୁ ତାଙ୍କୁ ଛାଡ଼ କରାଯାଉ। ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟରଙ୍କ ମାଧ୍ୟମରେ ମାମଲାରେ ପକ୍ଷ ରଖିବାକୁ ତାଙ୍କୁ ଅନୁମତି ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା। ଏ ନେଇ ଏତଲାକାରୀ ରମାକାନ୍ତ ବରାଳଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ପ୍ରବୀଣ କାନୁନଗୋ ସୂଚନା ଦେଇଛନ୍ତି।
ଡବଲ ମର୍ଡର ଘଟଣାକୁ ୨୦୨୨, ଜାନୁଆରି ୨ତାରିଖରେ ଏକ ବର୍ଷ ପୂରିବ। ଏଭଳି ଏକ ସମ୍ବେଦନଶୀଳ ମାମଲାରେ ନା ତଦନ୍ତର ସାନି ସ୍ଥିତିକୁ ନେଇ ପୁଲିସ ଅଦାଲତଙ୍କୁ ଅବଗତ କରୁଛି ନା ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ସିଡିଆର୍ ଦାଖଲ କରୁଛି ନା କୋର୍ଟଙ୍କ ବ୍ୟକ୍ତିଗତ ହାଜର ହେବା ନୋଟିସ୍କୁ ପୁଲିସ ମାନୁଛି। ବରଂ ବାରମ୍ବାର ସମୟ ମାଗୁଛି। ଯାଫଳରେ ଏଭଳି ଏକ ସମ୍ବେଦନଶୀଳ ଘଟଣାର ତଦନ୍ତ କେମିତି ଚାଲିଛି ତାକୁ ନେଇ ସବୁ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି।
ସୂଚନା ଅନୁଯାୟୀ, ପୁଲିସ ତଦନ୍ତ ପ୍ରକ୍ରିୟାକୁ ନେଇ ବିଭିନ୍ନ ସମୟରେ କୋର୍ଟ କ୍ଷୁବ୍ଧ ହୋଇଥିବା ବେଳେ ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ନଭେମ୍ବର ୨୯ ତାରିଖ ସୁଦ୍ଧା କୋର୍ଟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ, ସାନି କେସ୍ ଡାଏରି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପୁଲିସ ଉକ୍ତ ଦିନ ଏହି ମାମଲାରେ ଅଧିକ ଏକ ମାସ ସମୟ ଦରକାର ବୋଲି ଟାଇମ୍ ପିଟିସନ୍ ଦାଖଲ କରିଥିଲା। ସେହିଦିନ ବିଚାରପତି ଅନୁପସ୍ଥିତ ଥିବାରୁ ମାମଲାର ଶୁଣାଣି ହୋଇ ପାରି ନଥିଲା।
୨୦୨୧ ଜାନୁଆରି ୨ ତାରିଖରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାରେ ବାପି ବିଶ୍ବାଳ, ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ ଏବଂ ପ୍ରାଣ ହରାଇଥିବା ଅନ୍ୟତମ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ତଥ୍ୟ (ସିଡିଆର୍) ସଂଗ୍ରହ କରି ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଡିସେମ୍ବର ୨୦୨୦ରୁ ଫେବ୍ରୁଆରି ୨୦୨୧ ପର୍ଯ୍ୟନ୍ତ ଉକ୍ତ ୩ଜଣଙ୍କ ସମେତ ମାମଲାର ପ୍ରମୁଖ ସାକ୍ଷୀ ଓ ସମସ୍ତ ଅଭିଯୁକ୍ତଙ୍କ ସିଡିଆର ସଂଗ୍ରହ କରି ସଂରକ୍ଷିତ ରଖିବା ପାଇଁ କୋର୍ଟ ମାହାଙ୍ଗା ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜାନୁଆରି ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାରର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସଂପର୍କୀୟ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଭିତ୍ତି କରି ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ କରାଯାଇଥିବାବେଳେ, ଏହି ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ଏପରିକି ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ମାମଲା ହୋଇଥିଲା । ତେବେ ପୁଲିସ ଚାର୍ଜସିଟ୍ ଦାଖଲ ବେଳେ ମନ୍ତ୍ରୀଙ୍କ ନାଁକୁ କାଟି ଦେଇଥିବା ନେଇ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ କୋର୍ଟରେ ପ୍ରୋଟେଷ୍ଟ ପିଟିସନ୍ କରିଥିଲେ। ମନ୍ତ୍ରୀ ପ୍ରତାପ ଜେନାଙ୍କର ଏହି ହତ୍ୟା ଷଡ଼ଯନ୍ତ୍ର ପଛରେ ହାତ ରହିଛି ଏବଂ ବାପି ବିଶ୍ବାଳ ଓ ମାହାଙ୍ଗା ବ୍ଲକ୍ ଅଧ୍ୟକ୍ଷ ଶରତ ନାୟକ ମନ୍ତ୍ରୀଙ୍କ ଘନିଷ୍ଠ ହୋଇଥିବା ବେଳେ ମୃତ ପ୍ରଫୁଲ୍ଲ ବିଶ୍ବାଳଙ୍କ ସିଡିଆର ଯାଞ୍ଚରୁ ତଥ୍ୟ ସାମନାକୁ ଆସିବ ବୋଲି ରମାକାନ୍ତ କୋର୍ଟରେ ଆବେଦନ କରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/7-5.jpg)