କନକ ବ୍ୟୁରୋ: ବାହୁଡ଼ା ଯାତ୍ରାରେ ମା’ ସୁଭଦ୍ରାଙ୍କ ରଥ ଉପରେ ଅଣସେବାୟତ ଚଢିବା ମାମଲାରେ ଶ୍ରୀମନ୍ଦିର ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ୭ ଦିନ ଭିତରେ ସନ୍ତୋଷଜନକ ଉତ୍ତର ଦେଇନପାରିଲେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ତାଗିଦ କରାଯାଇଛି । ଏହାସହ ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ନହେବା ଯାଏଁ ସମ୍ପୃକ୍ତ ସେବକଙ୍କ ପ୍ରାପ୍ୟ, ପାଉଣା ସ୍ଥଗିତ ରଖିବାକୁ ମଧ୍ୟ ଦଇତାପତି ନିଯୋଗ ସମ୍ପାଦକଙ୍କୁ ଜଣାଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ ।
ଅଣଅଧିକୃତ ବ୍ୟକ୍ତି କାହିଁକି ମା’ ସୁଭଦ୍ରାଙ୍କ ରଥ ଉପରେ ଚଢିଥିଲେ ? କିଏ ତାଙ୍କୁ ଚଢ଼ିବାକୁ ଅନୁମତି ଦେଇଥିଲେ ? ଯଦି ଅନୁମତି ଦେଇଥିଲେ କାହିଁକି ଅନୁମତି ଦେଇଥିଲେ? ଅଣଅଧିକୃତ ବ୍ୟକ୍ତି ରଥ ଉପରେ ଚଢ଼ିଥିବାବେଳେ ଅନ୍ୟ ସେବାୟତମାନେ କାହିଁକି ବିରୋଧ କରିନଥିଲେ ? ଏସବୁ ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର ଦେଇନପାରିଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ଶ୍ରୀମନ୍ଦିର ପ୍ରଶାସନ । ସମ୍ପୃକ୍ତ ଅନଧିକୃତ ବ୍ୟକ୍ତିଙ୍କୁ ମୁଖ୍ୟ ପ୍ରଶାସକ ନିଜେ ରଥରୁ ଓହ୍ଲାଇବା ସହ ତାଙ୍କଠାରୁ ପାସ୍ ଜବତ କରିଥିଲେ । ଜଣେ ଦଇତାପତି ସେବକ ସେହି ପାସ୍ ଦେଇଥିବା ଜଣାପଡିଥିଲା।