ପବଜି ପ୍ରେମୀଙ୍କ ପାଇଁ ବଡ ଖବର: ଦ୍ୱନ୍ଦ୍ୱ ବଢାଉଛି ଚାଇନିଜ୍ ଆପ…ଆପଣଙ୍କ ସ୍ମାର୍ଟଫୋନରେ ରାଜ୍ କରୁଥିବା ‘ପବଜି ମୋବାଇଲ’ ବାସ୍ତବରେ ସାଉଥ୍ କୋରିଆର ନା ଚାଇନା ଆପ୍ ସତ କଣ ଜାଣନ୍ତୁ

761

କନକ ବ୍ୟୁରୋ: ଭାରତ ଏବଂ ଚୀନ ସୀମାରେ ଜାରି ରହିଥିବା ଉତେଜନା କାରଣରୁ ଭାରତୀୟ ବଜାରରେ ବର୍ତ୍ତମାନ ଚାଇନା ପ୍ରଡକ୍ଟଗୁଡିକୁ ବୟକଟ୍ କରାଯାଉଛି । ତେବେ ଏହି ବହିଷ୍କାରର ପ୍ରଭାବ ମୋବାଇଲ ଫୋନରେ ନଜର ଆସୁଥିବା ଆପଗୁଡିକ ଉପରେ ମଧ୍ୟ ଦେଖାଦେଇଛି ।  ଲୋକେ ଚୀନ କଂପାନୀମାନଙ୍କ ଦ୍ୱାରା ବିକଶିତ ହୋଇଥିବା ଆପଗୁଡିକୁ ଖୋଜି ଖୋଜି ନିଜ ଫୋନକୁ ତୁରନ୍ତ ହଟାଇ ଦେଉଛନ୍ତି ।  ଏପରିକି ଭାରତରେ ଟିକଟକ ଆପର ଲୋକପ୍ରିୟତା ସବୁଠାରୁ ଅଧିକ ଥିବା ସତ୍ୱେ ବି ଲୋକେ ଏହାକୁ ଚୀନ ଆପ୍ କାରଣରୁ ମୋବାଇଲରୁ ଅନଇନଷ୍ଟଲ କରିଦେଉଛନ୍ତିି । ତେବେ ଏଭଳି ପରିସ୍ଥିତିରେ ପବଜି ଗେମକୁ ନେଇ ମଧ୍ୟ ୟୁଜର୍ସ ଅନେକ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି ।  ମନରୋଂଜନର ମାଧ୍ୟମ ସାଜିଥିବା ପବଜି ଗେମର ନିର୍ମାତା କିଏ ଏବଂ ଏହି ଗେମ୍ ସହ ଚୀନର କୌଣସି ସଂପର୍କ ରହିଛି କି ନାହିଁ । ଏଭଳି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଙ୍କି ମାରିଛି ।

ସତରେ କଣ ପବଜି ଗେମ୍ ଏକ ଚାଇନିଜ ଆପ୍ ? ତେବେ ପବଜି ତଥା ପ୍ଲେୟର ଅନନୋନ ବ୍ୟାଟେଲ ଗ୍ରାଉଣ୍ଡ ଗେମ୍ ଏକ ବ୍ୟାଟେଲ ରୟାଲ ଗେମ୍ ଯାହାକୁ ୨୦୧୭ରେ ଡେସଷ୍ଟପ ପାଇଁ ଲଂଚ କରାଯାଇଥିଲା ତେବେ ଲଂଚର କିଛି ସମୟ ପରେ ହିଁ ପବଜି ସାରା ବିଶ୍ୱରେ ଫେମସ ଗେମଗୁଡିକ ମଧ୍ୟରେ ସାମିଲ ହୋଇଗଲା । ଏହି ଖେଳରେ ୧୦୦ ପ୍ଲେୟର ପରସ୍ପର ସହ ଲଢେଇ କରନ୍ତି ଏବଂ ଶେଷରେ ଯିଏ ଏହି ଲଢେଇରେ ଜିତିଲା ସେ ପବଜିରେ ଚିକେନ ଡିନର କରିଥାଏ । ତେବେ ଏହି ଗେମକୁ ପିସି ପାଇଁ ପବଜି କର୍ପୋରେସନ ଦ୍ୱାରା ତିଆରି କରାଯାଇଥିଲା, ଯିଏ କି କୋରିଆନ ଗେମ୍ କଂପାନୀ ବ୍ଲୁହୋଲ୍ର ସବସିଡରୀ ।  କୋରିଆନ କଂପାନୀ ଚୀନର ବଡ ଗେମିଂ କଂପାନୀ ଟେନସେଂଟଙ୍କ ସହ ହାତ ମିଳାଇ ଥିଲେ । ଅର୍ଥାତ୍ ସାଉଥ୍ କୋରିଆନ କଂପାନୀ ବ୍ଲୁହୋଲରେ ଚୀନ ନିର୍ମାତା ଟେନସେଂଟଙ୍କର ପ୍ରାୟ ୧୦ ପ୍ରତିଶତ ସେୟାର ରହିଛି , ଯିଏକି ପବଜିର ମୋବାଇଲ ଭର୍ସନ ଲଂଚ କରିଥିଲେ ।

ହେଲେ ଚୀନ ସରକାର ଏହାକୁ ହିଂସକ ତଥା ସଂସ୍କୃତି ବିରୁଦ୍ଧର ଆଖ୍ୟା ଦେଇ ପବଜିକୁ ବନ୍ଦ କରିଦେଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଟେନସେଂଟ ପବଜି ଲଭର୍ସଙ୍କ ପାଇଁ ଗେମ୍ ଫର ଫିସ୍ ପ୍ରସ୍ତୁତ କରିଥିଲେ ।  ତେବେ ପବଜି ମୋବାଇଲର ଏହି କ୍ଲୋନ ଭର୍ସନର ଥିମ୍ ରଖାଯାଇଥିଲା ଦେଶ ଭକ୍ତି ତଥା ପେଟ୍ରୋଓଟିକ୍ ଗେମ  । ଯାହାକୁ ଆପଣ ପବଜିର ଚାଇନିଜ ଭର୍ସନ ବୋଲି କହିପାରିବେ ।

ଚାଇନିଜ ଆପ୍ ପବଜି ମୋବାଇଲ?

ଆଜ୍ଞା ହଁ! ପବଜିର ମୋବାଇଲ ଭର୍ସନକୁ ଚୀନ କଂପାନୀ ଟେନସେଂଟ ଡେଭଲପ କରିଛନ୍ତି । ଯଦି ଏଦୃଷ୍ଟିରୁ ଦେଖାଯାଏ ତେବେ ପବଜି ମୋବାଇଲକୁ ବି ଏକ ଚାଇନିଜ ଆପ କୁହାଯାଇପାରେ ।  ଯଦିଓ ପବିଜର ମୂଳ ଦେଶ ଚୀନ ନୁହେଁ ତେବେ ବାସ୍ତବରେ ପବଜିକୁ କୋରିଆର ଗେମିଂ କଂପାନୀ ବ୍ଲୁହୋଲ ନିର୍ମାଣ କରିଛି  । ତେବେ ଭାରତରେ ପବଜିର ଲୋକପ୍ରିୟତା ସବଠୁ ଅଧିକ ।  ଏକ ରିପୋର୍ଟରେ ଜଣାପଡିଛି ଯେ, ଲକଡାଉନ ସମୟରେ କେବଳ ମେ ମାସରେ ୨୨ ଲକ୍ଷ ଲୋକ ପବଜି ଖେଳିଛନ୍ତି ଆଉ ଏହି ଗେମକୁ ୧୦ କୋଟିରୁ ଅଧିକ ଥର ଡାଉନଲୋଡ କରାଯାଇସାରିଛି । ତେବେ ଦେଶ ବ୍ୟାପୀ ଚାଇନା ବିରୁଦ୍ଧ ଜାରିରହିଥିବା ବିଦ୍ରୋହ ପରେ ଲୋକେ ଯେଉଁଠି ଟିକଟକ ଭଳି ଅନେକ ଲୋକପ୍ରିୟ ଆପକୁ ଅନଇନଷ୍ଟଲ କରିବାକୁ ପଛଘୁଂଚା ଦେଉନଥିବା ବେଳେ ସେଠି ପବଜିକୁ ନେଇ କିନ୍ତୁ ୟୁଜର୍ସଙ୍କ ଲୋକଙ୍କ ମନରେ ଅନେକ ଭ୍ରମ ସୃଷ୍ଟି ହୋଇଛି । ତେବେ ପବଜିକୁ ସାଉଥ୍ କୋରିଆ କଂପାନୀ ଭାବି ଛାଡି ଦେବେ ନା ଚୀନ କଂପାନୀ ଭାବି ନିଜ ମୋବାଇଲରୁ ହଟାଇବେ ତାହା ଏବେ ଆପଣଙ୍କ ନିଷ୍ପତି ଉପରେ ନିର୍ଭର କରୁଛି ।