ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ନେଇ ବଢୁଛି ବିବାଦ । ଇସ୍ତଫା ଦାବି କରୁଛନ୍ତି ବିରୋଧୀ । ଆପଣଙ୍କ ମତ କ’ଣ, ଇସ୍ତଫା ଦେବା ଉଚିତ୍ କି ?

381

କନକ ବ୍ୟୁରୋ : କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ନବୀନ ସରକାରଙ୍କ ଏହି ପାୱାରଫୁଲ୍ ମନ୍ତ୍ରୀଙ୍କୁ ନେଇ ବଢୁଛି ବିବାଦ । ମମିତା ମେହେର ମୃତ୍ୟୁ ମାମଲାରେ ବିବାଦର ଅଡୁଆ ସୂତାରେ ଛନ୍ଦି ହୋଇଛନ୍ତି ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ମମିତା ମେହେରଙ୍କୁ ହତ୍ୟା କରିଥିବା ଜଘନ୍ୟ ଅପରାଧୀ ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋରଧରିଛି । ବିରୋଧୀ ବିଜେପି ଓ କଂଗ୍ରେସ କହୁଛନ୍ତି, ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ଦିବ୍ୟଶଙ୍କର । ତେବେ ଆପଣଙ୍କ ମତ କ’ଣ ? ମନ୍ତ୍ରୀ ଇସ୍ତଫା ଦେବା ଉଚିତ୍ କି ?

ମମିତାଙ୍କ ହତ୍ୟା ମାମଲାକୁ ନେଇ ରାଜନୈତିକ ହଟଚମଟ ଜାରି ରହିଛି । ରାଜ୍ୟପାଳଙ୍କୁ ଅଲଗା ଅଲଗା ଭେଟିଛନ୍ତି ବିଜେପି ଓ କଂଗ୍ରେସର ପ୍ରତିନିଧି ଦଳ । ସରକାର ଅପରାଧୀଙ୍କୁ ଲୁଚାଉଛନ୍ତି । ଘଟଣା ପଛରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସାମିଲ ଥିବା ଦର୍ଶାଇ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ପାଇଁ ଦାବି କରିଛନ୍ତି ବିଜେପି ଓ କଂଗ୍ରେସ । ଏଥିପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

ସେହିପରି ମମିତା ମେହେର ମୃତ୍ୟୁ ଘଟଣାରେ ଦୁଇ ମନ୍ତ୍ରୀଙ୍କୁ ବହିଷ୍କାର ପାଇଁ ଜାତୀୟ ମହିଳା କମିଶନର ରେଖା ଶର୍ମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ସେ ଚିଠିରେ ଲେଖାଯାଇଛି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ପ୍ରତାପ ଜେନା ସ୍କୁଲକୁ ବାରମ୍ବାର ଯାଉଥିଲେ । ତେଣୁ ପୁଲିସର ତଦନ୍ତ ପ୍ରଭାବିତ ହୋଇପାରେ ଯଦି ଏମାନେ ମନ୍ତ୍ରୀ ପଦରେ ରହିବେ । ତେଣୁ ଦୁଇ ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ଜାତୀୟ ମହିଳା କମିଶନର ରେଖା ଶର୍ମା ଚିଠିରେ କହିଛନ୍ତି । ଏଥିସହ ଡିଜିପିଙ୍କୁ ମଧ୍ୟ ଚିଠି ଲେଖି ଏହି ମୃତ୍ୟୁ ମାମଲାରେ ନିରପେକ୍ଷ ତଦନ୍ତ କରିବାକୁ କହିଛନ୍ତି ରେଖା ଶର୍ମା । ମୁଖ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହିତ ପୀଡିତାଙ୍କ ପରିବାରକୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ରେଖା ଶର୍ମା କହିଛନ୍ତି ।