ସାରା ବିଶ୍ୱରେ ଟିକାର ଅଭାବ । ପ୍ରଭାବିତ ହେଉଛି ଡବ୍ଲ୍ୟୁଏଚଓର କୋଭାକ୍ସ କାର୍ଯ୍ୟକ୍ରମ, ୯୨ଟି ଦେଶକୁ ଟିକା ଯୋଗାଇବାରେ ବିଫଳ ହେଉଛି ସିରମ ଇନଷ୍ଟିଚ୍ୟୁଟ୍ ।

304

କନକ ବ୍ୟୁରୋ : ସାରା ବିଶ୍ୱର ଅନେକ ଦେଶରେ ଟିକାର ଅଭାବ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ଆରମ୍ଭ ହୋଇଥିବା କୋଭାକ୍ସ କାର୍ଯ୍ୟକ୍ରମ ଜରିଆରେ ୯୨ଟି ଦେଶକୁ ଟିକାଯୋଗାଣ ଯୋଜନା ଏବେ ପ୍ରଭାବିତ ହୋଇଛି । ମୁଖ୍ୟତଃ ଏଥିପାଇଁ ସିରମ ଇନଷ୍ଟିଚ୍ୟୁଟ୍ ଉପରେ ନିର୍ଭର କରାଯାଉଥିବାବେଳେ ଏବେ ଅନ୍ୟ ଦେଶକୁ ଟିକା ଯୋଗାଣ ବନ୍ଦ ହୋଇଥିବାରୁ ସାରା ବିଶ୍ୱରେ ଟିକାର ଅଭାବ ଦେଖାଦେଇଛି ।

ବିଶ୍ୱର ଅନେକ ଦେଶରେ ଏବେ ଟିକାର ଅଭାବ ଦେଖାଦେଇଛି । ଫଳରେ ପ୍ରଭାବିତ ହୋଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କୋଭାକ୍ସ କାର୍ଯ୍ୟକ୍ରମ । କୋଭାକ୍ସ କାର୍ଯ୍ୟକ୍ରମ ମୁଖ୍ୟତଃ ସେରମ ଇନଷ୍ଟିଚ୍ୟୁଟ୍ ଉପରେ ନିର୍ଭରଶୀଳ । ଏପଟେ ଭାରତରେ ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଯୋଗୁଁ ଟୀକାକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ଯୋଗୁଁ ଅନ୍ୟ ଦେଶକୁ ଟିକାଯୋଗାଣ ବନ୍ଦ ହୋଇଛି । ଫଳରେ ବାଙ୍ଗଲାଦେଶ, ନେପାଳ ଓ ରୱାଣ୍ଡା ପରି ଦେଶରେ ଟିକାର ଘୋର ଅଭାବ ଦେଖାଦେଇଛି ।

ଗରିବ ତଥା ମଧ୍ୟମ ଓ କମ ଆୟର ଦେଶ ଗୁଡିକ ପାଇଁ ଡବ୍ଲ୍ୟୁଏଚଓ ଏହି କୋଭାକ୍ସ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି ୯୨ଟିଦେଶରେ ଟୀକାକରଣ ଯୋଜନା ପାଇଁ ସହାୟତାର ଆବଶ୍ୟକତା ରହିଛି ।

ଏପ୍ରିଲ ମାସଠାରୁ ଅନ୍ୟ ଦେଶକୁ ଟିକା ଯୋଗାଇବା ବନ୍ଦ କରିଛି ସେରମ୍ । ସେରମ ଇନଷ୍ଟିଚ୍ୟୁଟରୁ ଟିକାଯୋଗାଣ ବନ୍ଦ ହେବା ଯୋଗୁଁ ଏହି ଦେଶ ଗୁଡିକ ଅନେକ ପ୍ରଭାବିତ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି । ଗତ ବର୍ଷ ସେରମ ସିଇଓ ଅଦାର ପୁନାୱାଲା କହିଥିଲେ ଯେ, ମଧ୍ୟମ ଓ କମ ଆୟର ଦେଶ ଗୁଡିକ ପାଇଁ ୨୦୨୦ ଶେଷ ସୁଦ୍ଧା ୪ଶହ ମିଲିୟନ ଟିକା ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ୨୦୨୧ ଜାନୁଆରୀ ସୁଦ୍ଧା ୭୦ ମିଲିଅନ୍ ଡୋଜ ପ୍ରସ୍ତୁତ କରାଯାଇଥିବା ପୁନାବାଲା ସୂଚନା ଦେଇଥିଲେ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ ଆଫ୍ରିକୀୟ ଦେଶଗୁଡିକରେ ନିଜ ଜନସଂଖ୍ୟାର ୦.୫ ପ୍ରତିଶତ ଲୋକଙ୍କୁ ଟୀକାକରଣ କରାଯାଇଛି । ଏପିରିକି ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ଟୀକାକରଣ କରାଯାଇପାରିନାହିଁ । ଗରିବ ଦେଶଗୁଡିକରେ ଟୀକାକରଣ ବନ୍ଦ ହେବା ଯୋଗୁଁ ପୁଣି ଥରେ ମହାମାରୀର ଆଶଙ୍କା ବଢିଯିବ ଏବଂ ଏହା ପୁଣିଥରେ ସାରାବିଶ୍ୱ ପାଇଁ ଭୟାବହ ପରିସ୍ଥିତି ସୃଷ୍ଟି କରିପାରେ ।