କନକ ବ୍ୟୁରୋ : କମ ବର୍ଷା ବଢାଇଲା ଚିନ୍ତା । ଅଗଷ୍ଟ ଆରମ୍ଭରୁ ରାଜ୍ୟରେ ମୌସୁମୀ ବର୍ଷା ଦୁର୍ବଳ ରହିଛି । ମୌସୁମୀ ସିଜିନରେ ଚଳିତବର୍ଷ ବର୍ତମାନ ସୁଦ୍ଧା ଯେତିକି ବର୍ଷା ହେବା କଥା, ତାଠାରୁ ୨୮ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି । ୧୦ ଦିନ ହେବ ଓଡ଼ିଶାରେ ଆଖି ଦୃଶିଆ ବର୍ଷା ହୋଇନାହିଁ । ଅଗଷ୍ଟ ୧୫ ଯାଏଁ ରାଜ୍ୟରେ ବିଶେଷ ବର୍ଷା ନାହିଁ । ଅଗଷ୍ଟ ଶେଷ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି ।

Advertisment

ମୌସୁମୀ ଋତୁରେ ବର୍ଷା ଉଭାନ୍ । ରାଜ୍ୟକୁ ଘାରିଛି ମରୁଡି ଭୟ, ବର୍ତ୍ତମାନ ସୁଦ୍ଧା ସ୍ୱାଭାବିକଠାରୁ ୨୮% କମ୍ ବର୍ଷା । ଶ୍ରାବଣ ମାସରେ ବର୍ଷା ଗାଏବ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଯେତିକି ବର୍ଷା ହେବା କଥା ତାହା ନହେବା ଫଳରେ ଅଧିକାଂଶ ଅଞ୍ଚଳରେ ମରୁଡି ଆଶଙ୍କା ଦେଖାଦେଲାଣି । ୧ ଜୁନରୁ ଆଜି ଯାଏଁ ରାଜ୍ୟରେ ୪୮୪ ମିଲିମିଟର ବର୍ଷା ହୋଇଛି । ୧୦ ଦିନ ହେଲା ଓଡ଼ିଶାରେ ଆଖିଦୃଶିଆ ବର୍ଷା ହୋଇନାହିଁ ।

ରାଜ୍ୟରେ ୮ ଦିନରେ ପ୍ରାୟ ୭୫ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଚଳିତବର୍ଷ ବର୍ଷା ନହେବାର ଦୁଇଟି ମୁଖ୍ୟ କାରଣ ହେଲା, ଉତ୍ତର-ପଶ୍ଚିମ ପ୍ରଶାନ୍ତ ମହାସାଗରରେ ବାତ୍ୟା ପାଇଁ ଅନୁକୂଳ ସ୍ଥିତି ଅଛି । ଏହା ସହ ଜୁନ ପରଠାରୁ ଓଡିଶାକୁ ଆସିଥିବା ୫ଟି ଲଘୁଚାପ ବିଶେଷ ବର୍ଷା କରିନାହିଁ । ୨୦୦୨ ମସିହାରେ ଏଭଳି ସ୍ଥିତି ଉପୁଜିଥିଲା । ଗତବର୍ଷ ଏହି ସମୟରେ ପ୍ରବଳ ବର୍ଷା ରେକର୍ଡ ହୋଇଥିଲା, ଏ ବର୍ଷ ଶୁଖିଲା ପଡିଛି ରାଜ୍ୟ । ଯାଜପୁର, ଭଦ୍ରକ, ଗଜପତି ଓ ବଲାଙ୍ଗୀରରେ ବର୍ଷା ନହେବାରୁ ସ୍ଥିତି ଉତ୍କଟ ରହିଛି ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଅଗଷ୍ଟ ୧୫ ଯାଏଁ ବିଶେଷ ବର୍ଷା ନାହିଁ । ଶେଷ ସପ୍ତାହରେ ଲଘୁଚାପ ସମ୍ଭାବନା ଥିବାରୁ ବର୍ଷାର ଆକଳନ କରାଯାଇଛି । ୫ ବର୍ଷର ବର୍ଷାର ପରିମାଣକୁ ଆକଳନ କଲେ ଏବର୍ଷ ସ୍ଥିତି ଖରାପ ଅଛି । ରାଜ୍ୟରେ ୨୦୧୬ରେ ୧୦୧୩ ମିଲିମିଟର ବର୍ଷା ହୋଇଥିବାବେଳେ ୨୦୧୭ରେ ୧୦୫୩ ମିଲିମିଟର, ୨୦୧୮ରେ ୧୨୯୦, ୨୦୧୯ରେ ୧୨୩୩ ମିଲିମିଟର ଓ ୨୦୨୦ ମସିହାରେ ୧୧୫୦ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା । ରାଜ୍ୟରେ ମୌସୁମୀର ଦୁର୍ବଳ ସ୍ଥିତି ଥିବାରୁ ଜୁନରୁ ଅଗଷ୍ଟ ମଧ୍ୟରେ ବି କମ ବର୍ଷା ହୋଇଛି ।