ହନ୍ତସନ୍ତ ହେଉଛନ୍ତି ସିକିଲସେଲ୍ ଓ ଥାଲାସେମିଆ ରୋଗୀ ଓ ସଂପର୍କୀୟ । ବଂଚିବାକୁ ପ୍ରତି ମାସରେ ଆବଶ୍ୟକ ହୁଏ ରକ୍ତ, ଖରାଦିନେ କମୁଛି ରକ୍ତ ସଂଗ୍ରହ

Advertisment
ହନ୍ତସନ୍ତ ହେଉଛନ୍ତି ସିକିଲସେଲ୍ ଓ ଥାଲାସେମିଆ ରୋଗୀ ଓ ସଂପର୍କୀୟ । ବଂଚିବାକୁ ପ୍ରତି ମାସରେ ଆବଶ୍ୟକ ହୁଏ ରକ୍ତ, ଖରାଦିନେ କମୁଛି ରକ୍ତ ସଂଗ୍ରହ

କନକ ବ୍ୟୁରୋ : ନା ଟଙ୍କା ଦରକାର, ନା ଦରକାର ଖେଳଣା। ବଞ୍ଚିବାକୁ ଦରକାର ରକ୍ତ। ଶୁଣିଲେ ତ , ରକ୍ତ ପାଇଁ କେମିତି ନିବେଦନ କରୁଛି କୁନି ଝିଅଟି। ସିକିଲସେଲ ଆନିମିଆରେ ପୀଡ଼ିତ ନୟାଗଡର ଉଷା। ପ୍ରତ୍ୟେକ ମାସ ଦରକାର ପଡେ ରକ୍ତ। ଆଉ ରକ୍ତ ନେବା ପାଇଁ ବୋଉ ସାଥିରେ ଧାଇଁ ଆସନ୍ତି ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ। ରକ୍ତ ନେବାର ମାସଟେ ପୁରିଗଲେ ପୁଣି ଲୋଡା ପଡେ ରକ୍ତ। ଝିଅକୁ ରକ୍ତ ଦେବା ପାଇଁ କେତେବେଳେ ରକ୍ତ ଭଣ୍ଡାରରେ ତ ପୁଣି କେତେବେଳେ ରକ୍ତଦାତାଙ୍କୁ ନିବେଦନ କରୁଥାଏ ମା। କେବଳ ଏହି ଗୋଟିଏ ମା ନୁହଁ, ଥାଲାସେମିଆ ଓ ସିକିଲସେଲ ଆନିମିଆରେ ପୀଡ଼ିତ ସମସ୍ତ ବାପା ମାଙ୍କର ସମାନ କାହାଣୀ। ପୁରୀରୁ ବାପା ମାଙ୍କ ସହ କ୍ୟାପିଟାଲ ହସ୍ପିଟାଲ ଆସିଛି ଅରୁପ। ଥାଲାସେମିଆରେ ପୀଡିତ ଅରୁପ ପ୍ରତ୍ୟେକ ମାସ ରକ୍ତ ନେବାକୁ ବାଧ୍ୟ। ରକ୍ତ ନେବାର ସମୟ ଆସି ଯାଇଥିବାରୁ ସେ ଆସିଛି ଡାକ୍ତରଖାନା । କିନ୍ତୁ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଥିବାରୁ, ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡିବ।
ରାଜ୍ୟ ରାଜଧାନୀ ଭୁବନେଶ୍ୱରର ବଡ ସରକାରୀ ଡାକ୍ତରଖାନାରେ ରକ୍ତର ଅଭାବ କଥା ଜାଣି ଆପଣ ଅନୁମାନ କରିପାରୁଥିବେ ଯେ, ଏବେ ରାଜ୍ୟର ଅବସ୍ଥା କଣ ।

କେବଳ ଏହି ବ୍ଲଡ ବ୍ୟାଙ୍କ ନୁହଁ ରାଜ୍ୟର ସମସ୍ତ ବ୍ଲଡ ବ୍ୟାଙ୍କରେ ଏବେ ରକ୍ତର ଅଭାବ ଦେଖାଯାଉଥିବା କହିଛନ୍ତି ବିଭାଗୀୟ ଅଧିକାରୀ। ବିଶେଷକରି ଏବେ ଖରାର ପ୍ରଭାବ ବଢିବା ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ଯୋଗୁଁ ଏଭଳି ପରିସ୍ଥିତି ଉପୁଜୁଥିବା କହିଛନ୍ତି ଅଧିକାରୀ। ଏହି ସମୟରେ ରକ୍ତ ଅଭାବର ସମସ୍ୟାକୁ ଦୁର କରିବା ପାଇଁ ରାଜ୍ୟର ବିଭିନ୍ନ ରକ୍ତ ଭଣ୍ଡାରର ଅଧିକାରୀଙ୍କ ସହ ଆଲୋଚନା କରାଯିବା ସହ ୧୬ ଟି ରକ୍ତ ଭଣ୍ଡାରକୁ ସ୍ବତନ୍ତ୍ର ୧୬ଟି ଭ୍ୟାନ୍ ପଠାଯାଇଥିବା କହିଛନ୍ତି ରକ୍ତ ନିରାପତ୍ତାର ନିର୍ଦ୍ଦେଶକ।

ରକ୍ତ ଅଭାବରୁ ଯେପରି କାହାର ମୃତ୍ୟୁ ନହେଉ, ଏହି ସଙ୍କଳ୍ପ ନେଇ ଆମ ଓଡିଶା, ମିଶନ ରକ୍ତଦାନ, ପରିବର୍ତ୍ତନ ଫାଉଣ୍ଡେସନ, ଜୟ ଓଡ଼ିଶା ଭଳି ଅନେକ ବେସରକାରୀ ଓ ସରକାରୀ ଅନୁଷ୍ଠାନ ରକ୍ତଦାନ ଶିବିରର ଆୟୋଜନ କରୁଥିବାବେଳେ ଏବେବେ ରକ୍ତ ଅଭାବର ସମସ୍ୟାର ମୁକାବିଲା କରିବା ସମ୍ଭବପର ହୋଇପାରୁନି। ଅଧିକରୁ ଅଧିକ ରକ୍ତଦାନ ଶିବିରର ଆୟୋଜନ କରିବାକୁ ନିବେଦନ କରିଛନ୍ତି ସ୍ବେଛାସେବୀ ସଙ୍ଗଠନ।

ଖରାଦିନରେ ରକ୍ତଦାନ କଲେ ସ୍ବାସ୍ଥ୍ୟଗତ ସମସ୍ୟା ହେବ ବୋଲି ଅନେକଙ୍କର ଭୁଲ ଧାରଣା ରହିଆସିଛି। ତେବେ ଭୟ ନକରି ଏହି ସମୟରେ ରକ୍ତଦାନ କରିବାକୁ ଆଗ୍ରହୀ ହେବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ଆପଣଙ୍କ ରକ୍ତ ହୁଏତ ଉଷା ଓ ଅରୁପ ଭଳି କିଛି ଅମୂଲ୍ୟ ଜୀବନ ବଞ୍ଚାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe