ଫୁଲକୋବିର ଅଭାବୀ ବିକ୍ରି: କିଲୋକୁ ମାତ୍ର ୨ ଟଙ୍କା

542

କନକ ବ୍ୟୁରୋ: ଅଭାବି ବିକ୍ରି ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ବଜାରରେ ଯେଉଁ ଫୁଲକୋବି ଗୋଟାକୁ ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଥିଲା । ସେହି ଫୁଲକୋବିକୁ ଏବେ କିଲୋ ପିଛା ୨ ଟଙ୍କାରେ ବିକ୍ରି କଲେ ବି କେହି ନେଉ ନାହାନ୍ତି । ଗଂଜାମ ଜିଲ୍ଲା ଛତ୍ରପୁରରୁ ଆସିଛି ଫୁଲକୋବି ଅଭାବୀ ବିକ୍ରିର ଖବର । ସେହିପରି ଘନ କୁହୁଡି ଯୋଗୁଁ ପନିପରିବା ଚାଷରେ ରୋଗପୋକର ପ୍ରାଦୁର୍ଭାବ ବଢିଛି । ଯାହାକୁ ନେଇ ଅସ୍ତରଙ୍ଗର ଚାଷୀ ବ୍ୟାପକ କ୍ଷତି ସହୁଛନ୍ତି ।

ଅଭାବୀ ବିକ୍ରିର ଶିକାର ଚାଷୀଙ୍କୁ ହତାଶ କରିିଛି । ଅନ୍ୟପଟେ ରାଜ୍ୟରେ ଜାରି ଘନ କୁହୁଡି ମଧ୍ୟ ଚାଷୀର ଅଂଟା ଭାଙ୍ଗି ଦେଇଛି । ଚାଷୀ ଦୁର୍ଦ୍ଦଶାର ଦୁଇଟି ଖବର ଆସିଛି ଗଂଜାମ ଓ ପୁରୀ ଜିଲ୍ଲାରୁ ।

ହାଡ ଭଙ୍ଗା ପରିଶ୍ରମ କରି କ୍ଷେତରେ ସୁନା ଫଳାଇଛି ଚାଷୀ । ଏଥର ଅମଳ ବି ଭଲ ହୋଇଛି । ହେଲେ ଫୁଲ କୋବି କିଣିବାକୁ କେହି ଆସୁ ନାହାନ୍ତି । ମାସେ ହେଲା ଅଭାବି ବିକ୍ରିର ଶିକାର ହେଉଛନ୍ତି ଚାଷୀ । ଗଂଜାମ ଜିଲ୍ଲା ସାନରାମଚନ୍ଦ୍ରପୁର, ଝାରେଡି ରାଧାଗୋବିନ୍ଦପୁର ଓ ସୁବଳୟା ପଂଚାୟତରେ ଫୁଲକୋବିର ଅଭାବି ବିକ୍ରି ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । କିଛି ଉପାୟ ନପାଇ ଫୁଲକୋବି କିଲୋ ପିଛା ୨ ଟଙ୍କାରେ ବିକ୍ରି କରିବାକୁ ଚାଷୀ ବାଧ୍ୟ ହେଉଛି । ସେହି ଦରରେ ବି ନେବାକୁ ବ୍ୟବସାୟୀ ଆସୁନଥିବାରୁ କୋବି କ୍ଷେତରେ ପଡି ପଡି ନଷ୍ଟ ହେବାକୁ ବସିଛି ।

କ୍ଷେତରେ ଫଳିଥିବା ଫୁଲକୋବିକୁ ଦେଖି ଚାଷୀ ଆଶା ରଖିଥିଲା, ବିକ୍ରି ବଟା କରି ଆଣିଥିବା ରୁଣ ସୁଝିବ । ବଳକା ଟଙ୍କାକୁ ପରିବାର ଚଳଣି ଓ ପରବର୍ତି ଚାଷ ପାଇଁ ରଖିବ । ହେଲେ ଅଭାବୀ ବିକ୍ରି ଏମିତି ସ୍ଥିତି କଲା ଯେ ଚାଷ ବାବଦକୁ ହୋଇଥିବା ଖର୍ଚ୍ଚ ବି ବାହାରିବା ମୁସ୍କିଲ ହୋଇପଡିଛି ।

ଘନ କୁହୁଡିର ପ୍ରଭାବ ପରିବା ଚାଷ ଉପରେ ପଡିଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଂଚଳରେ ପନିପରିବା ଅମଳ ବେଳକୁ ଘନ କୁହୁଡି ଦାଉ ସାଧୁଛି । କୁହୁଡି ଯୋଗୁଁ ଫୁଲକୋବି ଉପରେ ନୀଳ ଓ ଗୋଲାପି ଆସ୍ତରଣ ପଡି ପୋକ ଲାଗୁଛି । ବନ୍ଧା କୋବିରେ ପୋକ ଲାଗିବାରୁ ପତ୍ରଗୁଡିକ ହଳଦିଆ ପଡିଗଲାଣି । ବାଇଗଣର ଫୁଲ ଝଡି ଯାଉଛି ଓ କଲରା ଲତାରେ ମଧ୍ୟ ପୋକ ଲାଗି ନଷ୍ଟ ହେଉଛି । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡିଛି ।

ଅନ୍ୟପଟେ ବଜାରରେ ପନିପରିବା ନେଲେ ପୋକରା କହି ଗ୍ରାହକ କିଣୁ ନାହାନ୍ତି । ତେଣୁ ଚାଷୀଙ୍କ ପରିବା ନେବାକୁ ବ୍ୟବସାୟୀ ମଧ୍ୟ ଆସୁ ନାହାନ୍ତି । ଯାହା ଚାଷୀଙ୍କ ଆର୍ଥିକ ଓ ମାନସିକ କ୍ଷତି ପହଂଚାଇଛି ।