ଦୋକାନ ଖୋଲିଦେଲେ ହେଲେ ଲୋକ ଯିବେ କେମିତି ? ପାସ୍ ନଥିଲେ ଅଧା ବାଟରୁ ଫେରାଇ ଦେଉଛି ପୋଲିସ୍…ଦୋକାନ ଖୋଲିଲେ ବି କେମିତି ଯିବେ ଦ୍ୱନ୍ଦ୍ୱରେ ଗ୍ରାହକ

1,143

କନକ ବ୍ୟୁରୋ: ବିଏମସି କର୍ତ୍ତୃପକ୍ଷ ରାଜଧାନୀରେ ଲକଡାଉନ୍ କଟକଣା କୋହଳ କରି ବିଭିନ୍ନ ଦୋକାନ ଖୋଲିଦେଲେ। ଦୋକାନୀ ଓ ଦୋକାନ କର୍ମଚାରୀ କେମିତି ଆସିବେ କହିଦେଲେ। ହେଲେ ଦୋକାନକୁ ଗ୍ରାହକ କେମିତି ଆସିବେ ସେନେଇ କିଛି ସ୍ପଷ୍ଟ କଲେନି। ଫଳରେ ବହୁ ଲୋକ ଘର ନିର୍ମାଣ ସାମଗ୍ରୀ, ପୋଷାକ, ରଙ୍ଗ, ବହି କିଣିବାକୁ ଏବଂ ବିଭିନ୍ନ ଇଲେକକ୍ଟ୍ରୋନିକ୍ସ ଜିନିଷ ମରାମତି କରିବାକୁ ଆସି ଫସି ଯାଇଛନ୍ତି। ସ୍ଥିତି ଏପରି ହୋଇଥିଲା ଯେ, କିଛି ଲୋକ ଘରୁ ଯେମିତି ବାହାରିକି ଆସିଥିଲେ କିଛି ସମୟ ପରେ ସେମିତି ଫେରିଥିଲେ। କାରଣ ପୁଲିସ ରାସ୍ତା ଛାଡ଼ି ନ ଥିଲା। ଅଧା ବାଟରୁ ଫେରାଇ ଦେଇଥିଲା। ବିଭିନ୍ନ ଛକରେ ଜଗିଥିବା ପୁଲିସ କର୍ମଚାରୀ ଲୋକଙ୍କୁ ପାସ୍ ମାଗିଥିଲେ। ସାଧାରଣ ଲୋକଙ୍କର ପାସ୍ ନ ଥିବାରୁ ସେମାନେ ଫସିଯାଇଥିଲେ। ଫଳରେ ଗତକାଲି ବହୁ ସ୍ଥାନରେ ଦୋକାନ ଖୋଲିଥିଲେ ହେଁ ଗ୍ରାହକ ଆସି ନ ଥିଲେ।

ବିଏମସି ରାଜଧାନୀରେ କଟକଣା କୋହଳ କରି ଦୋକାନ ଖୋଲିଥିଲେ ହେଁ କମିସନରେଟ୍ ପୁଲିସ କଟକଣା କୋହଳ କରି ନ ଥିଲା। ଲୋକଙ୍କ ସୁରକ୍ଷାକୁ ନଜରରେ ରଖି ପୁଲିସ କଟକଣା ଜାରି ରଖିଥିଲା। ହେଲେ ଯେଉଁ ଉଦ୍ଦେଶ୍ୟରେ ବିଏମସି ଦୋକାନ ଖୋଲିଥିଲା ତାହା ସଫଳ ହୋଇପାରି ନାହିଁ। ଏପରିକି ଗତକାଲି ସଂଧ୍ୟାରେ ବିଏମସି କମିସନର ଗଣମାଧ୍ୟମକୁ ସମ୍ବୋଧନ କରି ଗତ ଦୁଇ ଦିନ ହେଲା ଯେଉଁ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା ତାହାକୁ ଅଧିକ ସ୍ପଷ୍ଟ କରିଥିଲେ। ମଲ୍, ମାର୍କେଟ୍ କମ୍ପ୍ଲେକ୍ସ (ଗୋଟିଏ କୋଠାରେ ୫ରୁ ଅଧିକ ଦୋକାନ)ରେ ଥିବା ଦୋକାନ ଖୋଲିବନି। ବାକି ସବୁ ଦୋକାନ ଖୋଲିବ ବୋଲି କହିଥିଲେ।

ପୁଲିସ ବାଇକରେ ଆସୁଥିବା ସାଧାରଣ ଲୋକଙ୍କୁ ରାସ୍ତାରେ ଅଟକାଉ ଥିବା ନେଇ ବିଏମସି ଡେପୁଟି କମିସନର ଶୁଭେନ୍ଦୁ ସାହୁଙ୍କୁ ପଚାରିବାରୁ ସେ କହିଥିଲେ ଯେ ଲୋକମାନେ ସବୁ ସାମଗ୍ରୀ ନିଜ ଅଞ୍ଚଳରେ ପାଇପାରିବେ। ଯଦି ସେମାନେ ଦୂରକୁ ବିଭିନ୍ନ ସାମଗ୍ରୀ ଆଣିବାକୁ ଯାଉଥିବେ ଏବଂ ପୁଲିସ୍ ଅଟକାଇବ ତେବେ ସେମାନେ ପୁଲିସ କର୍ମଚାରୀଙ୍କୁ ଉପଯୁକ୍ତ ପ୍ରମାଣ ଦେଖାଇ ବୁଝାନ୍ତୁ। ପୁଲିସ କର୍ମଚାରୀ ସନ୍ତୁଷ୍ଟ ହେଲେ ଛାଡ଼ିବେ। ବିଭିନ୍ନ ସାମଗ୍ରୀ ପାଇଁ ଗଲା ବେଳେ ଲୋକଙ୍କୁ ନ ଅଟକାଇବାକୁ ବି ପୁଲିସକୁ କୁହାଯାଇଛି। ସେ ଆହୁରି କହିଥିଲେ, ଯେହେତୁ କୌଣସି ବଡ଼ ବ୍ରାଣ୍ଡେଡ୍ ସୋରୁମ୍ ଓ ବଡ଼ ଗହଣା ଦୋକାନ (ଜୁଏଲାରି) ଖୋଲିବନି, ତେଣୁ ଦୂରକୁ ନ ଯାଇ ନିଜ ଅଂଚଳ ଦୋକାନରୁ ଜିନିଷ କ୍ରୟ କରିବା ଆବଶ୍ୟକ।