କନକ ବ୍ୟୁରୋ : ଧିରେ ଧିରେ ଖୋଲୁଛି ଓଡି଼ଶା । ସ୍ପା, ପାର୍ଲର ଓ ମଲକୁ ଛାଡି ଆଜି ଅଢ଼େଇ ମାସ ପରେ ପ୍ରଥମ ଥର ପାଇଁ କଟକଣା ଭିତରେ ରାଜ୍ୟର ସମସ୍ତ ଦୋକାନ ଖୋଲିଛି । ଦୀର୍ଘ ଦିନ ପରେ ଅନୁମତି ମିଳିଥିବାରୁ, ସାଜସରଞ୍ଜାମ ଧରି ପସରା ଖୋଲିଛନ୍ତି ଚା ଦୋକାନୀଠାରୁ ଆରମ୍ଭ କରି ଗୁପଚୁପ, ଦହିବରା ସମେତ ସମସ୍ତ ଉଠାଦୋକାନୀ । ସେଲୁନ୍ ସମେତ ଅନ୍ୟାନ୍ୟ ଦୋକାନ ବି ଖୋଲିଛି । ହେଲେ କରୋନା ଯୋଗୁଁ ଗ୍ରାହକ ନାହାଁନ୍ତି । ତଥାପି ବେପାର ହେଉ କି ନହେଉ ପୁଣି ଥରେ, ଅଂଟା ସଳଖି ଠିଆ ହେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତିି ବ୍ୟବସାୟୀ ।

Advertisment

ଛୋଟ ଛୋଟ ଦୋକାନ କରି ପରିବାର ଚଳାଉଥିବା ମଣିଷ ହିଁ ଠିକ୍ କହିପାରିବ, କରୋନା କଟକଣା କେତେ ଯନ୍ତ୍ରଣାଦାୟକ । ରାସ୍ତାକଡ଼ରେ ଦହିବରା ବିକ୍ରି କଲେ ଯେଉଁ ପରିବାର ଚଳେ, ବରାସିଙ୍ଗିଡ଼ା ବିକ୍ରି କଲେ ଯେଉଁଠି ପେଟକୁ ଦାନା ଯାଏ, ସେଠି ୨ ମାସ ପରେ ଉଠା ଦୋକାନ ଖୋଲିବାର ସୁଯୋଗ କେତେ ବଡ଼ ଖୁସି ଆଣି ଦେଇଛି, ତାହା ସେଇମାନେ ହିଁ କହିପାରିବେ ।

ବନ୍ଦ ପସରା ପୁଣି ଥରେ ମେଳିଛି । ପ୍ରାୟ ୨ ମାସ ହେଲା ବନ୍ଦ ଥିବା ଉଠା ଦୋକାନୀଙ୍କୁ ଦୋକାନ ଖୋଲିବା ପାଇଁ ଅନୁମତି ମିଳିବା ପରେ ସାଜୋ-ସରଞ୍ଜାମ ଧରି ରାସ୍ତାକଡ଼ରେ ଗ୍ରାହକକୁ ଅପେକ୍ଷା କରିଛନ୍ତି ଦୋକାନୀ । ହେଲେ, କରୋନା ଯୋଗୁଁ ଆଗ ଭଳି ଗ୍ରାହକଙ୍କ ଭିତରେ ଆଗ୍ରହ ନାହିଁ । ଭୁବନେଶ୍ୱର ବାଣୀ ବିହାର ଛକରେ ଦହିବରା ବିକ୍ରି କରୁଥିବା ଏହି ବ୍ୟକ୍ତି ଜଣକ ଦୈନକ ୩ରୁ ସାଢ଼େ ୩ ହଜାର ବିକ୍ରି କରୁଥିଲେ । ହେଲେ କେବଳ ପାର୍ସଲ୍ ହେଲା ବେଳକୁ ରୋଜଗାର କମିଛି ।
ନାହିଁ ମାମୁଁ ଠାରୁ କଚ୍ଚା ମାମୁଁ ଭଲ ନ୍ୟାୟରେ, ଗ୍ରାହକ କମିଥିଲେ ବି ଉଠା ଦୋକାନ ଖୋଲିଛି । କେଉଁଠି ବରାସିଙ୍ଗିଡ଼ା ଦୋକାନୀ, ତ ଆଉ କେଉଁଠି ଚା ଦୋକାନୀ ପୁଣି ଥରେ, ଅଂଟା ସଳଖି ଠିଆ ହେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

କାଟେଗୋରୀ-ଏ ଜିଲ୍ଲାରେ କଟକଣା ଆହୁରି କୋହଳ ହୋଇଛି । ସମ୍ବଲପୁରରେ ଜିଲ୍ଲା ଭିତରେ ବସ୍ ଚଳାଚଳ ଆରମ୍ଭ ହୋଇଥିବାରୁ, ଗୋଲବଜାର ଛକରେ ଥିବା ଜଳଖିଆ ଦୋକାନୀ ସକାଳୁ ସକାଳୁ ଦୋକାନ ଖୋଲି ଦେଇଥିଲେ । ହେଲେ କରୋନା ଯୋଗୁଁ ଲୋକ ଖାଇବାକୁ କୁଣ୍ଠାବୋଧ କରୁଛନ୍ତି । ଯାହା ଫଳରେ ବ୍ୟବସାୟ ମାନ୍ଦା ।

ବନ୍ଦତାଲା ଧିରେ ଧିରେ ଖୋଲୁଛି । ଏହି କ୍ରମରେ ଛୋଟ ଛୋଟ ସେଲୁନ୍ ଦୋକାନ ଖୋଲିଛି । ହାତ ବାନ୍ଧି ବସିଥିବା ସାଲୁନ୍ ଦୋକାନ ପୁଣି ଥରେ ଚଳଚଞ୍ଚଳ ହୋଇଯାଇଛି । ସେଲୁନ୍ ଖୋଲିବା ପାଇଁ ଦାବି କରି ଆସୁଥିବାରୁ ସରକାରଙ୍କ ଏହି ନିଷ୍ପତି, ତାଙ୍କ ଶୁଖିଲା ମୁହଁରେ ହସ ଆଣିଦେଇଛି ।

ଏପଟେ ସେଲୁନ୍ ଭଳି ବ୍ୟୁଟି ପାର୍ଲର ଖୋଲିବାକୁ ଦାବି କରିଛି ଅଲ ଓଡ଼ିିଶା ବିୟୁଟି ଆସୋସିଏସନ୍ସ । ଦୀର୍ଘ ଦିନହେଲା ପାର୍ଲର ବନ୍ଦଥିବାରୁ ମାଲିକ ଓ ଏହା ଉପରେ ନିର୍ଭର କରୁଥିବା କର୍ମଚାରୀ କାମ ଧନ୍ଦା ହରାଇ ଘୋର ଆର୍ଥିକ ସଂକଟ ଦେଇ ଗତିକରୁଛନ୍ତି । ତେଣୁ କୋଭିଡ଼ ନିୟମ ଭିତରେ ପାର୍ଲର ଖୋଲିବାକୁ ଦାବି କରାଯାଇଛି ।