ଭୁବନେଶ୍ୱରରେ ଖୋଲିବ ସପିଂ ମଲ: ହେଲେ ମଲ ଭିତରେ ବନ୍ଦ ରହିବ ସିନେମା ହଲ, ଫୁଡ କୋର୍ଟ ଓ ଗେମ୍ ଜୋନ୍; ମଲ୍ ପରିସରରେ ପ୍ରଚାର ପ୍ରସାର କାର୍ଯ୍ୟକ୍ରମକୁ ବାରଣ

ଏସପିଓ ଜାରି କଲା ବିଏମସି

183

କନକ ବ୍ୟୁରୋ: ସାଢେ ୪ ମାସ ଧରି ବନ୍ଦ ଥିବା ରାଜଧାନୀ ଭୁବନେଶ୍ୱରର ସପିଂ ମଲ୍ ଖୋଲିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ ବିଜ୍ଞପ୍ତି ଜାରି କରିଛି । ତେବେ କେତେକ କଟକଣା ଭିତରେ ଏହି ମଲ୍ ଖୋଲିବା ନେଇ କୁହାଯାଇଛି । ମଲ୍ ମଧ୍ୟରେ ଥିବା ସିନେମା ହଲ୍, ଫୁଡ୍ କୋର୍ଟ, ଗେମ୍ ଜୋନ୍ ଓ ପିଲାଙ୍କ ଖେଳିବା ସ୍ଥାନ ବନ୍ଦ ରହିବ । ମଲ୍ ପରିସରରେ ଲୋକ ଭିଡ୍ କମାଇବାକୁ ଗୁରୁତ୍ୱ ଦିଆଯାଇଛି । ତେଣୁ ଏହି ସ୍ଥାନରେ କୌଣସି ପ୍ରକାର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ କରାଯିବ ନାହିଁ । ମଲ୍ ଭିତରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି ।

ଗ୍ରାହକ ଓ କର୍ମଚାରୀଙ୍କ ମଧ୍ୟରେ ଅତିକମରେ ୬ ଫୁଟ୍ ଦୂରତାକୁ ବାଧ୍ୟତା ମୂଳକ କରାଯାଇଛି । ସମସ୍ତେ ମାସ୍କ ପିନ୍ଧିବାକୁ ମଲ୍ କର୍ତୃପକ୍ଷ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛି ବିଏମସି । ଏହା ସହ ବାରମ୍ବାର ହାତ ଧୋଇବା ନିୟମ କଡାକଡି ପାଳନ କରିବାକୁ କୁହାଯାଇଛି । ଲୋକଙ୍କୁ ସଚେତନ କରିବା ନେଇ ମଲ୍ରେ ପୋଷ୍ଟର ଲଗାଇବାକୁ ବିଏମସି ନିର୍ଦ୍ଦେଶ ଦେଇଛି । ମଲ୍ର ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ କରାଯିବ । ପ୍ରବେଶ ଓ ପ୍ରସ୍ଥାନ ପଥ ଅଲଗା ଅଲଗା ରଖିବାକୁ କୁହାଯାଇଛି । ମଲ୍ ପରିସର, ଟଏଲେଟ୍ ଓ ୱାଶ୍ରୁମ୍କୁ ବାରମ୍ବାର ବିଶୋଧନ କରିବାକୁ କଡାକଡି ନିର୍ଦ୍ଦେଶ ଦେଇଛି ବିଏମସି । ଏହା ସହ ମଲ୍ ପରିସରରେ ଛେପ ପକାଇବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି ।