କନକ ବ୍ୟୁରୋ : ୧୯ ବର୍ଷରୁ କମ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ୟଶ ଧୂଳଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ଋିଷିକେଶ କନିତକରଙ୍କୁ ମୁଖ୍ୟ କୋଚ ଭାବେ ନିଯୁକ୍ତ କରାଯାଇଛି । କିନ୍ତୁ ଏହି ଟିମରେ ଚୟନ ହୋଇଥିବା ଅଧିକାଂଶ ଖେଳାଳୀଙ୍କ ସଫଳତା ପଛରେ ଯେଉଁ ସଂଘର୍ଷ ଲୁଚି ରହିଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଅଧିନାୟକ ୟଶଙ୍କ ଭଳି ସିଦ୍ଧାର୍ଥ ଯାଦବ ମଧ୍ୟ ଅନେକ ସଂଘର୍ଷ ପରେ ୧୯ ବର୍ଷରୁ କମ ବିଶ୍ୱକପ ଦଳରେ ସ୍ଥାନ ପାଇଛନ୍ତି ।

Advertisment

ଗାଜିଆବାଦର କୋଟଗାଓଁରେ ଜନ୍ମିତ ସିଦ୍ଧାର୍ଥ ଯାଦବଙ୍କ ଏହି ସଫଳତାର ଯାତ୍ରା ଏତେ ସହଜ ନଥିଲା । ସିଦ୍ଧାର୍ଥଙ୍କ ବାପା ଶ୍ରବଣ ଯାଦବ ଗାଁରେ ଏକ ତେଜରାତି ଦୋକାନ ଚଲାଉଥିବା ବେଳେ ମା’ ଗୃହଣୀ । ତେବେ ସିଦ୍ଧାର୍ଥ ବିଶ୍ୱକପ ଦଳରେ ସାମିଲ ହେବା ପରେ ଏବେ ଶ୍ରବଣ ଯାଦବଙ୍କ ଦୋକାନରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ତେବେ ପୁଅର ଏହି ସଫଳତାକୁ ନେଇ ବାପା ଶ୍ରବଣ ଯାଦବଙ୍କ ଖୁସି କହିଲେ ନସରେ । କାରଣ ସେ ଦେଖିଥିବା ସ୍ୱପ୍ନ ଏବେ ପୂରା କରିବ ।

ସିଦ୍ଧାର୍ଥଙ୍କ ବାପା ଶ୍ରବଣ ଯାଦବ ମଧ୍ୟ କ୍ରିକେଟର ହେବାକୁ ସ୍ୱପ୍ନ ଦେଖିଥିଲେ । କିନ୍ତୁ ନେଟ ବୋଲର ଠାରୁ ଆଗକୁ ବଢି ପାରିନଥିଲେ ଶ୍ରବଣ । କିନ୍ତୁ ନିଜ ପୁଅକୁ କ୍ରିକେଟର କରିବାକୁ ଯେପରି ପଣ କରିଥିଲେ ଶ୍ରବଣ । ଯେଉଁଥିପାଇଁ ଦିନ ରାତି ଏକ କରି ଦେଇଥିଲେ । ସିଦ୍ଧାର୍ଥଙ୍କ ପ୍ରାକ୍ଟିସ ପାଇଁ ଶ୍ରବଣ ସବୁଦିନ ୩ ଘଣ୍ଟା ଲେଖାଏଁ ଦୋକାନ ବନ୍ଦ ରଖୁଥିଲେ । ଆଉ ଏହି ସମୟରେ ସିଦ୍ଧାର୍ଥଙ୍କୁ ବ୍ୟାଟିଂ ପ୍ରାକ୍ଟିସ କରାଉଥିଲେ ବାପା ଶ୍ରବଣ । ସିଦ୍ଧାର୍ଥଙ୍କୁ ଯେତେବେଳେ ମାତ୍ର ୮ ବର୍ଷ ହୋଇଥିଲା ସେବେଠାରୁ କ୍ରିକେଟ ଟ୍ରେନିଂ ଦେଇ ଆସୁଛନ୍ତି ବାପା ଶ୍ରବଣ ।

ସିଦ୍ଧାର୍ଥଙ୍କୁ କ୍ରିକେଟ ଖେଳିବାକୁ ବାପା ଶ୍ରବଣ କୁମାର ସମର୍ଥନ କରୁଥିଲେ ମଧ୍ୟ ଘରେ ଅନ୍ୟ କେହି ଏତେଟା ଖୁସି ନଥିଲେ  । ଏପରିକି ସିଦ୍ଧାର୍ଥଙ୍କ ଜେଜେ ମା’ ଚାହୁଁଥିଲେ ଯେ ନାତି ତାଙ୍କର ପାଠ ପଢୁ, ଚାକିରି କରି ବଡ ମଣିଷ ହେଉ । କ୍ରିକେଟ ଖେଳି କଣ ଲାଭ ମିଳିବ ବୋଲି ଜେଜେ ମା’ ସବୁବେଳେ ପ୍ରଶ୍ନ କରୁଥିଲେ । ଆଉ ସିଦ୍ଧାର୍ଥ ବିଶ୍ୱକପ ଟିମରେ ସାମିଲ ହୋଇ ଏହାର ଜବାବ ଦେଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ଭାରତ ଏବେସୁଦ୍ଧା ୧୯ ବର୍ଷରୁ କମ ବିଶ୍ୱକପରେ ୪ଥର ଚାମ୍ପିୟନ ହୋଇ ସାରିଛି ।