କନକ ବ୍ୟୁରୋ : କିଏ ଜାଣିଥିଲା ସୁଟିଂ ସେଟର ଦୃଶ୍ୟ ସତ ହୋଇଯିବ । କିଏ ଜାଣିଥିଲା, ହୃଦଘାତର ଅଭିନୟ କରୁକରୁ ବାସ୍ତବ ଜୀବନରେ ହୃଦଘାତ ଆସିଯିବ । ଜୀବନ ନାଟକରେ ଅଭିନୟ କରୁଥିବା ମଣିଷ ବା କେମିତି ଜାଣିଥାନ୍ତା ଅଭିନୟ ବି ସତ ହୋଇଯିବ । ସଂଯୋଗ ଦେଖନ୍ତୁ, ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଅଭିନେତା ରବି ମିଶ୍ର, ଯେଉଁ ହୃଦଘାତର ଅଭିନୟ କରିଥିଲେ, ସେହି ହୃଦଘାତରେ ସେ ସବୁ ଦିନ ପାଇଁ ଚାଲିଗଲେ ।
ଭୁବନେଶ୍ୱରରେ ଚାଲିଥିଲା ହେ ପ୍ରଭୁ ଟିଭି ସିରିୟଲର ସୁଟିଂ । କାହାଣୀର ଆବଶ୍ୟକତା ଅନୁସାରେ ସିରିଏଲର ଏକ ହୃଦଘାତର ଦୃଶ୍ୟ ରଖାଯାଇଥିଲା । ଆଉ ନିଜ ଅଭିନୟକୁ ଜୀବନ୍ତ କରିବା ପାଇଁ ହୃଦଘାତର ଦୃଶ୍ୟ କଲାବେଳେ କିଛି ସମୟ ପାଇଁ ନିଜ ପ୍ରଶ୍ୱାସକୁ ରୋକିଦେଇଥିଲେ ଅଭିନେତା ରବି ମିଶ୍ର ।
ତାଙ୍କ ସାଥୀ କଳାକାରଙ୍କ କହିବା ଅନୁଯାୟୀ, ରବି ମିଶ୍ରଙ୍କ ଭଳି ବର୍ଷିଆନ ଅଭିନେତା ନିଜ ଚରିତ୍ରକୁ ଲୋକପ୍ରିୟ କରିବା ପାଇଁ ଏହିଭଳି ବାସ୍ତବତାର ଛୁଙ୍କ ଦେଇଥାନ୍ତି । ହେଲେ କେହି କେବେ କଳ୍ପନା କରିଥିଲେ, ପୂର୍ବଦିନ ସୁଟିଂ ସେଟରେ କରିଥିବା ଅଭିନୟ ପରଦିନ ସତ ହୋଇଯିବ ।
ନିଜ ଅଭିନୟର ଯାଦୁରେ ପ୍ରତିଟି ଚରିତ୍ରକୁ ଜୀବନ୍ତ କରିଦେଉଥିବା ଏହି ଅଭିନେତା ଆମ ଗହଣରେ ନାହାଁନ୍ତି କହିଲା ବେଳକୁ ଏକ ଦୀର୍ଘ ନିଶ୍ୱାସଟିଏ ଚାଲି ଆସୁଛି । ବିଶ୍ୱାସ କରି ହେଉନାହିଁ, ନିଜ ଅଭିନୟରେ ହସି ହସି ବେଦମ୍ କରିଦେଉଥିବା ରବି ମିଶ୍ର ପରପାରିକୁ ଚାଲିଯାଇଛନ୍ତି ।