ରାଜଧାନୀରେ ଫୁଟିଲା ରାଜନୀତିର ଗୁଳି । ଭୁବନେଶ୍ୱର ଝାରପଡା ଅଞ୍ଚଳରେ ଗୁଳିକାଣ୍ଡ । ଦୁଇ ଅଭିଯୁକ୍ତ ଗିରଫ, ତଦନ୍ତ କରୁଛି କମିସନରେଟ୍ ପୋଲିସ

567

କନକ ବ୍ୟୁରୋ: ରାଜନୀତି ପାଇଁ ରାଜଧାନୀରେ ଗୁଳିକାଣ୍ଡ । ରକ୍ତରଞ୍ଜିତ ହେଲା ଭୁବନେଶ୍ୱରର ଝାରପଡା ଅଞ୍ଚଳ । ତେବେ ବିଜେପି କର୍ପୋରେଟର ପ୍ରାର୍ଥୀ ଆଉ ବିଜେଡି କର୍ପୋରେଟଙ୍କ ସମ୍ପର୍କୀୟ କାର ସାଇଡ୍ ମରାକୁ ନେଇ ହୋଇଥିଲେ ମୁହାଁମୁହିଁ । ଯୁକ୍ତିତର୍କ, କଥା କଟାକଟିରୁ ମାମଲା ଗୁଳି ଚାଳନା ପର୍ଯ୍ୟନ୍ତ ପହଁଚିଯାଇଥିଲା । ଆଉ ରାଜନୈତିକ ଶତ୍ରୁତାକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ଜଣାପଡିଛି ।

  • ରାଜନୀତି ପାଇଁ ରାଜଧାନୀରେ ଗୁଳି!
  • ପୁଣି ଅଶାନ୍ତ ହେଲା ଝାରପଡ଼ା!

ବୁଧବାର, ରାତି ପ୍ରାୟ ୧୦ଟା ୪୦ । ସ୍ଥାନ: ଝାରପଡ଼ା, ଭୁବନେଶ୍ୱର । ଶୁଭିଲା ବନ୍ଧୁକର ଗର୍ଜନ, ଫୁଟିଲା ଗୁଳି । ରକ୍ତ ରଞ୍ଜିତ ହେଲା ଝାରପଡ଼ା ଅଞ୍ଚଳ । ଗୋଟିଏ ପଟେ ବିଜେପି କର୍ପୋରେଟର ପ୍ରାର୍ଥୀ ପ୍ରଭାତ ମାର୍ଥା ନିଜ ସହଯୋଗୀ ଓ ବଡିଗାର୍ଡ ସହିତ କାରରେ ଯାଉଥିଲେ । ଆଉ ଅନ୍ୟପଟେ ବିଜେଡି କର୍ପୋରେଟର ଶ୍ରୀଧର ଜେନାଙ୍କ ପୁତୁରା ଦୀପକ ଜେନା ଅନ୍ୟ ଏକ କାରରେ ବିପରୀତ ଦିଗରୁ ଆସୁଥିଲେ । କାର୍ ସାଇଡ୍ ମରାକୁ ନେଇ କଥା କଟାକଟି, ଯୁକ୍ତିତର୍କ, ପାଟିତୁଣ୍ଡ, ହାତାହାତି । ଖବର ପାଇ ଘଟଣାସ୍ଥଳରେ ଜେନା ପରିବାର ସହିତ ପୋଲିସ ବି ପହଞ୍ଚିଥିଲା । ଅଭିଯୋଗ ହୋଇଛି, ପୋଲିସକୁ ଖାତିର ନକରି ସାମାନ୍ୟ କଥାରୁ ଗୁଳି ମାଡ଼ କଲା ଅଭିଯୁକ୍ତ । ଫିଲ୍ମ ଷ୍ଟାଇଲ ଭଳି ଗୋଟିଏ ପରେ ଗୋଟିଏ ବନ୍ଧୁକ କାଢ଼ି ଗୁଳି କରୁଥିଲେ ଅଭିଯୁକ୍ତମାନେ । ୧୫ ରାଉଣ୍ଡରୁ ଅଧିକ ବ୍ଲାଙ୍କ୍ ଫାୟାର କରିବା ସହ ଗୁଳିମାଡ଼ରେ ଆହତ ହୋଇଥିଲେ ଝାରପଡ଼ାର ଶିଖର ଜେନା ଓ ତାଙ୍କ ପୁଅ ଆଲୋକ ଜେନା ।

ରାଜନୀତିକ ଆକ୍ରୋଶରୁ ଝାରପଡ଼ାର ଏହି ଦୁଇଟି ପରିବାର ମୁହାଁମୁହିଁ ହୋଇଥିବା କୁହାଯାଉଛି । ତେବେ ଶ୍ରୀଧରଙ୍କ ଅଭିଯୋଗ, ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଗାଡ଼ି ଭିତରେ ରହି ଗୁଳିମାଡ଼ କରିବାକୁ ବନ୍ଧୁକ ଧରାଇ ଦେଇ ଉସୁକାଇ ଥିଲେ । ସେପଟେ ଘଟଣା ପଛରେ ରାଜନୈତିକ ଶତ୍ରୁତା କି ବିଜେପିର ସଂପୃକ୍ତି ନାହିଁ ବୋଲି କହିଛନ୍ତି ଜଗନ୍ନାଥ ।

ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଦୁଇଟି ବନ୍ଧୁକ ସହିତ ଘଟଣାସ୍ଥଳରୁ ମିଳିଥିଲା ୯ ରାଉଣ୍ଡ ଖୋକା, ୮ଟି ଅଫୁଟା ଗୁଳି । ଘଟଣାର ଛାନଭିନ କରି ପୋଲିସ ପ୍ରଭାତ ମାର୍ଥାଙ୍କ ବଡିଗାର୍ଡ ଦିବାକର କଳସ ଓ ସହଯୋଗୀ ରାଜା ସାହୁକୁ ଗିରଫ କରିଛି । ଦିବାକର ଜଣେ ପୂର୍ବତନ ସେନା ଅଧିକାରୀ ହୋଇଥିବା ବେଳେ ଲାଇସେନ୍ସ ପ୍ରାପ୍ତ ରିଭଲଭରରୁ ଗୁଳି ଚାଳନା କରିଥିଲା । ତେବେ ଜବତ ହୋଇଥିବା ଅନ୍ୟ ପିସ୍ତଲଟି କାହାର, ତାକୁ ନେଇ ସ୍ପଷ୍ଟ କରିନି ପୋଲିସ । ତେବେ ଝାରପଡ଼ାର ଗୁଳିକାଣ୍ଡକୁ ନେଇ ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ ।

  • କେଉଁ ପରିସ୍ଥିତିରେ ଗୁଳିମାଡ଼ କଲା ବଡିଗାର୍ଡ?
  • ଗୁଳି ଚଳାଇବାକୁ କିଏ ଦେଇଥିଲା ନିର୍ଦ୍ଦେଶ?
  • ଜବତ ହୋଇଥିବା ପିସ୍ତଲ କାହାର?
  • କିଏ କରୁଛି ଝାରପଡ଼ାକୁ ଅଶାନ୍ତ?