ପାରା ଅଲିମ୍ପିକ୍ସରେ ଭାରତକୁ ଆଉ ୨ଟି ପଦକ : ସୁଟିଂରେ ଅବନିଙ୍କୁ ସ୍ୱର୍ଣ୍ଣ, ଡିସକସ ଥ୍ରୋରେ ଯୋଗେଶଙ୍କୁ ରୌପ୍ୟ

65

କନକ ବ୍ୟୁରୋ :  ପାରା ଅଲିମ୍ପିକ୍ସରେ ସକାଳୁ ସକାଳୁ ଦୁଇଟି ପଦକ  । ଭାରତର ପାରା ସୁଟର ଅବନୀ ଲେଖାରା ଇତିହାସ ସୃଷ୍ଟି କରିଛନ୍ତି  । ଅବନୀ ଓମେନ୍ ୧୦ ମିଟର ଏୟାର ରାଇଫଲର କ୍ଲାସ ଏସ୍ଏଚ୍ ୧ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି  । ଅବନୀ ମୋଟ୍ ୨୪୯.୬ ସ୍କୋର କରିଥିଲେ  । ଯାହାକି ପାରା ଅଲିମ୍ପିକ୍ସରେ ନୂଆ ରେକର୍ଡ  । ସେ ଚୀନର ଝାଂଗ କୁଇପିଙ୍ଗଙ୍କୁ ପଛରେ ପକାଇ ଦେଇଥିଲେ  ।

ଅବନୀ ଏହି ଇଭେଂଟର କ୍ୱାଲିଫିକେସନ୍ ରାଉଣ୍ଡରେ ସପ୍ତମ ସ୍ଥାନରେ ରହିଥିଲେ  । ଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରିବା ଗୋଲଡ୍ ମେଡାଲ ଜିତିଛନ୍ତି  । ପାରା ଅଲିମ୍ପିକ୍ସ ଇତିହାସରେ ସୁଟିଂରେ ଭାରତର ଏହା ପ୍ରଥମ ସ୍ୱର୍ଣ୍ଣ ପଦକ । ଏହା ସହ ଅବନୀ ହେଉଛନ୍ତି ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା  । ଗୋଲ୍ଡ ମେଡାଲ ଜିତିବା ପରେ ପରିବାରରେ ଖୁସିର ମାହୋଲ ଦେଖିବାକୁ ମିଳିଛି  ।

ସେହିପରି ଟୋକିଓ ପାରା ଅଲିମ୍ପିକ୍ସ ଡିସକସ ଥ୍ରୋରେ ଭାରତର ଯୋଗେଶ କଥୁନିଆ ରୌପ୍ୟ ପଦକ ଜିତିଛନ୍ତି  । ଡିସକସ ଥ୍ରୋ ଏଫ୍୫୬ ଫାଇନାଲର ଦ୍ୱିତୀୟ ସ୍ଥାନରେ ରହିଥିଲେ ଯୋଗେଶ  । ଷଷ୍ଠ ଓ ଶେଷ ପ୍ରୟାସରେ ୪୪.୩୮ ମିଟର ଫିଙ୍ଗି ରୌପ୍ୟ ପଦକ ନିଜ ନାଁରେ କରିଥିଲେ । ତାଙ୍କର ପ୍ରଥମ, ତୃତୀୟ ଓ ଚତୁର୍ଥ ପ୍ରାୟସ ବିଫଳ ହୋଇଥିଲା । ଦ୍ୱିତୀୟ ଓ ପଂଚମ ପ୍ରୟାସରେ ୪୨.୮୪ ଓ ୪୩.୫୫ ମିଟର ଫିଙ୍ଗିଥିଲେ  । ବ୍ରାଜିଲ୍ ଖେଳାଳି ୪୫.୨୫ ମିଟର ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଥିଲେ  । ଯୋଗେଶଙ୍କର ଏହା ହେଉଛି ପ୍ରଥମ ପାରା ଅଲିମ୍ପିକ୍ସ  ।