କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କ ଷୋଡ଼ଶଦିନାତ୍ମକ ପୂଜା । ମୂଳାଷ୍ଟମୀ ଠାରୁ ଆଶ୍ୱିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଷୋଳଦିନ ଠାକୁରାଣିଙ୍କ ବିଶେଷ ପୂଜାର୍ଚ୍ଚନା କରାଯିବ । ଏହି ଅବସରରେ ଶ୍ରୀନଅରରେ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯାଇ ରାଜଗୁରୁ ପୁରୋହିତଙ୍କୁ ଗଜପତିଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ଓ ନଡ଼ିଆ ପ୍ରଦାନ କରାଯିବ । ଏହି ଗୁଆ ନଡ଼ିଆ ଦେଇ ରାଜଗୁରୁ ପୁରୋହିତ ଗଜପତି ମହାରାଜାଙ୍କ ପ୍ରତିନିଧି ଭାବେ ବ୍ରାହ୍ମଣ ମାନଙ୍କୁ ବରଣ କରିବେ । ବିମଳାଙ୍କ ପୀଠ ପାଇଁ ଜଣେ ପୂଜକ, ଜଣେ ପରିଛା, ଚଣ୍ଡୀପାଠ, ସହସ୍ରନାମ ପାଠକ ଏବଂ ମନ୍ତ୍ରଯାପକଙ୍କୁ ବରଣ କରିବେ ରାଜଗୁରୁ ପୁରୋହିତ ।

Advertisment

ଚୂଡ଼ାନ୍ତ ନୀତି ଅନୁଯାୟୀ, ଷୋଳପୂଜାର ପ୍ରଥମ ୮ ଦିନ ମା’ ଦୁର୍ଗା ଦେବୀ ଓ କାଳପୁରୁଷୋତ୍ତମ ଦେବ ମା’ ବିମଳାଙ୍କ ମନ୍ଦିର ଖଟ ଉପରେ ବିଜେ କରିବା ପରେ ନାନାଦି ପୂଜାପାଠ କରାଯିବ । ନବମ ଦିନ ରୁନ୍ଧା ମୂର୍ତ୍ତି  ରଥରେ ବସି ଦୋଳମଣ୍ଡପସାହି ନାରାୟଣୀଙ୍କ ମନ୍ଦିରକୁ ବିଜେ କରିବେ। ଏଠାରେ କର୍ପୂର ଜଳଲାଗି ପରେ ରୁନ୍ଧା ମୂର୍ତ୍ତିଙ୍କୁ ଭିତର ଖଟ ଉପରେ ବିଜେ କରାଯିବ । ଭୋଗ, ବନ୍ଦାପନା ଆଦି ନୀତି ଅନୁଷ୍ଠିତ ହେବ । ରାତ୍ର ଚନ୍ଦନ ଲାଗି ବଢ଼ିବା ପରେ ରୁନ୍ଧା ମୂର୍ତ୍ତିଙ୍କୁ ବିମାନବଡ଼ୁ ପାଲିଙ୍କିରେ ଭଣ୍ଡାର ଘର ଦୁଆରେ ବିଜେ କରାଇବେ । ପରେ ରୁନ୍ଧା ମୂର୍ତ୍ତି ଭଣ୍ଡାର ଘରେ ବିଜେ କରିବେ । ଏହି ନୀତି ଦଶହରା ପର୍ଯ୍ୟନ୍ତ ଚାଲିବ ।

ଆଶ୍ବିନ ଶୁକ୍ଳପକ୍ଷ ସପ୍ତମୀ ପର୍ଯ୍ୟନ୍ତ ମା’ ବିମଳାଙ୍କଠାରେ ସଙ୍ଖୁଡ଼ି ଭୋଗ ହୁଏ ନାହିଁ। ସପ୍ତମୀ, ଅଷ୍ଟମୀ ଓ ନବମୀରେ ନିଶାର୍ଦ୍ଧରେ ସଙ୍ଖୁଡ଼ି ଭୋଗ ହୋଇ ପୂଜାର୍ଚ୍ଚନା କରାଯିବ । ଏହି ତିନିଦିନ ରାତି ୩ଟାରେ ବଳି ପଡ଼ିବ । ମହାପ୍ରଭୁଙ୍କ ବଡ଼ସିଂହାର ନୀତି ସରି ପହୁଡ଼ ପରେ ବଳି ଓ ଭୋଗ ପଶ୍ଚିମ ଦ୍ବାର ଦେଇ ନେବା-ଆଣିବା କରାଯିବ । ମାନସିକଧାରୀମାନେ ପେଜନଳା ନିକଟରେ ବାହାରେ କାକୁଡ଼ି ଖାଇଙ୍କ ନିକଟରେ ବଳି ପକାଇବେ । ଷୋଳପୂଜାର ୧୬ ଦିନ ମା’ ବିମଳାଙ୍କ ମନ୍ଦିର ପ୍ରବେଶ ବାରଣ କରାଯାଇଛି । ପବିତ୍ର ଦଶହରା ପର୍ଯ୍ୟନ୍ତ ପ୍ରତିଦିନ ମନ୍ଦିରରେ ଚଣ୍ଡୀପାଠ, ପୂଜାପାଠ ଆଦି ବିଧି ମୁତାବକ ଅନୁଷ୍ଠିତ ହେବ ।