କନକ ବ୍ୟୁରୋ: ମହାମାରୀ ସମୟରେ ଔଷଧର ମୂଲ୍ୟ ସିଏ ବୁଝିଛି, ଯିଏ କୋଭିଡ୍ କଟକଣା ଭିତରେ ଔଷଧ ପାଇଁ ଏ ଦୋକନରୁ ସେ ଦୋକାନ, ଗୋଟିଏ ଛକରୁୁ ଆଉ ଗୋଟିଏ ଛକ ବୁଲିଛି । ସ୍ୱାସ୍ଥ୍ୟ ଏର୍ମରଜେର୍ନ୍ସି ଯୋଗୁଁ ଆମେ ସମସ୍ତେ ଏକ ସଂକଟମୟ ସ୍ଥିତିରେ ଗତି କରୁଛେ । ଆଉ ଠିକ୍ ଏମିତି ବେଳେ ବରଗଡ଼ ସହରରୁ ଆସିଛି ଅବ୍ୟବସ୍ଥାର ଏକ ଅଭାବନୀୟ ଚିତ୍ର । ଲକ୍ଷ ଲକ୍ଷ ଟଙ୍କାର ମେଡ଼ିସିନ୍ ବ୍ୟବହାର ନହୋଇପାରି ଫିଙ୍ଗି ଦିଆଯାଉଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ଯେ, ଫିଙ୍ଗି ଦେଉଥିବା ମେଡ଼ିସିନ୍ ଏକ୍ସପାୟାରୀ ବି ହୋଇନି ଅର୍ଥାତ୍ ଏବେ ବି ଔଷଧର ବ୍ୟବହାରଯୋଗ୍ୟ । ତେବେ କାହିଁକି ଏହି ଔଷଧ ଫିଙ୍ଗି ଦିଆଯାଉଛି ।
ଔଷଧ ଦେଖନ୍ତୁ ଏବଂ ଔଷଧରେ ଥିବା ଏକ୍ସପାୟାରୀ ଡେଟ୍କୁ ଦେଖନ୍ତୁ । ଔଷଧର ନାଁ ହେଉଛି ରାବାପ୍ରାଜଲ୍ । ଯାହା ଅମ୍ଲ କିମ୍ବା ପେଟ ଖବର ହେଲେ ଖାଆନ୍ତି । ଏବେ ଏକ୍ସପାୟରୀ ଡେଡ୍ ଦେଖନ୍ତୁ ୨୦୨୧ ଅଗଷ୍ଟ । ଅର୍ଥାତ୍ ପୁରା ଗୋଟିଏ ବର୍ଷର ଅବଧି ରହଛି । ହେଲେ ଔଷଧ ନଷ୍ଟ ହୋଇଯାଇଥିବା ଦର୍ଶାଇ ଏହାକୁ ବାହାରେ ଫିଙ୍ଗି ଦିଆଯାଉଛି । ନିରାମୟ ଯୋଜନାରେ ଲୋକଙ୍କୁ ବିନାମୂଲ୍ୟରେ ମିଳୁଥିବା ଔଷଧର ଏଭଳି ଉପଯୋଗ ହେଉଛି ବରଗଡ଼ ଜିଲ୍ଳାରେ । ବଡ଼ କଥା ହେଉଛି- ଚିକିତ୍ସା ପାଇଁ ଡାକ୍ତରଖାନା ଆସୁଥିବା ରୋଗୀ, ଠିକ୍ରେ ଔଷଧ ପାଉନଥିବା ଅଭିଯୋଗ କରିଛନ୍ତି ।
ଲକ୍ଷ ଲକ୍ଷ ଟଙ୍କାର ଔଷଧ ଫିଙ୍ଗା ହେବା ଘଟଣାକୁ ନେଇ ବରଗଡ଼ ସହରରେ ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାର ତଦନ୍ତ କରାଯାଇ, ୧୦ ବର୍ଷ ଭିତରେ କେତେ ଔଷଧ କିଣା ଯାଇଛି, ତାର ଅଡିଟ୍ ରିପୋର୍ଟ ସାର୍ବଜନୀନ କରାଯାଉ ବୋଲି ସାମଜିକ କର୍ମୀ ଦାବି କରିଛନ୍ତି । ଏପଟେ ରୋଗୀଙ୍କୁ ଔଷଧ ନଦେବା କାରଣରୁ ରହି ରହି ନଷ୍ଟ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ହେଲେ ବିଡ଼ମ୍ବନା ଦେଖନ୍ତୁ-ସିଡିଏମ୍ଓ କହୁଛନ୍ତି- ଫିମ୍ପି ମାରିଯିବାରୁ କିଛି ଔଷଧ ନଷ୍ଟ ହୋଇଛି । ସେହିପରି ସାଲେଇନ୍ ଗୁଡ଼ିକୁ ମୂଷା କାଟି ଦେବାରୁ ନଷ୍ଟ ହୋଇଯାଇଥିବା ନେଇ ସଫେଇ ଦେଇଛନ୍ତି ।
ପ୍ରଶ୍ନ ହେଉଛି-
-ଲକ୍ଷ ଲକ୍ଷ ଟଙ୍କାର ଔଷଧରେ ଏମିତି ଫିମ୍ପି କେମିତି ହୋଇଯାଉଛି?
-ସାଲେଇନ୍ ବୋଟଲ ସବୁ କେଉଁଠି ରହୁଛି ଯେ, ମୂଷା କାଟି ଦେଉଛି?