୩୬ ରନରେ ଭାରତୀୟ ପାଳି ସମାପ୍ତ । ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର କହିଲେ ମୁଁ ବହୁତ ଖୁସି ।

236

କନକ ବ୍ୟୁରୋ : ଆଡିଲେଡରେ ଖେଳାଯାଇଥିବା ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି । ଦ୍ୱିତୀୟ ଇନିଂସରେ ମାତ୍ର ୩୬ ରନ କରିଥିବା ଭାରତକୁ ସବୁଆଡୁ ସମାଲୋଚନାର ଶିକାର ହେବାକୁ ପଡିଛି । ତେବେ ସମାଲୋଚନାର ଗୋଟିଏ ପାଦ ଆଗକୁ ଯାଇ ପାକିସ୍ତାନର ଦ୍ରୁତ ବୋଲର ସୋଏବ ଅଖତର ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ନେଇ କଡ ଟିପ୍ପଣୀ ଦେଇଛନ୍ତି ।

ଅଖତର କହିଛନ୍ତି ଯେ ବିରାଟ କୋହଲିଙ୍କ ଦଳ ପାକିସ୍ତାନର ସର୍ବନିମ୍ନ ସ୍କୋରଠାରୁ ମଧ୍ୟ କମରେ ଅଲଆଉଟ ହେବା ନେଇ ସେ ବହୁତ ଖୁସି ।୨୦୧୩ରେ ଜୋହାନ୍ସବର୍ଗଠାରେ ଦକ୍ଷିଣଆଫ୍ରିକା ବିପକ୍ଷ ଟେଷ୍ଟରେ ପାକିସ୍ତାନ ୪୯ରନରେ ଅଲଆଉଟ ହୋଇଯାଇଥିଲା । ପାକିସ୍ତାନର ଏହି ଲଜ୍ଜାଜନକ ରେକର୍ଡକୁ ଭାରତ ଭାଙ୍ଗିଥିବାରୁ ସେ ବହୁତ ଖୁସି ବୋଲି ଅଖତର କହିଛନ୍ତି । ଏପରି ଲଜ୍ଜାଜନକ ପ୍ରଦର୍ଶନ ପାଇଁ ଭାରତକୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ଅଖତର କହିଛନ୍ତି, ସେ ଗତ କାଲି ମ୍ୟାଚ ଦେଖନଥିଲେ । କିନ୍ତୁ ଟିଭି ଖୋଲିବାବେଳକୁ ସ୍କୋର ଦେଖି ଭାବିଲେ ଯେ ଭାରତ ୩୬୯ କରି ନିଜ ସ୍ଥିତିକୁ ସୁଦୃଢ କରିନେଇଛି । ପରେ ଟିଭି ସ୍କ୍ରିନକୁ ନିରୀଖେଇ ଦେଖିବା ପରେ ଜଣାପଡ଼ିଲା ଯେ ତାହା ୩୬୯ ନଥିଲା ବରଂ ତାହା ଥିଲା ୩୬-୯ । ତେବେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ବ୍ୟାଟିଂ ଲାଇନଅପ ଭାରତୀୟ ବ୍ୟାଟିଂର ଏପରି ଦୁରାବସ୍ଥା ଏକ ଭଲ ଖବର ନୁହେଁ ବୋଲି ସେ ସ୍ୱୀକାର କରିଛନ୍ତି । ସୂଚନାଯୋଗ୍ୟ ଯେ, ଆଡିଲେଡ ମ୍ୟାଚକୁ ଅଷ୍ଟ୍ରେଲିଆ ୮ ୱିକେଟରେ ଜିତିନେଇଛି ।