କୋଲକତାରେ ବିଜେପି ଉପାଧ୍ୟକ୍ଷଙ୍କ ବିବାଦୀୟ ବୟାନ । ପଶ୍ଚିମବଙ୍ଗରେ ବିଜେପି ସରକାର ଆସିଲେ ଜୋତା ଚାଟିବ ପୋଲିସ । ପୋଲିସକୁ ଦଳୀୟ ଗୁଣ୍ଡା ସଜାଇଛନ୍ତି ମୂୁଖ୍ୟମନ୍ତ୍ରୀ

685

କନକ ବ୍ୟୁରୋ : ହାଇଦ୍ରାବାଦରେ ବିଜେପି ଓ ଓୱେସୀଙ୍କ ମଧ୍ୟରେ ଚାଲିଥିବା ଆରୋପ ପ୍ରତ୍ୟାରୋପ ପରେ ଏବେ କୋଲକତାରେ ବିଜେପି ଉପାଧ୍ୟକ୍ଷଙ୍କ ବୟାନ ପ୍ରମାଣ କରୁଛି ଯେ କ୍ଷମତା ପାଇଁ ନେତା ମାନେ କେତେ ତଳକୁ ଯାଇ ପାରନ୍ତି । ଆସନ୍ତା ବର୍ଷ ଅର୍ଥାତ ୨୦୨୧ ଆରମ୍ଭରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ବିଜେପି ଓ ତୃଣମୂଳ କଂଗ୍ରେସର ନେତା ମାନଙ୍କ ଭିତରେ ଚାଲିଛି ଆରୋପ ପ୍ରତ୍ୟାରୋପ । ଖାଲି କଥା କଟା କଟି ନୁହେଁ ଦୈନିକ ଉଭୟ ଦଳରୁ କୌଣସି ନେତାଙ୍କର ହତ୍ୟା ହେଉଛି ନହେଲେ କେଉଁଠି ନା କେଉଁଠି ଉଭୟ ଦଳର ନେତା ମାନଙ୍କ ଭିତରେ ହିଂସା ଦେଖିବାକୁ ମିଳୁଛି । ୨୦୧୧ ରୁ ଏଠିକାର ପୋଲିସ ଏସବୁକୁ ରୋକିବାରେ ସଫଳ ହୋଇପାରି ନାହିଁ ।

ପଶ୍ଚିମବଙ୍ଗର ବିଜେପି ଉପାଧ୍ୟକ୍ଷ ରାଜୁ ବାନାର୍ଜୀ ପଶ୍ଚିମବଙ୍ଗ ସରକାର ଓ ପୋଲିସକୁ ନେଇ କିଛି ବିବାଦୀୟ ବୟାନ ଦେଇଛନ୍ତି । ଦୁର୍ଗାପୁରରେ ଏକ ସଭାକୁ ଉଦ୍‌ବୋଧନ ଦେଇ ଶ୍ରୀ ବାନାର୍ଜୀ କହିଛନ୍ତି କି ପଶ୍ଚିମବଙ୍ଗରେ ପୋଲିସର ଗୁଣ୍ଡାରାଜ୍ ଚାଲିଛି । ହେଲେ ମମତା ସରକାର ଏହାକୁ ରୋକିବାକୁ କୌଣସି ପଦକ୍ଷେପ ନେଉ ନାହାଁନ୍ତି । ୨୦୨୧ ରେ ପଶ୍ଚମବଙ୍ଗରେ ବିଜେପି ସରକାର ଆସିଲା ପରେ ସେମାନଙ୍କୁ ବିଜେପି ନେତାଙ୍କ ଜୋତା ଚାଟିବାକୁ ବାଧ୍ୟ କରାଯିବ । ଏହା ସହ ରାଜୁ ବାନାର୍ଜୀ ଆହୁରି କହିଛନ୍ତି କି ଆଜି ପୋଲିସ ମମତାଙ୍କ ଜୋତା ଚାଟୁଛି କାଲି ଆମ ସରକାର ଆସିଲେ ପୋଲିସ ଆମ ଜୋତା ଚାଟିବ । ନ ଚାଟିଲେ ତାକୁ ବାଧ୍ୟ କରି ଚଟାଇ ଦିଆଯିବ । ଏହାର କାରଣ ଦର୍ଶାଇବାକୁ ଯାଇ ସେ କହିଛନ୍ତି ବିଜେପି କର୍ମୀଙ୍କ ହତ୍ୟା ପଛରେ ତୃଣମୂଳ କଂଗ୍ରେସର ଯେତିକି ହାତ ନାହିଁ ତା ଠାରୁ ଅଧିକ ହାତ ରହିଛି ପଶ୍ଚିମବଙ୍ଗ ପୋଲିସର । ଖାଲି ଏତିକି ନୁହେଁ ସେ ଧମକ ଦେଇଛନ୍ତି ଯେ ରାଜ୍ୟରେ ବିଜେପି ଚାହିଁଲେ ଏବେ ରାଜ୍ୟରେ ଥିବା ସମସ୍ତ ପୋଲିଷ୍ଟେସନକୁ ଧ୍ୱଂସ କରିଦେବ । ତ’ ପରେ ପୋଲିସ ଯାଇ ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟରେ ବସିବ । ରାଜ୍ୟରେ ପୋଲିସ ଟିଏମ୍‌ସିର ଦଲାଲ ଓ ଚାମ୍‌ଚା ପାଲଟିଛନ୍ତି ବୋଲି ରାଜୁ କହିଛନ୍ତି ।