କ୍ରିକେଟ ଖେଳ ନେଲା ଡାକ୍ତରୀ ଛାତ୍ରଙ୍କ ଜୀବନ । ପଡ଼ିଆରେ ବ୍ୟାଟିଂ କରିବା ବେଳେ କାନମୁଣ୍ଡାରେ ବାଜିଲା ବଲ୍ । ପିଚ୍ ଉପରେ ଟଳି ପଡ଼ିଲେ ବବୁଲ

ଖେଳ ହିଁ ତାଙ୍କ ପାଇଁ କାଳ ହୋଇଛି

3,951
କନକ ବ୍ୟୁରୋ: ଡାକ୍ତରୀ ପାଠ ପଢୁଥିଲେ ହେଲେ ନିଶା ଥିଲା କ୍ରିକେଟ୍ । ପାଠପଢାରୁ ଟିକିଏ ଫୁରସତ୍ ମିଳିଲେ ପଡିଆରେ ପ୍ରାକ୍ଟିସ କରୁଥିଲେ । ଭଲ କ୍ରିକେଟ୍ ବି ଖେଳୁଥିଲେ । ହେଲେ ଆଜି ସେହି ଖେଳ ହିଁ ତାଙ୍କ ପାଇଁ କାଳ ହୋଇଛି । ଅକାଳରେ ପ୍ରାଣ ହରାଇଛନ୍ତି ୨୪ ବର୍ଷିୟ ବିଶ୍ୱଭୂଷଣ । ବାପା ମାଆଙ୍କ ଗେହ୍ଲା ପୁଅ ବବୁଲ ।
କୋରାପୁଟ ମେଡିକାଲରେ ଏମବିବିଏସ୍ ଦ୍ୱିତୀୟ ବର୍ଷରେ ପଢୁଥିବା ବିଶ୍ୱଭୂଷଣ, ଛୁଟିରେ ଘରକୁ ଆସିଥିଲେ । ବ୍ରହ୍ମପୁର ଲାଞ୍ଜିପଲୀ ଘରୁ ସକାଳୁ କିଟ୍ ନେଇ ବବୁଲ ବାହାରିଥିଲେ କ୍ରିକେଟ୍ ଖେଳିବାକୁ । ଏମକେସିଜି ମେଡିକାଲ୍ ପଡିଆରେ ସାଙ୍ଗଙ୍କ ସହ କ୍ରିକେଟ୍ ଖେଳୁଥିବା ବେଳେ ହଠାତ୍ ଘଟିଗଲା ଅଘଟଣ । ବ୍ୟାଟିଂ କରୁଥିବା ବେଳେ ବବୁଲଙ୍କ କାନମୁଣ୍ଡାରେ ବଲ୍ ବାଜିଗଲା । ଆଉ ପିଚ୍ ଉପରେ ହିଁ ଟଳିପଡିଥିଲେ ବବୁଲ । ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲ୍ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ବିଶ୍ୱଭୂଷଣଙ୍କ ନିଜ ଘର ଗଞ୍ଜାମର ପୋଲସରାରେ । ବେଳେ ବେଳେ ବିଶ୍ୱ, ଗାଁକୁ ଆସନ୍ତି । ସାଇ ପଡୋଶୀଙ୍କ ସହ କଥା ହୁଅନ୍ତି, ସାଙ୍ଗ ସାଥୀ ସହ ମଜା କରନ୍ତି । ଖୁବ୍ ମେଳାପୀ ଆଉ ସମସ୍ତଙ୍କର ପ୍ରିୟ ଥିଲେ ବବୁଲ । ପୁରୀ ସ୍ୱର୍ଗଦ୍ୱାରରେ ବିଶ୍ୱଭୂଷଣଙ୍କ ଅନ୍ତେଷ୍ଟି କରାଯାଇଛି । ହେଲେ ଏଭଳି ଭାବେ ସେ ଚାଲିଯିବା, ପରିବାର, ସାଙ୍ଗ ସାଥୀ, ଗ୍ରାମବାସୀ ଓ କ୍ରିକେଟ୍ ପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି ।