ଶବକୁ ଛୁଇଁଲେନି ଗାଁ ଲୋକେ ଯକ୍ଷ୍ମାରେ ଚାଲିଗଲା ମହିଳାଙ୍କ ଜୀବନ, କରୋନା ସନ୍ଦେହରେ ଶବକୁ ଗାଁରେ ପୂରାଇଦେଲେନି ଗ୍ରାମବାସୀ । ଶେଷରେ ଶବଦାହ କଲେ ଭିମସାର ସିନିଅର ଆବାସିକ ଡାକ୍ତର ।

363

କନକ ବ୍ୟୁରୋ: ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସ ଓ ଭୁଲ ଖବରର ବଶବର୍ତୀ ହୋଇ ମଣିଷ ମାନବିକତାର କେମିତି ଶେଷ ସୀମା ଲଂଘନ କରେ ତାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୁନ୍ଦରଗଡ କୁଆଁରମୁଣ୍ଡାରେ । ଟିବି ରୋଗରେ ମୃତ୍ୟୁ କରିଥିବା ଜାଣିଲା ପରେ ଗାଁରେ ଶବକୁ ପୁରେଇ ଦେଲେନି । ଆଉ ଶେଷରେ ଶବ ସକ୍ରାର କରିବା ପାଇଁ ଆଗେଇ ଆସିଲେ ଚିକିତ୍ସା କରୁଥିବା ଡାକ୍ତର ।

ସାମାଜିକ ଦୂରତ୍ୱ ନାଁରେ ମାନବିକତାର ମୃତ୍ୟୁ । ଟିବି ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁପରେ କୋରନା ସନ୍ଦେହରେ ଶବକୁ ଗାଁରେ ପୁରେଇ ଦେଲେନି ଗ୍ରାମବାସୀ । କେବଳ ସେତିକି ନୁହେଁ, ମୃତଦେହକୁ ପୁଣି ବୁର୍ଲା ମେଡିକାଲକୁ ଫେରାଇ ନେବାକୁ ଦାବି କରିଥିଲେ । ବହୁ ବୁଝାବୁଝି କରି ନିରାଶ ହେବାପରେ ସ୍ତ୍ରୀର ଶବକୁ ଧରି ମେଡିକାଲ ଫେରିଥିଲେ କୁଆଁରମୁଣ୍ଡା ଗାଁର ଶାନ୍ତି ତନ୍ତିଙ୍କର ସ୍ୱାମୀ ସୁରେଶ ତନ୍ତୀ । ପରେ ଭିମସାର ସିନିୟର ଆବାସିକ ଡାକ୍ତର ଶଙ୍କର ରାମଚନ୍ଦାନୀ ଓ କିଛି ଡାକ୍ତର ମୃତ ମହିଳା ଶାନ୍ତିଙ୍କର ଶବ ସକ୍ରାର କରିଛନ୍ତି ।

ଗ୍ରାମବାସୀଙ୍କ ବିରୋଧ ପରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ କଥା ମାନି ସମ୍ବଲପୁର ରାଜଘାଟକୁ ସ୍ତ୍ରୀଙ୍କ ଶବ ନେଇଆସିଲେ ସ୍ୱାମୀ । ଆଶା ଥିଲା ଗାଁ ମଶାଣୀରେ ନହେଲା ନାହିଁ ରାଜଘାଟରେ ସ୍ତ୍ରୀର ଜୁଇ ଜଳିବ । ହେଲେ ସେତକ ବି ହୋଇ ପାରିଲା ନାହିଁ । ଆଧାରକାର୍ଡ ଓ ଆବଶ୍ୟକୀୟ ପ୍ରମାଣପତ୍ର ଅଭାବରୁ ରାଜଘାଟରେ ଶବସକ୍ରାର ପାଇଁ ଅନୁମତି ମିଳି ନଥିଲା । ଶେଷରେ ସବୁ ଆଶା ମଉଳି ଯିବା ପରେ ଶବକୁ ଧରି ବୁର୍ଲା ମେଡିକାଲକୁ ଫେରିଆସିଥିଲେ ସୁରେଶ ।

ସ୍ତ୍ରୀର ଶବଦାହ ପାଇଁ ସ୍ୱାମୀ ବାର ଦୁଆର ବୁଲିବା ଖବର ଜାଣିବା ପରେ ମାନବିକତା ଦେଖାଇଛନ୍ତି ଭିମସାରର କିଛି ଡାକ୍ତର । କରୋନା ନେଇ ସଚେତନ ଓ ସତର୍କ ହେବା ନିଶ୍ଚୟ ଆବଶ୍ୟକ ହେଲେ ସାମାଜିକ ଦୂରତା ଆଳରେ ମଣିଷପଣିଆ ହରେଇବା ଅତ୍ୟନ୍ତ ନିନ୍ଦନୀୟ ।