ଲକଡାଉନ ବେଳେ ରାଜଧାନୀରେ ଲଜ୍ଜା । ଜଣେ ନାବାଳିକାଙ୍କୁ ବାରମ୍ବାର ଗଣଦୁଷ୍କର୍ମ ନେଇ ଅଭିଯୋଗ ପରେ ପୁଲିସର ତଦନ୍ତ ଜୋରଦାର । ଡିସିପି କହିଲେ, ଘଟଣାରେ ସଂପୃକ୍ତ ଅଛନ୍ତି ପୁଲିସ କର୍ମଚାରୀ ଓ ଏକ ବୈଦ୍ୟୁତିକ ଗଣମାଧ୍ୟମର କର୍ମଚାରୀ ।

1,128

କନକ ବ୍ୟୁରୋ : ଲକଡାଉନ୍ ବେଳେ ଲଜ୍ଜା । ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ । ଇଏ ଏଭଳି ଏକ ଲଜ୍ଜ୍ୟାଜନକ କାହାଣୀ, ଯାହା ଆପଣଙ୍କୁ ବିଚଳିତ କରି ଦେବ । କାରଣ ଯେତେବେଳେ କରୋନା ମହାମାରୀ ସଂକ୍ରମଣ ଭୟରେ ସାରା ରାଜ୍ୟରେ ଲକଡାଉନ, ସଟଡାଉନ ଭଳି କଠୋର କଟକଣା ଲାଗୁ ହୋଇଥିଲା ସେହି ସମୟରେ କିଛି ଯୌନ ପିପାଷୁ ନାରକୀୟ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ଏଠି ଜଣେ ୧୩ ବର୍ଷିୟ ନାବାଳିକାଙ୍କୁ ଗଣଦୁଷ୍କର୍ମ ଭଳି ସାଂଘାତିକ୍ ଅଭିଯୋଗ ହୋଇଛି । ତାହା ପୁଣି ପୁଲିସ୍ କର୍ମଚାରୀ ଏବଂ ଏକ ବୈଦ୍ୟୁତିକ ଗଣମାଧ୍ୟମର କର୍ମଚାରୀଙ୍କ ବିରୁଦ୍ଧରେ ।

ଲକଡାଉନ୍ ସମୟରେ ଭୁବନେଶ୍ୱରର ଇନଫୋସିଟି ଅଂଚଳରେ ଘଟିଥିବା ଏହି ଘଟଣାରେ ସଂପୃକ୍ତ ଅଛନ୍ତି ୩ ଜଣ ପୁଲିସ୍ କର୍ମଚାରୀ ଏବଂ ୪ ଜଣ ଗଣମାଧ୍ୟମର କର୍ମଚାରୀ । ବଡ଼ କଥା ହେଉଛି ବନ୍ଧୁକ ମୁନରେ ହୋଇଛି ଗଣଦୁଷ୍କର୍ମ । ବାରମ୍ବାର ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି ।

ମାର୍ଚ୍ଚ-ଏପ୍ରିଲ ମାସରେ ଘଟିଥିବା ଏହି ଘଟଣା ସାମ୍ନାକୁ ଆସିଥିଲା ଯେତେବେଳେ ନାବାଳିକାଙ୍କ ବାପା, ଗତ ୩୦ ତାରିଖରେ ଥାନାରେ ଏନେଇ ଏତଲା ଦେଇଥିଲେ । ଘଟଣାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ତଦନ୍ତ ଦାୟିତ୍ୱ ଇଂଟିଗ୍ରେଟେଡ ୟୁନିଟକୁ ଦିଆଯାଇଛି । ପୀଡ଼ିତା ନାବାଳିକା ଜଣକ ଭୁବନେଶ୍ୱରର ଏକ ଇଂରାଜୀ ମାଧ୍ୟମ ସ୍କୁଲରେ ପାଠପଢ଼ୁଥିବା ସୂଚନା ମିଳିଥିବା ବେଳେ ସଂପୃକ୍ତ ଗଣମାଧ୍ୟମ ଅଫିସକୁ ଯାଇ ଛାନଭିିନ୍ କରିଛି ପୁଲିସ୍ । ସେମାନଙ୍କ ବିରୋଧରେ ପୋକ୍ସୋ ଆଇନରେ ଏକାଧିକ ମାମଲା ଲଗାଇ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।