ମଣିଷ ପଣିଆ ଲକ୍ ଡାଉନ ! କରୋନା ଆକ୍ରାନ୍ତଙ୍କୁ ନେଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଡର, ପ୍ରଶାସନ କହିବାରୁ କଳାହାଣ୍ଡିରୁ କଟକ ସ୍ଥାନାନ୍ତର କଲେ, ଏବେ ଗାଁ ଲୋକେ ଡ୍ରାଇଭରଙ୍କୁ ବାସନ୍ଦ କରିଥିବା ଅଭିଯୋଗ

2,084

କନକ ବ୍ୟୁରୋ: ଏମିତି ଖବର ଉପରେ ଯାହା ଲକଡାଉନରେ ମଣିଷ ପଣିଆକୁ ବନ୍ଧା ପକାଇଦେଇଛି । କରୋନା ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରଥିବାରୁ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ପୁରାଉ ନାହାନ୍ତି ଗାଁ ଲୋକ । ଘରକୁ ଫେରିବା ପାଇଁ ଲଗାଇଛନ୍ତି କଟକଣା । ସାମିଜିକ ବାସନ୍ଦର ଏଭଳି ନିନ୍ଦନୀୟ ଖବର ଆସିଛି କଳାହାଣ୍ଡିରୁ ।

କଳାହାଣ୍ଡି ଜିଲ୍ଲାପାଳଙ୍କ ପ୍ରେସ ବିଜ୍ଞପ୍ତି ଅନୁସାରେ ଏପ୍ରିଲ ୪ ତାରିଖରେ କଳାହାଣ୍ଡିରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆକ୍ରାନ୍ତଙ୍କୁ ଏପ୍ରିଲ ୫ ତାରିଖ ଦିନ ଭବାନୀପାଟଣାର ମା ମାଣିକେଶ୍ୱରୀ ହସ୍ପିଟାଲର ଆମ୍ବୁଲାନ୍ସକୁ କଟକ ଆଣିବାକୁ କୁହାଯାଇଥିଲା । ହେଲେ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ଏଥିପାଇଁ ଅମଙ୍ଗ ହୋଇଥିଲେ । ତେବେ ତାଙ୍କୁ ମାସ୍କ, ଗ୍ଲୋବ ଓ ସାନିଟାଇଜର ବ୍ୟବହାର ନେଇ ପ୍ରଶିକ୍ଷଣ ଦିଆଗଲା । ତାଙ୍କ ସହିତ ଅନ୍ୟ ଜଣେ ଡ୍ରାଇଭରଙ୍କୁ ସାଂଗରେ ପଠାଗଲା । ଏପ୍ରିଲ ୫ ତାରିଖ ସନ୍ଧ୍ୟାରେ ଉଭୟ ଡ୍ରାଇଭର ଆକ୍ରାନ୍ତଙ୍କୁ ଧରି କଟକ ଅଶ୍ୱିନୀ ହସ୍ପିଟାଲରେ ପହଚିଂଲେ । ପରଦିନ ସକାଳୁ ସେମାନେ ଭବାନୀପାଟଣାରେ ପହଚିଂବା ପରେ ସଦର ମହକୁମା ଡାକ୍ତରଖାନାରେ ଆମ୍ବୁଲାନ୍ସକୁ ସାନିଟାଇଜ କରାଗଲା ।

ତେବେ ସବୁଠାରୁ ବିଡ଼ମ୍ବନାର ବିଷୟ ହେଲା କି, ଡ୍ରାଇଭରଙ୍କ ଅଭିଯୋଗ, ଏବେ ମାଣିକେଶ୍ୱରୀ ହସ୍ପିଟାଲ କତୃପକ୍ଷ ତାଙ୍କୁ କାମରୁ ବାହାର କରିଦେଇଛନ୍ତି । ଏବଂ ନିଜ ଗାଁ ଲୋକ ଘରକୁ ଯିବା ପାଇଁ ବାରଣ କରିଛନ୍ତି । ଏବେ ସଂପୃକ୍ତ ଡ୍ରାଇଭରଙ୍କୁ ମ୍ୟୁନସିପାଲଟି ନାଇଟ ସେଲଟରରେ ରହିବାର ବ୍ୟବସ୍ଥା କରାଯାଇଛି । ସେପଟେ ଜିଲ୍ଲା ପ୍ରଶାସନର ଏକ ଟିମ ଗାଁକୁ ଯାଇ କରୋନା ସଂପର୍କରେ ଲୋକଙ୍କୁ ବୁଝାଇଛି ।