କନକ ବ୍ୟୁରୋ: ସୁରତରୁ ଫେରିଥିବା ପ୍ରାୟ ୨୫୦ଜଣ ପ୍ରବାସୀ ଓଡିଆଙ୍କୁ ଗଞ୍ଜାମ ଜିଲ୍ଲା ବେଗୁ ନିଆପଡା ବ୍ଲକର ଜନତା ନୋଡାଲ ମାଧ୍ୟମିକ ବିଦ୍ୟାଳୟରେ ରଖାଯାଇଥିଲା । ଏମାନଙ୍କ ମଧ୍ୟରୁ ୧୫୦ଜଣ ପ୍ରବାସୀ ଓଡିଆ କୁଆଡେ ଫେରାର ହୋଇଯାଇଛନ୍ତି । ସଂଗରୋଧରେ ଥିବା ଲୋକେ ବାହାରେ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବା ପରେ ଖବର ପଦାକୁ ଆସିଥିଲା । ଖାଇବା ପିଇବା ଅସୁବିଧାର ବାହାନା କରି ଏହି ପ୍ରବାସୀ ଓଡିଆମାନେ ସଂଗରୋଧ ନିୟମ ଭାଙ୍ଗି ଚାଲିଯାଇଛନ୍ତି ।

Advertisment

ମିଳିଥିବା ସୂଚନା ଅନୁସାରେ ଏହି ବିଦ୍ୟାଳୟରେ ୫୦ଜଣଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଥିଲା । ଏତେ ସଂଖ୍ୟକ ଲୋକ ଆସିବାରୁ ଅସୁବିଧା ହୋଇଥିବା ଦର୍ଶାଇ ପ୍ରବାସୀ ଓଡିଆମାନେ ଏହି ସ୍ଥାନ ଛାଡିଛନ୍ତି । କେତେଲୋକ ଯାଇଛନ୍ତି ଏବଂ କେତେଲୋକ ରହିଛନ୍ତି ସେନେଇ ବିଡିଓ ଏବଂ ତହସିଲଦାରଙ୍କ ପାଖରେ କୌଣସି ସନ୍ତୋଷଜନକ ଖବର ନାହିଁ ।

ଅନ୍ୟପଟେ ଗୁଜରାଟରୁ ଖଲିକୋଟ କ୍ୱାରେନଟିନ ସେଂଟରକୁ ଆସିବାକୁ ଥିବା ଏକ ବସରୁ ୩ଜଣ ପ୍ରବାସୀ ଓଡିଆଙ୍କୁ ଅଟବାଟରେ ଓହ୍ଲାଇ ଦିଆଯାଇଛି । ପ୍ରଥମେ ବୁଗୁଡାରେ ୩ଜଣ ପ୍ରବାସୀ ଓଡିଆଙ୍କୁ ବସରୁ ଓହ୍ଲାଇ ଦିଆଯାଇଥିଲା । ସେହିପରି ଖଜାପଲି ଦେଓ ଗାଁ ମଝିରେ ୨୨ଜଣ ପ୍ରବାସୀ ଓଡିଆଙ୍କୁ ଓହ୍ଲାଇ ଦିଆଯାଇଛି । ସେମାନେ କୁଆଡେ ଗଲେ ତାର ଖୋଜ ଖବର କାହା ପାଖରେ ନାହିଁ ।

ସେହି ବେଗୁନିଆପଡା ବ୍ଲକ ଆଦର୍ଶ ବିଦ୍ୟାଳୟରୁ ୨୦ଜଣ ପ୍ରବାସୀ ଓଡିଆ ଖାଇବା ପିଇବାରେ ଅସୁବିଧା ହେଉଥିବା ବାହାନା କରି ଫେରାର ହୋଇଯାଇଛନ୍ତି । ଯାହା ଏବେ ପ୍ରଶାସନର ଚିନ୍ତା ବଢାଇ ଦେଇଛି । ସେପଟେ ଜନତା ନୋଡାଲ ମାଧ୍ୟମିକ ବିଦ୍ୟାଳୟରୁ ଫେରାର ହୋଇଥିବା ଲୋକଙ୍କ ମଧ୍ୟରୁ ୫୦ଜଣଙ୍କୁ ଫେରାଇ ଅଣାଯାଇଥିବା ବେଳେ ବାକି ଲୋକଙ୍କୁ ଏବେ ଖୋଜାଚାଲିଛି ।