ପ୍ରେମିକର ପ୍ରେମ ଆଗରେ ହାରିଗଲା ମା’ର ମମତା : ୩ ବର୍ଷର କୁନିଝିଅକୁ ଘରେ ଭୋକ ଉପାସରେ ଛାଡ଼ି ୮ ଦିନ ପାଇଁ ପ୍ରେମିକ ସହ ବୁଲିବାକୁ ଚାଲିଗଲା ମା’ , ଭୋକରେ ଆଉଟୁପାଉଟୁ ହୋଇ ପ୍ରାଣ ଛାଡ଼ିଲା ଝିଅ ।

1,565

ମମତାର ପରିଭାଷା ଏବଂ ସ୍ନେହର ସାଗରକୁ ବୁଝାଉଥିବା ଏକମାତ୍ର ଶବ୍ଦ ହେଉଛି ମା’ । ଛୁଆଟିକେ ଛିଙ୍କିଦେଲେ ସବୁ କାମ ଛାଡ଼ି ପିଲାପାଖକୁ ଦୌଡିଆସୁଥିବା ମଣିଷ ହେଉଛି ମା’ । ହେଲେ ମା’ କ’ଣ ଏତେ ନିର୍ଦ୍ଦୟ ହୋଇପାରେ ! ପ୍ରେମିକର ପ୍ରେମ ଆଗରେ କ’ଣ ଅନ୍ଧ ହୋଇଯାଏ ତା ମା’ମନ ।

ଆଜ୍ଞା ହଁ ଏଭଳି ଏକ ଘଟଣା ଘଟିଛି ଜାପାନର ଟୋକିୟୋ ସହରରେ । ସାକି କାକେଶାସି ନାମକ ଜଣେ ମହିଳା ନିଜର ୩ ବର୍ଷର ଝିଅକୁ ଘରେ ଏକୁଟିଆ ଛାଡ଼ି ପ୍ରେମିକ ସହ ବୁଲିବାକୁ ଚାଲିଗଲେ । ପ୍ରେମିକର ପ୍ରେମରେ ସେ ଏତେ ବାନ୍ଧି ହୋଇଗଲେ ଯେ ଝିଅ କଥା ସମ୍ପୁର୍ଣ୍ଣ ଭାବେ ଭୁଲିଗଲେ । କ୍ଷୀରଢୋକକର ପିଲାକୁ ଘରେ ଏକୁଟିଆ ଭୋକରେ ଛାଡ଼ି ୮ ଦିନ ପରେ ବୁଲାବୁଲି କରି ଯେତେବେଳେ ସେ ଘରେ ପହଁଚିଲେ ଝିଅ ନୋଆକୁ ଗୁରୁତର ଅବସ୍ଥାରେ ପାଇଥିଲେ । ସଙ୍ଗେ ସଙ୍ଗେ ଝିଅକୁ ହସ୍ପିଟାଲ୍ ନିଆଗଲା ହେଲେ ସେତେବେଳକୁ ନେଡ଼ି ଗୋଡ଼ କହୁଣିକୁ ପହଁଚି ଯାଇଥିଲା । ଡାକ୍ତର ଝିଅଟିକୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟରେ ନୋଆ ଅନେକ ଦିନ ଧରି ଭୋକରେ ରହିଥିବା କଥା ସ୍ପଷ୍ଟ ହୋଇଗଲା । ଖାଲି ପେଟରେ ପାଣିର ଅଭାବ ମଧ୍ୟ ଦେଖାଦେଇଥିଲା । ଝିଅଟିର ଅବସ୍ଥା ଏତେ ଖରାପ ଥିଲା ଯେ ତା’ ଡ଼ାଇପରକୁ ମଧ୍ୟ ଅନେକ ଦିନ ହେଲା ବଦଳାଯାଇନଥିଲା । ମୃତ କୁନିଝିଅର ମା’ ଏବେ ପୋଲିସ୍ ହାଜତରେ । ୨୦୧୭ ରୁ ସ୍ୱାମୀ ସହ ଛାଡ଼ପତ୍ର ନେଇ ୩ ବର୍ଷର ଝିଅ ସହ ଏକା ରହୁଥିବା ଏହି ମହିଳାଙ୍କ ଖାମଖିଆଲପଣର ଚର୍ଚ୍ଚା ଏବେ ସାରା ସହରରେ ହେଉଛି ।