କନକ ବ୍ୟୁରୋ: ଅମ୍ପାୟରଙ୍କ ନିଷ୍ପତି ଥିଲା ଆଉଟ୍ । ଟିମ୍’ର ସମର୍ଥକ କହିଲେ, ନୋ’ ବଲ୍ ଥିଲା । ନୋ’ ବଲରେ ଆଉଟ୍ କେମିତି ହେଲେ ବ୍ୟାଟ୍ସମ୍ୟାନ୍? ତାଙ୍କୁ ନେଇ ଖେଳ ପଡ଼ିଆ ଚାଲିଲା ଯୁକ୍ତିତର୍କ । ପରେ ହାତାହାତି ହେଲା । ଆଉ ପରେ ଅଚାନକ୍ ଆସି ଜଣେ, ଯୁବକଙ୍କୁ ଛୁରୀ ମାଡ଼ କରିଦେଲେ । କ୍ରିକେଟ ଖେଳ ପାଇଁ ଗଡ଼ିଗଲା ମୁଣ୍ଡ । କଟକ ଚୌଦ୍ୱାର, ମହିଷାନଣ୍ଡାରେ ଘଟିଛି ଏଭଳି ଏକ ହତ୍ୟାକାଣ୍ଡ । ଦେଖନ୍ତୁ ପୁରା କାହାଣୀ ।

Advertisment

କ୍ରିକେଟ ଖେଳର ଉତ୍ସାହ ଯେତେବେଳେ ଉତେଜନାର ରୂପ ନିଏ, ତାର ପରିଣାମ କେତେ ଭୟଙ୍କର ହୋଇପାରେ, ଏହା ଘଟିଛି ଚୌଦ୍ୱାର ମହିଷାନଣ୍ଡା ଗାଁରେ । ଖେଳ ପଡ଼ିଆରେ ପଡ଼ି ରହିଛି ରକ୍ତ ଛିଟା । ଗାଁରେ ଏବେ ବି ଲାଗି ରହିଛି ଚାପା ଉତେଜନା । କ୍ଷଣିକ ଉତେଜନାର ବଶବର୍ତୀ ହୋଇ ଜଣେ ଯୁବକଙ୍କୁ ଛୁରୀ ମାଡ଼ କରି ନିର୍ମମ ଭାବେ ହତ୍ୟା କରାଯାଇଛି । ଘଟଣା ଘଟିଛି ଚୌଦ୍ୱାର, ମହିଷାନଣ୍ଡା ଗାଁରେ । କ୍ରିକେଟ୍ ପଡ଼ିଆରେ ଛୁରା ମାଡ଼ର ଶିକାର ହୋଇଥିବା ଯୁବକଙ୍କ ନାଁ ହେଉଛି ଲକି ରାଉତ । ବୟସ ୨୨ ବର୍ଷ । କ୍ରିକେଟ ପଡ଼ିଆରେ ଛୁରା ମାଡ଼ ହେବା ପରେ ତାଙ୍କୁ ତୁରନ୍ତ କଟକ ବଡ଼ ମେଡ଼ିକାଲକୁ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘେଷଣା କରିଛନ୍ତି ।

କଟକ ଜିଲ୍ଲା ଚୌଦ୍ୱାର ଥାନା ମହିଷାନଣ୍ଡା ପଡ଼ିଆରେ ଚାଲିଥିଲା କ୍ରିକେଟ ଟୁର୍ଣ୍ଣାମେଂଟ୍ । ଶଙ୍କରପୁର ଓ ବ୍ରହ୍ମପୁର ଗାଁ ମଧ୍ୟରେ ଖେଳାଯାଉଥିଲା ମ୍ୟାଚ୍ । ପ୍ରଥମେ ବ୍ୟାଟିଂ କରି ଶଙ୍କରପୁର ୧୧୫ରନ୍ ସଂଗ୍ରହ କରିଥିଲା । ଜବାବରେ ବ୍ରହ୍ମପୁର ଟିମ୍ ବ୍ୟାଟିଂ କରିବାକୁ ଆସିଥିଲା । କିନ୍ତୁ ପ୍ରଥମ ବଲରେ ବ୍ରହ୍ମପୁର ଟିମ୍ ଓପନର ଆଉଟ୍ ହୋଇଯିବା ପରେ ସୃଷ୍ଟି ହୋଇଥିଲା ଉତେଜନା । ବ୍ରହ୍ମପୁର ଗାଁର ଯୁବକମାନେ ଆସି ଅମ୍ପାୟରଙ୍କ ସହ ଯୁକ୍ତିତର୍କ କରିଥିଲେ । ଜାଣିଶୁଣି ମ୍ୟାଚ୍ ହରାଇବା ପାଇଁ ନୋ ବଲ୍’ରେ ଆଉଟ୍ ଦିଆଯାଇଥିବା ଅଭିଯୋଗ କରି ଅମ୍ପାୟରଙ୍କୁ ଠେଲାପେଲା କରିଥିଲେ । ଏହି ସମୟରେ ଟୁର୍ଣ୍ଣାମେଂଟ ଆୟୋଜନ କରୁଥିବା ମହିଷାନଣ୍ଡା ଗାଁର ଲକି ରାଉତ, ସେମାନଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ । ଠିକ୍ ସେତିକି ବେଳେ ବ୍ରହ୍ମପୁର ଗାଁର ଯୁବକମାନେ ତାଙ୍କୁ ମାଡ଼ି ବସିଥିଲେ । ଆଉ ଠିକ୍ ସେତେବେଳେ ସ୍ତି ରଂଜନ ରାଉତ ଓରଫ ମୁନା ନାମକ ଜଣେ ଯୁବକ ଆସି, ଲିକଙ୍କୁ ଛୁରା ମାଡ଼ କରିଥିବା ଅଭିଯୋଗ ହୋଇଛି ।

ଏହି ଘଟଣାକୁ ନେଇ ଗାଁରେ ଉତେଜନା ଲାଗି ରହିଥିବା ବେଳେ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏମିତି କି ଥାନା ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି । ଚୌଦ୍ୱାର ଅଂଚଳରେ ଘଟିଥିବା ଏହି ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । କାରଣ, ଗାଁ ଗାଁରେ କ୍ରିକେଟ ଖେଳ ହେଉଛି । ଗାଁ-ଗାଁରେ କ୍ରିକେଟ ଟୁର୍ଣ୍ଣାମେଂଟ୍ ହେଉଛି । ହେଲେ ପିଲାମାନେ ଭୁଲି ଯାଉଛନ୍ତି ଯେ, କ୍ରିକେଟ ଖେଳ ହେଉଛି ଭଦ୍ର ଲୋକଙ୍କ ଖେଳ । ଖେଳରେ ଅଭଦ୍ରାମୀ ଓ ଅଶାଳିନତାର କୌଣସି ସ୍ଥାନ ନାହିଁ ।