କନକ ବ୍ୟୁରୋ: ବିଧାୟକଙ୍କ ପିଛା ଛାଡୁନି ବିବାଦ । ଗିରଫ ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ । ହସ୍ପିଟାଲର ଏସି କ୍ୟାବିନରେ ରହିଲେ ବିଧାୟକ, ଜେନେରାଲ ୱାର୍ଡରେ ଗରମରେ ଛଟପଟ ହେଲା ପୋଡ଼ିଯାଇଥିବା ଛୋଟପିଲା । ଗୁରୁତର ଶିଶୁ କନ୍ୟାକୁ ଏସି ରୁମରୁ ବାହାର କରି ବିଧାୟକଙ୍କ ପାଇଁ ଖାଲି କରିଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୁପକ୍ଷ । ଏମିତି ଏକ ଅଭାବନୀୟ ଖବର ଏବେ ବିଧାୟକଙ୍କ ଭିଆଇପି କଲଚରକୁ ସମାଲୋଚନା ଆଉ ଖାଲି ସମାଲୋଚନା ।
ତିଲେଇବଣୀ ବ୍ଲକ ବିଡିଓଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀ । ହେଲେ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେହି ଏସି କ୍ୟାବିନରେ ଚିକିତ୍ସିତ ହେଉଥିଲା ନିଆଁରେ ପୋଡି ଗୁରୁତର ଥିବା ୮ବର୍ଷୀୟ ଶିଶୁ କନ୍ୟା । ର୍ଦୁଭାଗ୍ୟ କହିବା ନା ଭିଆଇପି କଲଚର, ଜଳାପୋଡା ଯନ୍ତ୍ରଣାରେ ଛଟପଟ ହେଉଥିବା ଶିଶୁକନ୍ୟାକୁ ବିଧାୟକଙ୍କ ପାଇଁ ରାତାରାତି ଜେନେରାଲ ୱାର୍ଡକୁ ବିଦା କରିଦେଇଥିବା କହିଛନ୍ତି ଶିଶୁ କନ୍ୟାଙ୍କ ଅଜା-ଆଇ ।
ବାରକୋଟ ବ୍ଲକ ଅନ୍ତର୍ଗତ ଚକ୍ରପାଲି ଗ୍ରାମର ଗୋବିନ୍ଦ ନାୟକଙ୍କ ୮ ବର୍ଷୀୟ କୁନି ଝିଅ ସ୍ନେହା । ବାପ-ଛେଉଣ୍ଡ ସ୍ନେହା ଦୁର୍ଘଟଣାବଶତଃ ନିଆଁ ପୁଇଁଲାବେଳେ ପୋଡ଼ିଗଲା । ଏ ସମ୍ପର୍କରେ ଦେବଗଡ଼ ଜିଲ୍ଲାପାଳ ସୂଚନା ପାଇବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ବ୍ଲକ ପ୍ରଶାନକୁ ସ୍ନେହାର ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ପ୍ରଶାସନ ସ୍ନେହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସ୍ୱତନ୍ତ୍ର ଏସି କ୍ୟାବିନ ସହ ମାଗଣା ଚିକିତ୍ସା ଯୋଗାଇ ଦେଉଛନ୍ତି କର୍ତ୍ତୁପକ୍ଷ । କିନ୍ତୁ ଗତ ୧ ତାରିଖ ଦିନ ଗିରଫ ବିଧାୟକ ଜେଲ ଯିବା ପୂର୍ବରୁ ଅସୁସ୍ଥ ଅନୁଭବ କରିଥିଲେ । ତେଣୁ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ପୂର୍ବରୁ ଚିକିତ୍ସାଧିନ ଗୁରୁତର ଶିଶୁ କନ୍ୟାକୁ ଉକ୍ତ କୋଠରୀରୁ ବାହାର କରି ବିଧାୟକଙ୍କ ପାଇଁ ବ୍ୟବସ୍ଥା କରିଦେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଏହାକୁ ବିଭିନ୍ନ ମହଲରେ ନାପସନ୍ଦ କରା ଯାଇଛି । ଏନେଇ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅବଗତ ନଥିବା କହିଛନ୍ତି ।
ତେବେ ବିବାଦୀୟ ବିଧାୟକଙ୍କ ଭିଆଇପି ସେବା ନେଇ ସମାଲୋଚନାର ସୁଅ ମାଡ଼ି ଚାଲିଛି । ପ୍ରଶ୍ନ ଉଠୁଛି, ଯନ୍ତ୍ରଣାରେ ଛଟପଟ ହେଉଥିବା ଛୁଆଟିକୁ ବିଧାୟକଙ୍କ ପାଇଁ ଏସି କ୍ୟାବିନରୁ ବାହାର କରିବା କେତେଦୂର ଠିକ୍? ବିଧାୟକଙ୍କ ସାମ୍ନାରେ ଛୋଟଛୁଆର ଜୀବନର ମୂଲ୍ୟ କିଛି ନୁହେଁ କି? ନା ଡାକ୍ତରଖାନାରେ ପ୍ରେସକ୍ରିପସନରେ ରୋଗୀ ପାଇଁ ଗୋଟିଏ ନିୟମ ଆଉ ବିଧାୟକଙ୍କ ପାଇଁ ନୂଆ ନିୟମ ଅଛି କି? ଯେଉଁ ଜିଲ୍ଲାପ୍ରଶାସନ ଗୁରୁତର ଶିଶୁକୁ ମାଗଣା ଚିକିତ୍ସା କରାଉଛି, ତାକୁ ମୃତ୍ୟୁର ମୁହଁକୁ କେମିତି ଠେଲି ଦେଲା? ଯଦି ବିଧାୟକଙ୍କୁ ଖୁସ୍ କରୁ କରୁ କୁନି ଜୀବନ ପ୍ରତି ବିପଦ ଆସେ ତା’ ପାଇଁ ଦାୟୀ କିଏ? ଜନପ୍ରତିନିଧିଙ୍କ ପାଇଁ କାହାର ଜୀବନ ସହ ଖେଳର ଜବାବ ଦେବ କି ପ୍ରଶାସନ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/22-4.jpg)