ଚାଲୁ ଚାଲୁ ଟଳିପଡିଲେ ପ୍ରବାସୀ । କୋଲକାତାରୁ କାକଟପୁର ଫେରିବା ବେଳେ ବାଲେଶ୍ୱର ଲକ୍ଷ୍ମଣନାଥ ତନଖି ଫାଟକ ନିକଟରେ ଚାଲିଗଲା ଜୀବନ, ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର ।

432

କନକ ବ୍ୟୁରୋ: କରୋନା ସଙ୍କଟ ବେଳେ ଅଭାବନୀୟ ଘଟଣା । ରାସ୍ତାରେ ଚାଲୁ ଚାଲୁ ଟଳିପଡିଲେ ପ୍ରବାସୀ ଶ୍ରମିକ । କୋଲକାତାରୁ ଫେରୁଥିବାବେଳେ ୬୦ ନମ୍ବର ଜାତୀୟ ରାଜପଥର ବାଲେଶ୍ୱର ଲକ୍ଷ୍ମଣନାଥ ତନଖି ଫାଟକଠାରୁ ଅଳ୍ପ କିଛି ଦୂରରେ ଘଟିଛି ଏହି ଘଟଣା ।

ସୂଚନା ଅନୁଯାୟୀ ପୁରୀ ଜିଲ୍ଲା କାକଟପୁର ଥାନା ଟିକରପଡା ଗାଁର ଧୁବେଇ ଚରଣ ମହାନ୍ତି କୋଲକାତାରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ତାଲାବନ୍ଦ ଯୋଗୁଁ ସେ କୋଲକାତାରେ ଅଟକି ରହିଥିଲେ । ହେଲେ ଆଜି ଘରକୁ ଫେରିବା ନେଇ ଘରକୁ ଫୋନ୍ ଯୋଗେ ସୂଚନା ଦେଇଥିଲେ ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସେ ଚାଲି ଚାଲି ଆସୁଥିବାବେଳେ ହଠାତ୍ ତଳେ ପଡି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଗଛ ମୂଳକୁ ନେବା ସହ ଜଳେଶ୍ୱର ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଁଚି ଧୁବେଇଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସପିଟାଲକୁ ଆଣିଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ପକେଟରୁ ମୋବାଇଲ୍, ଭୋଟର କାର୍ଡ, ଆଧାର କାର୍ଡ ଓ କିଛି ଟଙ୍କା ମିଳିଥିବା ଜଣାପଡିଛି ।