ସ୍ତ୍ରୀର ଜୁଇରେ ଝାସ ଦେଇ ଜୀବନ ହାରିଲା ସ୍ୱାମୀ : କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକ ସିଆଲଯୋଡ଼ି ଗାଁରେ ଅଭାବନୀୟ ଘଟଣା

ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା

255

କନକ ବ୍ୟୁରୋ : ସ୍ତ୍ରୀର ଜୁଇରେ ଜୀବନ ହାରିଦେଲେ ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକ ସିଆଲଯୋଡ଼ି ଗ୍ରାମରେ । ଆଜି ସଂଧ୍ୟାରେ ଏହି ଗ୍ରାମର ନୀଳମଣି ଶବରଙ୍କ ସ୍ତ୍ରୀ ରଇବାରୀ ଶବରଙ୍କ ମୃତ୍ୟୁ ହୋଇଥିଲା । ଗାଁ ମଶାଣି ତାଙ୍କର ଅନ୍ତିମ ସଂସ୍କାର ସାରି ଲୋକମାନେ ଫେରୁଥିଲେ । ଏହି ସମୟରେ ନୀଳମଣି ଦଉଡ଼ିଯାଇ ସ୍ତ୍ରୀ ରଇବାରୀଙ୍କ ଜୁଇକୁ ଡେଇଁ ପଡ଼ିଥିଲେ । ନିଆଁ ଅଧିକ ଥିବାରୁ ତାଙ୍କୁ ବଂଚାଇ ପାରି ନଥିଲେ ଲୋକ । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନାନୁସାରେ, ଗାଁ ମଶାଣୀରେ ରଇବାରୀଙ୍କ ଜୁଇ ଜଳିବା ପରେ ଅନେକ ଲୋକେ ସ୍ନାନ କରି ଘରକୁ ଫେରିଥିଲେ । କିନ୍ତୁ ତାଙ୍କ ସ୍ୱାମୀ ନୀଳମଣି ଓ ଅନ୍ୟ କିଛି ଲୋକେ ସମସ୍ତଙ୍କ ପଛରେ ସ୍ନାନ କରି ଆସୁଥିବା ବେଳେ । ମାନସିକ ଭାରସାମ୍ୟ ହରାଇ ହଠାତ୍‌ ଜୁଇ ଉପରକୁ ନୀଳମଣି ଡେଇଁପଡ଼ି ଜୀବନ୍ତ ଦଗ୍ଧ ହୋଇଥିଲେ । ନିଆଁ ହୁ ହୁ ହୋଇ ଜଳୁଥିବାରୁ ତାଙ୍କୁ ବଞ୍ଚାଇବାକୁ କେହି ସାହାସ କରି ପାରିନଥିଲେ । ତୁରନ୍ତ ତାଙ୍କର ୪ ପୁଅ, ଗ୍ରାମବାସୀ ଶ୍ମଶାନକୁ ଯାଇଥିଲେ । ସ୍ତ୍ରୀର ଜୁଇକୁ ସ୍ୱାମୀ ଡେଇଁବା ଘଟଣା ଜଣାପଡ଼ିବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ ନୀଳମଣି ଚହକା ପଞ୍ଚାୟତର ସିଆଲଯୋଡି ଗ୍ରାମ ୫ନଂ ୱାର୍ଡର ୱାର୍ଡମେମ୍ବର ଥିଲେ । ବିଗତ ଦିନରେ ଚହକା ପଞ୍ଚାୟତର ସମିତି ସଭ୍ୟ ମଧ୍ୟ ଥିଲେ ।