କଙ୍ଗାରୁକୋର୍ଟର କଳାକାହାଣୀ…ପ୍ରେମ ବିବାହ କଲେ ବୋଲି ଜରିମାନା ଦେଲେ ୫୦ ହଜାର । ନବ ଦମ୍ପତ୍ତିଙ୍କୁ ଅଲଗା କରିଦେଲା ନବରଙ୍ଗପୁର କଙ୍ଗାରୁକୋର୍ଟ ।

185

କନକ ବ୍ୟୁରୋ: ପ୍ରେମ କରି ବାବାହ କଲେ ବୋଲି ଦେବାକୁ ପଡ଼ିଲା ୫୦ ହଜାର । ପ୍ରେମକୁ ମିଳିଲାନି ସ୍ୱୀକୃତି । ବରଂ ଅନ୍ୟ ଜାତିରେ ବିବାହ କରିଥିବାରୁ ଗାଁ କଙ୍ଗାରୁ କୋର୍ଟରେ ହାଜର ହୋଇ ଦେବାକୁ ପଡିଲା ୫୦ ହଜାର ଟଙ୍କାର ଜରିମାନା । ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଅଂଚଳରେ । ରାଇଘର ଥାନା ଅନ୍ତର୍ଗତ ଖାଡେଗାଁ ଗାଁର ପ୍ରତାପ କଲାର ସେହି ଗାଁର ମଇନୁ ଗଣ୍ଡଙ୍କ ଝିଅ ଫଗୁଣି ଗଣ୍ଡଙ୍କୁ ପ୍ରେମ ବିବାହ କରିଥିଲେ । ଦୁଇ ପରସ୍ପରକୁ ଭଲ ପାଉଥିବାରୁ ଘର ଲୋକ ତାଙ୍କୁ ସମର୍ଥନ ଦେଲେ ନାହିଁ । ତେଣୁ ସେମାନେ ଗତ ଜୁନ୍ ୨୭ ତାରିଖରେ ଘରୁ ଲୁଚି ପଳାଇ ଯାଇଥିଲେ । ପରେ ନୋଟାରୀ ପାଖରେ ରେଜିଷ୍ଟ୍ରି ମ୍ୟାରେଜ କରିବା ସହ ଛତିଶଗଡର ଏକ ଶିବ ମନ୍ଦିରରେ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ । ପରେ ସେମାନେ ଗାଁକୁ ଫେରି ଗାଁରେ ଥିବା କୁସଂସ୍କାର ବା କଠୋର ଜାତିପ୍ରଥା ସମ୍ମୁଖୀନ ହୋଇଛନ୍ତି ।

ତେବେ ଦୁହେଁ ଭିନ୍ନ ଜାତିର ହୋଇଥିବାରୁ ସେମାନଙ୍କ ବିବାହକୁ ଗ୍ରହଣ ନକରି ପୁଣି ଅଲଗା କରି ଦିଆଯାଇଛି । ଗାଁ କଙ୍ଗାରୁ କୋର୍ଟରେ ଏକ ତରଫା ଫଇସଲା କରି ପ୍ରତାପ କଲାରଙ୍କୁ ୫୦ ହଜାର ଟଙ୍କାର ଜରିମାନା କରାଯାଇଛି । ପ୍ରତାପ ୩୨ ହଜାର ଟଙ୍କା ପୈଠକ କରିଥିବା ବେଳେ ବାକି ୧୮ ହଜାର ଟଙ୍କା ପୈଠ କରିବା ପାଇଁ ଏବେ ଛତିଶଗଡରେ କୁଲି କାମ କରୁଛନ୍ତି । ତେବେ ଏଭଳି କୁତ୍ସିତ ଜାତି ପ୍ରଥାକୁ ଧରି ଖାଡେଗାଁ ଗାଁର ଲୋକେ କଙ୍ଗାରୁ କୋର୍ଟ ବସାଇ ପ୍ରତାପ ଓ ଫଗୁଣୀକୁ ଅଲଗା କରି ଦେଇଛନ୍ତି ।